ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ରବିବାର କହିଛନ୍ତି ଯେ ଭାରତ ତା’ର ସୁରକ୍ଷା ବ୍ୟବସ୍ଥା ଖୁବ୍ କଡ଼ାକଡ଼ି କରିଛି ଏବଂ ଏଲ୍ଏସି ନିକଟରେ ଚୀନ୍ ପଟୁ ଯେକୌଣସି ଆହ୍ବାନ ଆସିଲେ ବି ତା’ର ମୁକାବିଲା କରିବା ପାଇଁ ଆମ ସେନା ସଦା ପ୍ରସ୍ତୁତ ରହିଛି। କର୍ଣ୍ଣାଟକର ବେଙ୍ଗାଲୁରୁରେ ବାର୍ଷିକ ସେନା ଦିବସ ପାଳନ ଅବସରରେ ଉଦ୍ବୋଧନ ଦେଇ ଜେନେରାଲ ପାଣ୍ଡେ କହିଛନ୍ତି ଯେ, ଉତ୍ତର ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ପ୍ରାୟ ସ୍ବାଭାବିକ ହୋଇ ଆସିଲାଣି ଏବଂ ଶାନ୍ତିରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଜେନେରାଲ ପାଣ୍ଡେ କହିଲେ ଯେ, ଗତବର୍ଷ ଭିତରେ ଆମ ସେନା ଅନେକ ସୁରକ୍ଷା-ସମ୍ବନ୍ଧିତ ଆହ୍ବାନର ସମ୍ମୁଖୀନ ହୋଇଛି। କିନ୍ତୁ ଦୃଢ଼ତାର ସହ ସେସବୁର ମୁକାବିଲା କରାଯାଇଛି। ଭବିଷ୍ୟତର ସମ୍ଭାବ୍ୟ ପରିସ୍ଥିତି ପାଇଁ ଆମେ ଅଧିକ ସତର୍କ ଓ ପ୍ରସ୍ତୁତ ହୋଇ ରହିଛୁ। ଆମ ସେନାର ଯୁଦ୍ଧକ୍ଷମତା ଓ ଦକ୍ଷତା ବୃଦ୍ଧି ପାଇଛି। ପାକିସ୍ତାନର ଛାୟାଯୁଦ୍ଧ ସମ୍ପର୍କରେ ସେନାମୁଖ୍ୟ କହିଲେ ଯେ, ପଶ୍ଚିମ ସୀମାନ୍ତରେ ଅସ୍ତ୍ରବିରତି ଉଲ୍ଲଂଘନ କମିଥିଲେ ମଧ୍ୟ ସୀମା ସେପଟେ ଆତଙ୍କବାଦୀ ଭିତ୍ତିଭୂମି ରହିଛି। ଅନେକ ପ୍ରକ୍ସି ଆତଙ୍କବାଦୀ ସଂଗଠନ ଟାର୍ଗେଟ୍ କରି ହତ୍ୟା କରୁଛନ୍ତି। ସେମାନଙ୍କର ସବୁ ଉଦ୍ୟମକୁ ପଣ୍ଡ କରିବା ପାଇଁ ଆମ ସେନା ପ୍ରତିବଦ୍ଧ। ଜମ୍ମୁ-କାଶ୍ମୀର ଜନସାଧାରଣ ହିଂସାପଥ ତ୍ୟାଗ କରି ଏବେ ସ୍ବାଭାବିକ ଜୀବନ ଆପଣେଇଲେଣି ବୋଲି ଜେନେରାଲ ପାଣ୍ଡେ କହିଥିଲେ।
More Stories
୩ ଆପ୍ ପାର୍ଷଦ ବିଜେପିରେ ଯୋଗଦେଲେ……
କୁମ୍ଭ ମେଳାର ଭକ୍ତ ଙ୍କୁ ନେଇ ରାଜନୀତି…..
ନରେନ୍ଦ୍ର ମୋଦୀଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଉପହାର….