Report Card Odisha

| Daily Odia News

ଗଲୱାନରେ ପଶି ପତାକା ଉଡ଼ାଇଲା ଚାଇନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚାଇନାର ଯବାନମାନେ ଗଲୱାନ ଉପତ୍ୟକାକୁ ନିଜର ବୋଲି ଦାବି କରିଛନ୍ତି। ଜାନୁଆରୀ ୧ରେ ଚାଇନିଜ ଯବାନ ଗଲୱାନରେ ପ୍ରବେଶ କରି ନିଜ ଦେଶର ଜାତୀୟ ପତାକା ଉଡ଼ାଇଛନ୍ତି। ଏହାର ଭିଡିଓ ବିଭିନ୍ନ ଚାଇନିଜ ସରକାରୀ ଚ୍ୟାନେଲରେ ପ୍ରକାଶ ପାଇଛି। ଗ୍ଲୋବାଲ ଟାଇମ୍ସ ଭିଡିଓ ଜାରି କରି କହିଛି, ଭାରତ ସୀମାକୁ ଲାଗିଥିବା ଗଲୱାନ ଉପତ୍ୟକାରେ ପିଏଲଏ ସୈନ୍ୟମାନେ ‘କେବେ ହେଲେ ଗୋଟିଏ ଇଞ୍ଚ ଜମି ଛାଡ଼ିବୁ ନାହିଁ ନୀତିରେ କାମ କରିଛନ୍ତି। ଏପରି କିରି ସେମାନେ ୨୦୨୨ ଜାନୁଆରୀ ୧ରେ ଚାଇନିଜ ଲୋକଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଚାଇନାର ଆଉ ଜଣେ ମିଡିଆ ପ୍ରତିନିଧି ଶେନ ଶିୱି କହିଛନ୍ତି, “ଚାଇନାର ଜାତୀୟ ପତାକା ନୂଆବର୍ଷ ୨୦୨୨ରେ ଗଲୱାନ ଉପତ୍ୟକା ଉପରେ ଉଡ଼ିଛି। ଏହି ଜାତୀୟ ପତାକା ବେଶ ସ୍ୱତନ୍ତ୍ର।” ସାମ୍ନାକୁ ଆସିଥିବା ଭିଡିଓରେ ଶତାଧିକ ଚାଇନିଜ ଯବାନ ବନ୍ଧୁକ ସହ ଗଲୱାନ ଉପତ୍ୟକାରେ ଛିଡ଼ା ହୋଇଛନ୍ତି। ଏଥିସହ ସେମାନେ ଚାଇନିଜ ଭାଷାରେ ପତାକା ଉଡ଼ାଇ ଶପଥ ନେଉଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଚାଇନିଜ ଯବାନ ଗଲୱାନରେ ଅନୁପ୍ରବେଶ କରିବାରୁ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଆମ ତ୍ରିରଙ୍ଗା ଗଲୱାନରେ ଭଲ ଦିଶେ। ଚାଇନାକୁ ନିଶ୍ଚିତ ତା’ କାମ ପାଇଁ ଜବାବ ଦିଆଯିବା ଦରକାର। ମୋଦିଜୀ ନୀରବତା ଭାଙ୍ଗନ୍ତୁ।”ଏହାପୂର୍ବରୁ ଚାଇନା ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନକୁ ନିଜ ଭାଷାରେ ବଦଳାଇ ନାମିତ କରିଥିଲା। ତେବେ ଏହାକୁ ଭାରତ ସରକାର ତୀବ୍ର ବିରୋଧ କରିବା ସହ ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ବୋଲି କହିଥିଲେ। ହେଲେ ଚାଇନା ନିଜ ଆଭିମୁଖ୍ୟରେ କୌଣସି ପରବର୍ତ୍ତନ କରିନି। ବରଂ ଗଲୱାନ ଘାଟିରେ ପ୍ରବେଶ କରି ପତାକା ଉଡ଼ାଇଛି।

 

Breaking News