ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଆବଶ୍ୟକ ନ ଥିଲେ ସୁନା କିଣନା । ବିଦେଶ ଯାଇ ବାହାଘର ଭୋଜିଭାତ ଆୟୋଜନ କରି ଅଧିକ ଖର୍ଚ୍ଚ କରନା । ବିଦେଶ ଭ୍ରମଣରେ ନ ଯାଇ ଦେଶରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲ । ସ୍ୱଦେଶୀ ସାମଗ୍ରୀ କିଣି ଦେଶର ଅର୍ଥନୀତିକୁ ମଜବୁତ୍ କର ।’ ଅତୀତରେ କରିଥିବା ଆହ୍ୱାନକୁ ପୁଣିଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଦେଶରୁ ଏକ ଭିଡିଓ ବାର୍ତାରେ ଏକଥା ଦୋହରାଇଛନ୍ତି ମୋଦୀ ।ସଂଘାଇ ଶୀଖର ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବେ କିରଗିଜ୍ସ୍ଥାନର ବିଶେକରେ ଅବସ୍ଥାନ କରୁଛନ୍ତି । ମଙ୍ଗଳବାର ଏକ ଭିଡିଓ ବାର୍ତାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦେଶର ପ୍ରଗତି ପାଇଁ ସୁନା ନ କିଣିବା, ବିଦେଶଗସ୍ତରେ ନ ଯିବା, ବିଦେଶରେ ଆଡମ୍ବରପୂର୍ଣ୍ଣ ବିବାହ କାର୍ଯ୍ୟକ୍ରମ ନ କରିବାକୁ ଆହ୍ୱାନ ଦେଇଛନ୍ତି । ଦେଶର ଜିଡିପି ଅଭିବୃଦ୍ଧି ୭.୮% ଛୁଇଁବା ପରେ ମୋଦୀଙ୍କ ଏପରି ବାର୍ତା ବିଶେଷ ମହତ୍ୱ ରଖେ ବୋଲି ଅର୍ଥନୀତି ବିଶାରଦମାନେ ମତବ୍ୟକ୍ତ କରିଛନ୍ତି ।ବର୍ତମାନ ବିଶ୍ୱରେ ଯୁଦ୍ଧ ପରିସ୍ଥିତି ଯୋଗୁ ଚାରିଆଡେ ଅନିଶ୍ଚିତତା ଲାଗି ରହିଛି । ଏପରି ସ୍ଥଳରେ ଭାରତର ଜିଡିପିରେ ଅଭିବୃଦ୍ଧି ନିଶ୍ଚିତ ଭାବେ ଉତ୍ସାହପ୍ରଦ । ତେବେ ଏପରି ସ୍ଥଳେ ଦେଶବାସୀଙ୍କୁ ମିତବ୍ୟୟୀ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ବିଶେଷ ଗୁରୁତ୍ୱ ବହନ କରେ ।ଚଳିତବର୍ଷ ଭାରତରେ ସୁନାର ଆମଦାନୀ ବଢିଛି । ଏପ୍ରିଲ ମାସ ଭିତରେ ସୁନା ଆମଦାନୀରେ ୩୨% ବୃଦ୍ଧି ଘଟିଛି । ପେଟ୍ରୋଲିୟମ ପରେ ସୁନା ଆମଦାନୀରେ ଭାରତର ଅଧିକ ବୈଦେଶିକ ମୁଦ୍ରା ଖର୍ଚ୍ଚ ହେଉଛି । ଭାରତର ଯେତିକି ତୈଳ ଆବଶ୍ୟକତା ଅଛି ତାହାର ପ୍ରାୟ ୮୮% ବାହାର ଦେଶରୁ ଆମଦାନୀ କରାଯାଉଛି । ତେଣୁ ତୈଳ ଦରରେ ସାମାନ୍ୟ ବୃଦ୍ଧି ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ପ୍ରଭାବ ପକାଉଛି । ଠିକ୍ ସେମିତି ସୁନା ରେଟ୍ ବଢିଥିବା ବେଳେ ଅଧିକରୁ ଅଧିକ ସୁନା କିଣିବା ଦ୍ୱାରା ଅଧିକ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି । ଅନୁରୂପ ଭାବେ ବିଦେଶରେ ବିବାହ, ବର୍ଣ୍ଣାଢ୍ୟ ଭୋଜିଭାତର ଆୟୋଜନ ବା ବିଦେଶ ଭ୍ରମଣ ଦ୍ୱାରା ଭାରତୀୟମାନେ ବୈଦେଶିକ ମୁଦ୍ରାର ବ୍ୟବହାର କରୁଛନ୍ତି । ସେହି ମୁଦ୍ରା ଯଦି ଦେଶରେ ଖର୍ଚ୍ଚ ହୋଇପାରନ୍ତା, ତେବେ ଏଠାକାର ବ୍ୟବସାୟୀମାନେ ଲାଭବାନ ହୋଇପାରନ୍ତେ ଓ ଅର୍ଥନୀତିକୁ ବଳ ମିଳନ୍ତା ।ଗତ ମେ ମାସରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏପରି ଆହ୍ୱାନ ଦେଇଥିଲେ । ସେତେବେଳେ ଇରାନ-ଆମେରିକା ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିଲା । ତେଣୁ ଭାରତୀୟମାନଙ୍କୁ ଆର୍ଥିକ ମିତବ୍ୟୟୀ ହେବାକୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଥିଲେ । ବିଶ୍ୱ ଏବେ ଯୁଦ୍ଧ ବିଭୀଷିକା ଭିତରେ ଗତି କରୁଥିବା ବେଳେ ଅନେକ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । ଏହା ସତ୍ୱେ ଭାରତର ଅର୍ଥନୀତି ଆଗକୁ ବଢୁଛି ଯାହା ଏପ୍ରିଲ-ଜୁନ୍ ଜିଡିପି ଅଭିବୃଦ୍ଧିରୁ ପ୍ରତୀୟମାନ ହୋଇଛି । କିନ୍ତୁ ଏବେ ବି ପାଦେ ପାଦେ ବିପଦ ରହିଛି । ଯୁଦ୍ଧ ଲାଗି ରହିଛି, ପାଣିପାଗରେ ପରିବର୍ତନ ହେଉଛି, ମୁଦ୍ରାସ୍ଫୀତିରେ ବି ସନ୍ତୁଳନ ରକ୍ଷା କରାଯାଇପାରୁନାହିଁ । ତେଣୁ ସତର୍କ ନ ହେଲେ କୌଣସି ବି ସମୟରେ ଦେଶ ଆର୍ଥିକ ସଂକଟ ଭିତରକୁ ଚାଲିଯାଇପାରେ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀଙ୍କୁ ଏପରି ଅହ୍ୱାନ ଦେଇଥାଇପାରନ୍ତି ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତପ୍ରକଟ କରିଛନ୍ତି ।






More Stories
ଚିନିକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି…..
ପେଟ୍ରୋଲ୍ରେ ଇଥାନଲ ମାତ୍ରା ଦର୍ଶାଇବା ଆବେଦନ ଖାରଜ…..
ନେପାଳରେ ମୃତ୍ୟୁସଂଖ୍ୟା ୧ ହଜାର ପାର୍…..