ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପ୍ଙ୍କର ୭୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ପ୍ରଥମ ୩ ସନ୍ତାନଙ୍କ ମାଆ ହେଉଛନ୍ତି ଇଭାନା । ଗୁରୁବାର ଦିନ ଟ୍ରମ୍ପ୍ ନିଜେ ପ୍ରଥମ ପତ୍ନୀଙ୍କ ବିୟୋଗ ଖବର ପ୍ରକାଶ କରିଛନ୍ତି। ନିଜସ୍ବ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ପୂର୍ବତନ ରାଷ୍ଟ୍ରପତି ୭୬ ବର୍ଷିୟ ଡୋନାଲ୍ଡ୍ ଟ୍ରମ୍ପ୍ ଲେଖିଛନ୍ତି: ନ୍ୟୁୟର୍କ ନଗରୀସ୍ଥିତ ନିଜ ବାସଭବନରେ ଇଭାନା ଟ୍ରମ୍ପ୍ଙ୍କର ଦେହାନ୍ତ ହୋଇଯାଇଛି। ସେ ଥିଲେ ଅସାଧାରଣ ଏବଂ ପ୍ରେରଣାଦାୟୀ ଜୀବନଯାପନ କରୁଥିବା ଜଣେ ଚମତ୍କାର ମହିଳା। ୩ ସନ୍ତାନ ଓ ୧୦ଜଣ ନାତିନାତୁଣୀଙ୍କୁ ତାଙ୍କ ଅନୁପସ୍ଥିତି ଖୁବ୍ ଦୁଃଖ ଦେବ। ସେ ଆହୁରି ମଧ୍ୟ ଲେଖିଛନ୍ତି, ନିଜର ୩ ସନ୍ତାନ ଡୋନାଲ୍ଡ୍ ଜୁନିୟର୍, ଇଭାଙ୍କା ଏବଂ ଏରିକ୍ଙ୍କୁ ନେଇ ସେ ଖୁବ୍ ସନ୍ତୁଷ୍ଟ ଥିଲେ ଓ ଆନନ୍ଦ ଅନୁଭବ କରୁଥିଲେ। ସେମାନଙ୍କ ପାଇଁ ସେ ଗୌରବାନ୍ବିତ ମନେକରୁଥିବା ବେଳେ ଆମେ ବି ତାଙ୍କ (ଇଭାନା) ପାଇଁ ଗୌରବାନ୍ବିତ ହୋଇଥିଲୁ। ପୂର୍ବତନ ଚେକୋସ୍ଲୋଭାକିଆର କମ୍ୟୁନିଷ୍ଟ୍ ଶାସନରେ ବଢ଼ିଥିବା ମଡେଲ୍ ଇଭାନା ସେତେବେଳର ଉଦୀୟମାନ ‘ରିୟଲ୍ ଇଷ୍ଟେଟ୍ ଡେଭ୍ଲପର୍’ ଥିବା ଡୋନାଲଡ୍ ଟ୍ରମ୍ପ୍ଙ୍କୁ ୧୯୭୭ ମସିହାରେ ବିବାହ କରିଥିଲେ। ୯୦ ଦଶକର ଆଦ୍ୟଭାଗରେ ଉଭୟଙ୍କର ବିବାହ ବିଚ୍ଛେଦ ହେବା ପରେ ୧୯୯୩ରେ ଡୋନାଲ୍ଡ୍ ଟ୍ରମ୍ପ୍ ମ୍ୟାପ୍ଲ୍ସ୍ଙ୍କୁ ବିବାହ କରିଥିଲେ। ୧୯୯୯ରେ ମ୍ୟାପ୍ଲସ୍ଙ୍କୁ ଛାଡ଼ପତ୍ର ଦେଇ ୨୦୦୫ରେ ଟ୍ରମ୍ପ୍ ମେଲାନିଆଙ୍କୁ ବିବାହ କରିଥିଲେ। ବିବାହ ବିଚ୍ଛେଦ ପରେ ଇଭାନା ପୋଷାକପତ୍ର, ଅଳଙ୍କାର ଏବଂ ପ୍ରସାଧନ ସାମଗ୍ରୀ ବ୍ୟବସାୟ କରି ସଫଳ ହେବା ସହ କେତେଗୁଡ଼ିଏ ପୁସ୍ତକ ମଧ୍ୟ ରଚନା କରିଥିଲେ। ବାହାଘରର ବର୍ଷକ ପରେ ଜନ୍ମ ହୋଇଥିଲେ ଡୋନାଲ୍ଡ୍ ଜୁନିୟର୍। ୧୯୮୧ରେ ଜନ୍ମ ହୋଇଥିଲେ ଇଭାଙ୍କା ଏବଂ ୧୯୮୪ରେ ଏରିକ୍। ଏରିକ୍ ମଧ୍ୟ ଗୁରୁବାର ଦିନ ଇନ୍ଷ୍ଟାଗ୍ରାମ୍ରେ ମାଆଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେଥିରେ ସେ ଲେଖିଛନ୍ତି: ଆମ ମାଆ ଥିଲେ ଜଣେ ଚମତ୍କା ମହିଳା- ବ୍ୟବସାୟର ପ୍ରେରଣା, ଉତ୍କୃଷ୍ଟ କ୍ରୀଡ଼ାବିତ୍, ଅସାମାନ୍ୟା ସୁନ୍ଦରୀ, ସ୍ନେହୀ ମାଆ ଏବଂ ସାଥୀ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……