ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବର ବିଚ୍ ବଜାରରେ ଫୁଟିଛି ଗୁଳି । ଗୁଳିମାଡ଼ର ଶିକାର ହେଉଛନ୍ତି ରାଜନେତା। କିଛି ଦିନ ପୂର୍ବେ ପଞ୍ଜାବରେ ଜଣେ କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଏବେ ପୁଣି ଏକ ସମାନ ଘଟଣା ଘଟିଛି। ଏଥର ଗୁଳି ମାଡ଼ର ଶିକାର ହୋଇଛନ୍ତି ଶିରୋମଣି ଅକାଳି ଦଳର ଜଣେ ନେତା। ଏପରି ଏକ ଘଟଣା ପଞ୍ଜାବର ହୋଶିଆରପୁରରେ ଘଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ପୂର୍ବତନ ସରପଞ୍ଚ ସୁରଜିତ ସିଂ। ସୁରଜିତ ଗତକାଲି ନିଜ ଗାଁରେ ଏକ ତେଜରାତି ଦୋକାନ ସମ୍ମୁଖରେ ବସିଥିଲେ। ହଠାତ୍ ଦୁଇ ଯୁବକ ବାଇକ୍ରେ ସେଠାରେ ପହଞ୍ଚିଲା। ଏହାପରେ ସେମାନେ ସୁରଜିତ ସିଂଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହା ପୂର୍ବରୁ ଗତ ୧୮ ତାରିଖରେ ପଞ୍ଜାବର ମୋଗା ଜିଲ୍ଲାର କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ବଲଜିନ୍ଦର ସିଂ ଘରେ ନିଜ ହେୟାରକଟ କରୁଥିବା କିଛି ଲୋକ ଫୋନ୍ କରି ତାଙ୍କୁ ଘର ବାହାରକୁ ଡାକିଥିଲେ। ଉକ୍ତ ସମୟରେ ବାଇକ୍ରେ ଆସିଥିବା ଦୁଇ ଜଣ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..