ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୩ ଶିକ୍ଷା ବର୍ଷରୁ ରାଜ୍ୟର ଶହେଟି ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ। ଏହି ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ଦ୍ୱଦଶ ଯାଏଁ ଅଧ୍ୟୟନ କରିବେ। ପ୍ରାଥମିକ ପର୍ଯ୍ୟାୟରେ ଏହି ବିଦ୍ୟାଳୟଗୁଡ଼ିକରେ କଳା ବିଭାଗ ଖୋଲିବାକୁ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଭାଗ ଖୋଲିବ। ତେବେ ଚିହ୍ନଟ ହୋଇଥିବା ଶହେଟି ସ୍କୁଲ ଉନ୍ନୀତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପ୍ରଜେକ୍ଟ ଅନୁମୋଦନ ବୋର୍ଡ଼ ରାଜ୍ୟର ଶହେଟି ହାଇସ୍କୁଲରେ ଯୁକ୍ତ ୨ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛି। ଚଳିତ ଶିକ୍ଷାବର୍ଷରୁ ନାମଲେଖା ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଚଳିତ ବର୍ଷରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବାରୁ ଆସନ୍ତା ବର୍ଷରେ ନାମଲେଖା ହେବ। ପ୍ରାଥମିକ ପର୍ଯ୍ୟୟରେ ଏହି ବିଦ୍ୟାଳୟରେ କଳା ବିଭାଗର ୧୨୮ଟି ଲେଖାଏଁ ସିଟ୍ ଖୋଲିବ। କହିବାକୁ ଗଲେ ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଛାତ୍ରଛାତ୍ରୀ ୧୨ ହଜାର ୮ଶହଟି ଅଧିକ ଯୁକ୍ତ ୨ କଳା ସିଟ୍ ପାଇବେ। ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଉନ୍ନତ ପାସ୍ ହାର ଓ ପୂର୍ବାପେକ୍ଷା ପିଲାଙ୍କ ସଫଳତାକୁ ଦୃଷ୍ଟିରେ ରଖି ବିଭାଗ ସିଟ୍ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିକଟରେ ଆବେଦନ କରାଯାଇଥିବାବେଳେ ମନ୍ତ୍ରଣାଳୟ ପ୍ରଥମେ ୪୩ ଓ ପରେ ୫୭ଟି ହାଇ ସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ ଲାଗି ଅନୁମତି ପ୍ରଦାନ କରିଥିଲା। ମନ୍ତ୍ରଣାଳୟର ଅନୋମୋଦନ ଅନୁଯାୟୀ ବଲାଙ୍ଗିରରେ ୬ଟି ହାଇ ସ୍କୁଲ ଯୁକ୍ତ ୨ କୁ ଉନ୍ନୀତ ହୋଇଥିବାବେଳେ ଦେବଗଡ଼ର ୪ଟି, ଗଞ୍ଜାମର ୮ଟି, କଳାହାଣ୍ଡିରେ ୭, କେନ୍ଦୁଝରରେ ୩, ମାଲକାନାଗିରିରେ ୫, ନବରଙ୍ଗପୁରର ୫, ଅନୁଗୋଳ, ବରଗଡ଼, କଟକ, ଗଜପତି ଓ ବୌଦ୍ଧ ଆଦିରେ ୨ ଲେଖାଏଁ, ସୁନ୍ଦରଗଡ଼ର ୬ ଆଦି ସମେତ ମୋଟ୍ ୩୦ ଜିଲ୍ଲାରେ ଶହେଟି ହାଇ ସ୍କୁଲ ଯୁକ୍ତ ୨କୁ ଉନ୍ନୀତ ହେବ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….