ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ସୁପ୍ରିମକୋର୍ଟ କଲେଜିୟମ ୫ ଜଣ ହାଇକୋର୍ଟ ବିଚାପତିଙ୍କୁ ପ୍ରମୋସନ ଦେବାକୁ ସୁପାରିସ କରିଛନ୍ତି। ଜଷ୍ଟିସ ସଞ୍ଜୟ କାରୋଲ, ଜଷ୍ଟିସ ପିଭି ସଞ୍ଜୟ କୁମାର, ଜଷ୍ଟିସ ଅହସାନୁଦ୍ଦିନ ଅହମନୁଲ୍ଲା, ଜଷ୍ଟିସ ପଙ୍କଜ ମିତ୍ତଲ ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ କଲେଜିୟମରେ ଜଷ୍ଟିସ ଏସକେ କୌଲ, ଜଷ୍ଟିସ ଏସଏ ନଜୀର, ଜଷ୍ଟିସ କେଏମ ଯୋଶେଫ, ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ସଞ୍ଜୀବ ଖାନ୍ନା ରହିଛନ୍ତି। ସମସ୍ତେ ମିଳିତ ଭାବେ ୫ ବିଚାରପତିଙ୍କୁ ପଦୋନ୍ନତି ଦେବାକୁ କହିଛନ୍ତି। ଏଥିସହ ଜଷ୍ଟିସ ଏନ କୋଟିସୱାର ସିଂହଙ୍କୁ ଜମ୍ମୁ-କଶ୍ମୀର ହାଇକୋର୍ଟ ଓ ଓଡ଼ିଶାର ଜଷ୍ଟିସ ସଞ୍ଜୟ ମିଶ୍ରଙ୍କୁ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ମଧ୍ୟ କଲେଜିୟମ ସୁପାରିସ କରିଛନ୍ତି। ଏହାବାଦ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କୁ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରିବାକୁ ମଧ୍ୟ କୁହାଯାଇଛି। ଜଷ୍ଟିସ କୋଟିସୱାର ସିଂହଙ୍କ ମୂଳ ହାଇକୋର୍ଟ ହେଉଛି ମଣିପୁର। ସେ ଏବେ ଗୌହାଟର ହାଇକୋର୍ଟରେ ବିଚାରପତି ରହିଛନ୍ତି। ଯଦି ତାଙ୍କ ନାଁ ଉପରେ ମୋହର ବାଜିବ, ତା’ହେଲେ ସେ ଉତ୍ତର-ପୂର୍ବ ଭାରତର ପ୍ରଥମ ବିଚାରପତି ଭାବେ ଜମ୍ମୁ-କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ। ଜଷ୍ଟିସ ସଞ୍ଜୟ ମିଶ୍ର ବର୍ତ୍ତମାନ ଉତ୍ତରାଖଣ୍ଡ ହାଇକୋର୍ଟରେ ଅଛନ୍ତି। ତାଙ୍କୁ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ କହିଛନ୍ତି। ବର୍ତ୍ତମାନ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ରଶ୍ମୀନ ମନହରଭାଇ ଛାୟା ଜାନୁଆରୀ ୧୧ରେ ଅବସର ନେବେ। ତେଣୁ ତାଙ୍କ ସ୍ଥାନରେ ଜଷ୍ଟିସ ଚନ୍ଦ୍ରନ ଦାୟିତ୍ୱ ଗ୍ରହଣ କରିବେ। ଜଷ୍ଟିସ କାରୋଲ ତ୍ରିପୁରା ଓ ପାଟନା ହାଇକୋର୍ଟରେ ୩ ବର୍ଷରୁ ଅଧିକ ସମୟ କାମ କରିସାରିଛନ୍ତି। ସେହିପରି ତାଙ୍କ ମୂଳ ହାଇକୋର୍ଟ ହେଉଛି ହିମାଚଳ ପ୍ରଦେଶ। ୨୦୨୦ ମେ’ ପରଠାରୁ ହିମାଚଳ ପ୍ରଦେଶରୁ କୌଣସି ବିଚାରପତି ସୁପ୍ରିମକୋର୍ଟରେ ନିଯୁକ୍ତି ପାଇ ନାହାନ୍ତି। ଜଷ୍ଟିସ ଦୀପକ ଗୁପ୍ତାଙ୍କ ଅବସର ପରେ ଏହି ରାଜ୍ୟରୁ କାହାକୁ ବି ସୁପ୍ରିମକୋର୍ଟକୁ ପ୍ରମୋସନ ମିଳିନି। ତେଣୁ ଜଷ୍ଟିସ କାରୋଲଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦେବାକୁ କଲେଜିୟମ କହିଛନ୍ତି। ଏବେ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ନଜୀର ଆସନ୍ତା ୪ ତାରିଖରେ ଅବସର ଗ୍ରହଣ କରିବେ। ଜଷ୍ଟିସ ଅହମନୁଲ୍ଲାଙ୍କ ନାଁକୁ ସୁପାରିସ କରାଯାଇଛି। ସୁପ୍ରିମକୋର୍ଟରେ ବିଚାରପତି ପଦ ସଂଖ୍ୟା ହେଉଛି ୩୪। ବର୍ତ୍ତମାନ ୨୮ ଜଣ ବିଚାରପତି ରହିଛନ୍ତି।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..