ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କ ଗିରଫଦାରୀ ଉପରେ ମନ୍ତବ୍ୟକୁ ନେଇ ଭାରତ ଜଣେ ଆମେରିକୀୟ କୂଟନୀତିଜ୍ଞଙ୍କୁ ଡକାଇ ଆପତ୍ତି ଉଠାଇବାର ଦିନକ ପରେ ଆମେରିକା ନିରପେକ୍ଷ, ସ୍ୱଚ୍ଛ ଓ ସମୟୋପଯୋଗୀ ଆଇନଗତ ପ୍ରକ୍ରିୟା ପାଇଁ ପୁଣି ଥରେ ଆହ୍ୱାନ ଦେଇଛି। ଆମେରିକୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର ମଧ୍ୟ କହିଛନ୍ତି ଯେ ଟିକସ କର୍ତ୍ତୃପକ୍ଷ ସେମାନଙ୍କର କିଛି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛନ୍ତି ବୋଲି କଂଗ୍ରେସ ଦଳର ଅଭିଯୋଗ ବିଷୟରେ ସେମାନେ ଅବଗତ ଅଛନ୍ତି। ଅରବିନ୍ଦ କେଜ୍ରିଵାଲଙ୍କ ଗିରଫଦାରୀ ସମେତ ଏହି କାର୍ଯ୍ୟ ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ଏହି ସବୁ ପ୍ରସଙ୍ଗ ପାଇଁ ଆମେ ନିରପେକ୍ଷ, ସ୍ୱଚ୍ଛ ଓ ସମୟୋପଯୋଗୀ ଆଇନଗତ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରୁଛୁ ବୋଲି ମିଲର କହିଛନ୍ତି। ଭାରତ ଦିଲ୍ଲୀରେ କାର୍ଯ୍ୟକାରୀ ଡେପୁଟି ଚିଫ୍ ଅଫ୍ ମିସନ ଗ୍ଲୋରିଆ ବର୍ବେନାଙ୍କୁ ସମନ କରିବା ସହ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯିବା ସମ୍ପର୍କରେ ପ୍ରଶ୍ନ କରାଯିବାରୁ ବୈଦେଶିକ ବିଭାଗର ଏକ ସାମ୍ବାଦିକ ସମ୍ମିଳନୀରେ ମିଲର ଏହା କହିଛନ୍ତି। ଭାରତ ଆମେରିକୀୟ କୂଟନୀତିଜ୍ଞଙ୍କୁ ସମନ କରିବା ବିଷୟରେ ପଚରାଯିବାରୁ ମିଲର ଏହା ପ୍ରାଇଭେଟ୍ କୂଟନୈତିକ କଥାବାର୍ତ୍ତା ବୋଲି ଦର୍ଶାଇ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ‘ମୁଁ କୌଣସି ପ୍ରାଇଭେଟ୍ କୂଟନୈତିକ କଥାବାର୍ତ୍ତା ବିଷୟରେ କିଛି କହିବି ନାହିଁ। କିନ୍ତୁ ଅବଶ୍ୟ, ଆମେ ସର୍ବସାଧାରଣରେ ଯାହା କହିଛୁ ତାହା ହେଉଛି, ଆମେ ନିରପେକ୍ଷ, ସ୍ୱଚ୍ଛ ଓ ସମୟୋପଯୋଗୀ ଆଇନଗତ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରୁଛୁ। ଏଥିରେ କେହି ଆପତ୍ତି କରିବା ଉଚିତ ନୁହେଁ’ ବୋଲି ମିଲର କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆମେରିକାର କାର୍ଯ୍ୟକାରୀ ଡେପୁଟି ଚିଫ୍ ଅଫ୍ ମିସନ୍ ଗ୍ଲୋରିଆ ବର୍ବେନାଙ୍କୁ ଦିଲ୍ଲୀର ସାଉଥ୍ ବ୍ଲକ୍ ସ୍ଥିତ ନିଜ କାର୍ଯ୍ୟାଳୟକୁ ଡକାଇଥିଲା। ଏହି ବୈଠକ ୩୦ ମିନିଟରୁ ଅଧିକ ସମୟ ଧରି ଚାଲିଥିଲା। ପରେ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଥିଲା ଯେ, ଭାରତରେ କେତେକ ଆଇନଗତ ପ୍ରକ୍ରିୟା ସମ୍ପର୍କରେ ଆମେରିକୀୟ ବୈଦେଶିକ ବିଭାଗର ମୁଖପାତ୍ରଙ୍କ ମନ୍ତବ୍ୟକୁ ନେଇ ଆମେ ଦୃଢ଼ ଆପତ୍ତି ଉଠାଇଛୁ। କୂଟନୀତିରେ ଦେଶଗୁଡ଼ିକ ଅନ୍ୟମାନଙ୍କ ସାର୍ବଭୌମତ୍ୱ ଓ ଆଭ୍ୟନ୍ତରୀଣ ବ୍ୟାପାରକୁ ସମ୍ମାନ ଦେବେ ବୋଲି ଆଶା କରାଯାଏ।
Discussion about this post