ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରିଛି ବିଜେଡି। ତେବେ ଗୁରୁବାର ଦିନ ସଂସଦରେ ଓଡ଼ିଶାର ଦୁଇ ପ୍ରମୁଖ ପ୍ରସଙ୍ଗକୁ ଜୋରଦାର ଉଠାଇଛି ଦଳ। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ବିତର୍କରେ ଭାଗ ନେଇଥିଲେ ସାଂସଦ ସସ୍ମିତ ପାତ୍ର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶାକୁ କେନ୍ଦ୍ର ଘର ଦେଉ ଓ ଆବାସ ପ୍ଲସ୍ ପୋର୍ଟାଲକୁ ଖୋଲାଯାଉ ବୋଲି ସେ ଦାବି କରିଥିଲେ। ସେ କହିଲେ, ଆଜିର ସମୟରେ ସଂଘୀୟ ବ୍ୟବସ୍ଥାର ଚର୍ଚ୍ଚା ବାସ୍ତବତାକୁ ହ୍ରାସ କରୁଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜ୍ୟର ୬ ଲକ୍ଷ ଆଦିବାସୀ ହିତାଧିକାରୀଙ୍କ ପାଇଁ ଆବାସ ପୋର୍ଟାଲ ଖୋଲିବା ପାଇଁ କେନ୍ଦ୍ରକୁ ପତ୍ର ଲେଖିଥିଲେ। ଏହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଅନ୍ୟ ପକ୍ଷରେ କର୍ଣ୍ଣାଟକ ଭଳି ରାଜ୍ୟମାନଙ୍କ ପାଇଁ ଆବାସ ପୋର୍ଟାଲ ଖୋଲାଯାଇଛି। ଓଡ଼ିଶାର ୬ ଲକ୍ଷ ଆଦିବାସୀ କ’ଣ ଅପରାଧ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଲେ, ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ କୋଟି ୧୭ ଲକ୍ଷ ଆବାସକୁ ଅନୁମୋଦନ ଦିଆଯାଇଥିବା ଉଲ୍ଲେଖ ଅଛି। ହେଲେ ଓଡ଼ିଶା ପାଇଁ ଆବାସ ପ୍ରଦାନରେ ପାତର ଅନ୍ତର କାହିଁକି ବୋଲି ସସ୍ମିତ ପ୍ରଶ୍ନ କରିଥିଲେ। ସସ୍ମିତ କହିଲେ, ରାଷ୍ଟ୍ରପତିଙ୍କ ଅଭିଭାଷଣରେ ‘ସବକା ସାଥ ସବକା ବିକାଶ ସବକା ବିଶ୍ବାସ ସବକା ପ୍ରୟାସ’ ଉଲ୍ଲେଖ କରାଯାଇଥିବା ବେଳେ ଓଡ଼ିଶାକୁ ବାସ୍ତବରେ ଅଣଦେଖା କରାଯାଉଛି। ରାଜ୍ୟରେ ଏଫ୍ସିଆଇ କାହିଁକି ୨୨ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉଠାଣ କରୁନାହିଁ ବୋଲି ଆଲୋଚନା କାଳରେ ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କାହିଁକି ନିଜର ଦାୟିତ୍ବ ନିର୍ବାହ କରୁନାହାନ୍ତି? ଯଦି ସବୁ ରାଜ୍ୟ ପାଇଁ ନୀତି ସମାନ ତାହା ହେଲେ ଏ ପାତର ଅନ୍ତର କାହିଁକି। ଆଗାମୀ ଦିନରେ ସଂଘୀୟ ବ୍ୟବସ୍ଥାରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ସସ୍ମିତ କହିଥିଲେ। ଆଜି ମଧ୍ୟ ରାଜ୍ୟସଭାର ଶୂନ୍ୟକାଳରେ ବିଜେଡିର ତିନି ସାଂସଦଙ୍କ ଦ୍ବାରା ଆବାସ ପୋର୍ଟାଲ ଖୋଲାଯିବା ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉପସ୍ଥାପନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍ଏୱାଇ-ଜି) ଅଧୀନରେ ଓଡ଼ିଶାକୁ ଆବାସ ଯୋଗାଇ ଦେବାରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଉଛି ବୋଲି ଏମାନେ କହିଥିଲେ। ଜାତୀୟ ଗ୍ରାମୀଣ ହାଉସିଂ ପୋର୍ଟାଲର ଆବାସ ପ୍ଲସ୍ରେ ଓଡ଼ିଶାର ୬.୬୫ ଲକ୍ଷ ପରିବାରର ତଥ୍ୟକୁ ଯୋଡ଼ିବା ପାଇଁ ଏମାନେ ଦୃଢ଼ଭାବେ ଦାବି କରିଥିଲେ। ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ସୁଜିତ କୁମାର ଏହି ପ୍ରସଙ୍ଗ ଉଠାଇଥିଲେ। କେନ୍ଦ୍ର ସରକାର ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରୁଥିବା ଏମାନେ ଅଭିଯୋଗ କରିଥିଲେ।
More Stories
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ମୌସୁମୀ…..
ରାଜଧାନୀରେ ହାଇଡ୍ରାମା: ରିସେପ୍ସନ୍ ଭୋଜିରୁ ବରକୁ ଉଠାଇନେଲା ପ୍ରେମିକା….
ଶ୍ରୀମନ୍ଦିରରେ ସୁରକ୍ଷା ହେବ ଆହୁରି କଡାକଡି……