Report Card Odisha

| Daily Odia News

କରୋନା ନେଲାଣି ୮୦୦ ଗର୍ଭବତୀଙ୍କ ଜୀବନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀ କବଳରେ ସାରା ବିଶ୍ୱ ଲଢୁଛି । ବ୍ରାଜିଲ୍‌ରେ ଗର୍ଭବତୀ ତଥା ପସୂତିଙ୍କ ମୃତ୍ୟୁ ଦେଶରେ ଆତଙ୍କ ଖେଳାଇ ଦେଇଛି । ବର୍ତ୍ତମାନ ସୁଦ୍ଧା ଗର୍ଭଧାରଣ କରିବା ପରେ ତଥା ପ୍ରସବ ପରେ ପରେ ପ୍ରାୟ ୮୦୦ ମହିଳାଙ୍କର ମୃତ୍ୟୁ ଘଟିଲାଣି । ଏପରି ସ୍ଥିତିକୁ ଦେଖି ମହିଳାଙ୍କୁ ଗର୍ଭଧାରଣ ଯୋଜନାକୁ କିଛି ଦିନ ପାଇଁ ରୋକିବା ଲାଗି ଚେତାବନୀ ଦିଆଯାଇଛି । ବ୍ରାଜିଲ୍‌ରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଅଧିକ ଲୋକଙ୍କର କରୋନରେ ମୃତ୍ୟୁ ଘଟିଲାଣି । ବ୍ରାଜିଲ୍‌ର ଏକ ଟାସ୍କଫୋର୍ସର କହିବା ଅନୁଯାୟୀ, ଗତବର୍ଷ ଫେବ୍ରୁୟାରୀରୁ ଏବେ ସୁଦ୍ଧା କରୋନା ମହାମାରୀରେ ୮୦୩ ଗର୍ଭବତୀ ଏବଂ ପ୍ରସୂତିଙ୍କ ମୃତ୍ୟୁ ଘଟିଛି । ଏଥିମଧ୍ୟରୁ ୪୩୨ ମହିଳାଙ୍କର ମୃତ୍ୟୁ ଚଳିତ ବର୍ଷ ହୋଇଛି । ବ୍ରାଜିଲ୍‌ରେ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । ଏଠିକାର ଖବରକାଗଜରେ ପ୍ରତିଦିନ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଖବର ସାରା ଦେଶରେ ଭୟର ଏକ ବାତାବରଣ ସୃଷ୍ଟି କରିଛି । ସାରା ବିଶ୍ୱରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ ପାଇଛି । ବ୍ରାଜିଲ୍‌ରେ କରୋନା ଦ୍ୱିତୀୟ ଲହର ଭୟାନକ ସ୍ଥିତିରେ ପହଞ୍ଚିଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି, ବ୍ରାଜିଲର ସ୍ଥିତି ଅନ୍ୟ ଦେଶ ତୁଳନାରେ ଅଧିକ ଗୁରୁତର । ସେଥିପାଇଁ ପ୍ରଶାସନିକ ସ୍ତରରେ କରୋନା ସଂକ୍ରମଣ ହ୍ରାସ ପାଇବା ପର୍ଯ୍ୟନ୍ତ ଏଠି ମହିଳାମାନଙ୍କୁ ଗର୍ଭଧାରଣ ନ କରିବାକୁ ଚେତାବନୀ ଦେଇଛନ୍ତି । ଏକ ସର୍ବେକ୍ଷଣରୁ ଜଣାଯାଇଛି, ବିଶ୍ୱରେ ଯେତେ ଗର୍ଭବତୀଙ୍କ ମୃତ୍ୟୁ ଘଟିଛି, ସେଥିରୁ ୭୭.୫ ପ୍ରତିଶତ ମହିଳା ବ୍ରାଜିଲ୍‌ର ।

Breaking News