Report Card Odisha

| Daily Odia News

ଧର୍ମ ପରିବର୍ତ୍ତନ କରିଥିବାରୁ ଘରରେ ପଡ଼ିରହିଛି ଶବ…..

ରିପୋର୍ଟ କାର୍ଡ / ନବରଙ୍ଗପୁର

ଘର ଭିତରେ ପଡ଼ିଛି ଶବ । ଶବ ସତ୍କାର ପାଇଁ ଗାଁ ଲୋକେ ଜାଗା ଦେବାକୁ ଅମଙ୍ଗ। ଉକ୍ତ ବ୍ୟକ୍ତିଜଣକ ଧର୍ମ ପରିବର୍ତ୍ତନ କରିଥିବାରୁ ଏବେ ତାଙ୍କ ମୃତଦେହ ଉପରେ ରାଗ ଶୁଝାଉଛନ୍ତି ଗ୍ରାମବାସୀ। ଫଳରେ ଗତ ୨୪ ଘଣ୍ଟା ହେଲା ମୃତଦେହ ଘରେ ପଡ଼ିଥିବା ବେଳେ ବାହାରୁଛି ପଚା ଗନ୍ଧ । ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ସତ୍ତ୍ୱେ ଏହାର ସମାଧାନ ହୋଇ ପାରୁନି। ଏପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ପଣ୍ଡିକୋଟ ଗାଁରେ ଘଟିଛି। ମୃତକ ହେଲେ ପଣ୍ଡିକୋଟ ଗାଁର ଡୋମୁ ଜାନୀ । ଗତକାଲି ସକାଳେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏ ମୃତଦେହ ଘରେ ପଡ଼ି ରହିଛି। ଡୋମୁ ଜାନୀଙ୍କ ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ। ଡୋମୁ ଜାନୀ ପୂର୍ବରୁ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ତେଣୁ ମୃତଦେହ ସତ୍କାର ନିମନ୍ତେ ଗାଁ ଶ୍ମଶାନରେ ଜାଗା ଦେଉ ନାହାନ୍ତି। ଡୋମୁ ଜାନୀଙ୍କ ପତ୍ନୀ ବାରମ୍ବାର ନେହୁରା ହେଲେ ବି ସେମାନଙ୍କ ହୃଦୟ ତରଳୁନି। ଏପରିକି ନିଜ ଜାଗାରେ ସ୍ୱାମୀଙ୍କ ଶେଷକୃତ୍ୟ କରିବାକୁ ଡୋମୁଙ୍କ ପତ୍ନୀ କହିବାରୁ ଏହାକୁ ବି ମନା କରିଦେଇଛନ୍ତି ଗ୍ରାମବାସୀ। ଖବର ପାଇ ଗତ ରାତିରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କ ସହ ବୈଠକ କରିଥିଲେ। ମାତ୍ର ତାହା ସଫଳ ହୋଇପାରିନି। ଫଳରେ ରାତି ସାରା ମୃତଦେହ ଘରେ ପଡ଼ି ରହିଛି। ଆଜି ପୁଣି ଥରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣାର ସମାଧାନ ପାଇଁ ଉଦ୍ୟମ କରିବ ବୋଲି ଜଣାଯାଇଛି। ପ୍ରାୟ ୨୪ ଘଣ୍ଟା ରୁ ଉର୍ଦ୍ଧ ହେବ ଶବ ଘରେ ପଡିରହିଥିବା ବେଳେ ପଡ଼ୋଶୀ ରନ୍ଧାବଢ଼ା କରି ନ ପାରି ଅଖିଆ ଅପିଆ ପଡ଼ି ରହିଛନ୍ତି। ଏଥିସହ ଶବରୁ ଦୁର୍ଗନ୍ଧ ବାହାରୁଥିବାରୁ ତୁରନ୍ତ ସତ୍କାର ନିମନ୍ତେ ପଡ଼ୋଶୀ ଦାବି କରିଛନ୍ତି।

Breaking News