ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭାରତ ଅଧ୍ୟକ୍ଷତାରେ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଗୁରୁ ଦାୟିତ୍ବ ମିଳିଛି । ସେ ପ୍ରମୁଖ ୧୯ ରାଷ୍ଟ୍ର ଓ ୟୁରୋପୀୟ ରାଷ୍ଟ୍ରସଂଘକୁ ନେଇ ଗଠିତ ଯୁବଗୋଷ୍ଠୀ (youth 20) ର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଓମ୍ ଆଗାମୀ ବର୍ଷ ଭାରତ ଓ ଅନ୍ୟ ଜି-୨୦ ରାଷ୍ଟ୍ରଗୁଡିକରେ ଆୟୋଜିତ ହେବାକୁ ଯାଉଥିବା ବିଭିନ୍ନ ପ୍ରାକ ସମ୍ମିଳନୀ, ଯୁବ ସଂଗୋଷ୍ଠୀ, ସାଂସ୍କୃତିକ କାର୍ୟ୍ୟକ୍ରମ ଓ ବୈଶ୍ବିକ ସମସ୍ୟାର ସମାଧାନ ନିମିତ୍ତ କାର୍ଯ୍ୟଶାଳାର ପରିଚାଳନା କରିବେ। ଓଡ଼ିଶାରେ ମଧ୍ୟ ଜି-୨୦ ର ଏଜେଣ୍ଡାକୁ ନେଇ ବିଶ୍ୱବିଦ୍ୟାଳୟ, ସରକାରୀ ଅନୁଷ୍ଠାନ ଓ ସାମାଜିକ ସଙ୍ଗଠନ ମାଧ୍ୟମରେ ଅନେକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ସେ କହିଛନ୍ତି, ଭାରତର ଜି-୨୦ ସଂଗଠନର ଅଧ୍ୟକ୍ଷତା ଏକ ସାର୍ବଜନୀନ ଏକତ୍ୱର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟକରିବ। ତେଣୁ ଆମର ମୂଳ ପ୍ରସଙ୍ଗ ହେଉଛି – “ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ”। ଏହା କେବଳ ଏକ ସ୍ଲୋଗାନ ନୁହେଁ। ଏହା ସମ୍ପ୍ରତି ମାନବୀୟ ପରିସ୍ଥିତିରେ ଘଟୁଥିବା ପରିବର୍ତ୍ତନକୁ ମଧ୍ୟ ପ୍ରଦର୍ଶିତ କରୁଛି ଯାହାକୁ ଆମେ ସାମୂହିକ ଭାବେ ସ୍ଵୀକାର କରିବାରେ ବିଫଳ ହୋଇଛୁ। ଆଜି ଆମେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏବଂ ବୈଶ୍ୱିକ ମହାମାରୀ ପରି ଯେଉଁ ବୃହତ୍ ବିପଦର ସାମ୍ନା କରୁଛୁ ତାହା ପରସ୍ପର ମଧ୍ୟରେ ବିବାଦରେ ଲିପ୍ତ ରହିଲେ କଦାପି ସମାଧାନ କରିହେବନାହିଁ, ବରଂ ମିଳିତ ଭାବେ ସେସବୁର ମୁକାବିଲା କରିବା ଆବଶ୍ୟକ। ଏନ.ଆଇ.ଟି ରାଉରକେଲାରୁ ସ୍ନାତକୋତ୍ତର ହାସଲ କରିଥିବା ଓମ୍ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରେଷ୍ଠ ଯୁବ ଲେଖକ ଭାବେ ସମ୍ମାନୀତ ହୋଇ ସାରିଛନ୍ତି। ଖୋର୍ଦ୍ଧାର ଜଣେ ଛାତ୍ରନେତା ଭାବେ ପରିଚିତ ଥିବା ଓମ୍ ଙ୍କୁ ଏକ ଆନ୍ତର୍ଜାତୀୟ ନେତୃତ୍ୱ ମିଳିଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।






More Stories
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….
ଓଏଏସ୍ ସ୍ତରରେ ଅଦଳ ବଦଳ…..