Report Card Odisha

| Daily Odia News

‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ବର

କିଂବଦନ୍ତି ହକି ଖେଳାଳି ମେଜର ଧ୍ୟାନ୍‌ଚାନ୍ଦଙ୍କ ଜନ୍ମଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ଗୁରୁବାର ରାଜ୍ୟସ୍ତରୀୟ ଉତ୍ସବ ଲୋକସେବାଭବନସ୍ଥିତ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ସଫଳ ବ୍ୟକ୍ତିବିଶେ‌ଷଙ୍କୁ ରାଜ୍ୟର ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି। ଖେଳାଳିରୁ ପ୍ରଶିକ୍ଷକ ପାଲଟିଥିବା ଅଲିମ୍ପିଆନ୍ ଲାଜରୁସ ବାର୍ଲାଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ପୁରସ୍କାର ମିଳିଥିଲା ବେଳେ ଏସୀୟ କ୍ରୀଡ଼ା ରୌପ୍ୟ ବିଜେତା ପ୍ୟାରିସ୍‌ ଅଲିମ୍ପିଆନ୍‌ କିଶୋର କୁମାର ଜେନା ପାଇଛନ୍ତି ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର। ଲାଜରୁସ ଓ କିଶୋରଙ୍କୁ ଯଥାକ୍ରମେ ୪ ଲକ୍ଷ ଓ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି। ୧୪ ବର୍ଷୀୟା ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ ‌ଶ୍ରେଷ୍ଠ ଉଦୀୟମାନ ଖେଳାଳି ଏବଂ ‘ପ୍ର‌ମେୟ’ର କଟକ ଜିଲ୍ଲା ପ୍ରତିନିଧି ସୁ‌କେଶ ରଂଜନ ବେ‌ହେରା ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବେ ପୁରସ୍କୃତ ହୋଇଛନ୍ତି। ଉଭୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଫଳକ ପ୍ରଦାନ କରାଯାଇଛି। ରୂପନ୍ବିତା ପଣ୍ଡାଙ୍କୁ ଶ୍ରେଷ୍ଠ ‌ଟେକ୍‌ନିକାଲ୍ ଅଫିସର୍‌, ବିଶ୍ବକପ୍‌ ବିଜେତା ଦୃଷ୍ଟିବାଧିତ କ୍ରିକେଟର୍ ମହମ୍ମଦ ଜାଫର ଇକ୍‌ବାଲ୍‌ଙ୍କୁ ଶ୍ରେଷ୍ଠ ପାରାକ୍ରୀଡ଼ାବିତ୍‌‌, ହକି ଗୁରୁ ବିଜୟ ଲାକ୍ରାଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ମିଳିଥିଲା ବେଳେ କ୍ରୀଡ଼ା ପ୍ରୋତ୍ସାହନ ଲାଗି ‘ନାଲ୍‌କୋ’କୁ ପୁରସ୍କୃତ କରାଯାଇଛି। ଏହି ସମସ୍ତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଟ୍ରଫି ଓ ମାନପତ୍ର ଦିଆଯାଇଛି। ଏହି ଉତ୍ସବରେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ଜୟନ୍ତୀ ମଲ୍ଲିକ ଓ ତାଙ୍କ ୧୨ ବର୍ଷର ପୁଅ ରୁଦ୍ର ମଲ୍ଲିକ। ଉଭୟ ନିଜ ଜୀବନକୁ ବାଜି ଲଗାଇ ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କର ଏହି ସାହସିକତା ପାଇଁ ୨ ଲକ୍ଷ ଟଙ୍କାର ଚେକ୍ ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି।

Breaking News