ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୈତିକ ସରଗରମ ଥିବାବେଳେ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି। ବୁଧବାର ଏହି ପ୍ରସଙ୍ଗରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କ୍ରିୟାନୁଷ୍ଠାନ କମିଟିର ବୈଠକ ସଫଳ ହୋଇଛି। ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ନବୀନ ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଜିଲ୍ଲା ମାନ୍ୟତା ମିଳିବ ବୋଲି ବିଜେଡି ସଭାପତି ଭାବେ ନବୀନ ପ୍ରତିଶ୍ରୁତି ଦେଇଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ନବୀନ ବିଧିବଦ୍ଧ ଘୋଷଣା କରିନାହାନ୍ତି। ଏହି ପ୍ରସଙ୍ଗକୁ ବିଜେଡି ତା’ର ନିର୍ବାଚନ ଇସ୍ତାହାରରେ ସ୍ଥାନିତ କରିବାକୁ ପ୍ରତିଶ୍ରୁତି ଦେଇଛି। ସୂଚନା ଅନୁସାରେ, ପଦ୍ମପୁର ଉପଖଣ୍ଡକୁ ଜିଲା ମାନ୍ୟତା ଦେବା ପାଇଁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି। ଜିଲା ମାନ୍ୟତା ଦାବିକୁ ବିଜେଡି ପୂର୍ଣ୍ଣ ସମର୍ଥନ ଦେଇଛି। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣକ୍ରମେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ବରେ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ ଭୁବନେଶ୍ବର ଆସିଥିଲେ। ନବୀନ ନିବାସରେ ଦାବି ସମ୍ପର୍କରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନା ସଫଳ ହୋଇଥିବା କମିଟି ସଦସ୍ୟ ପ୍ରକାଶ କରିଛନ୍ତି। ପଦ୍ମପୁରକୁ ଜିଲା ମାନ୍ୟତା ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ସୂଚନାଯୋଗ୍ୟ, ଭୌେଗାଳିକ ସ୍ଥିତି ଦୃଷ୍ଟିରୁ ପଦ୍ମପୁର ଏକ ବଡ଼ ଅଞ୍ଚଳ। ତେଣୁ ଏଭଳି ଦାବି ପ୍ରତି ବିଜେଡିର ପୂର୍ଣ୍ଣ ସମର୍ଥନ ରହିଛି। ସେପଟେ ପଦ୍ମପୁର ଜିଲା କ୍ରିୟାନୁଷ୍ଠାନ କମିଟିକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଛଳନା ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ପଶ୍ଚିମ ଓଡିଶା ଲୋକଙ୍କୁ ମିଛ କୁହନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..