Report Card Odisha

| Daily Odia News

ଜଳୁଛି ଶିମିଳିପାଳ…..

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ଜଳୁଛି । ଆଜି ଉତ୍ତର ଶିମିଳିପାଳର ଗୁରୁଗୁଡ଼ିଆ ଏବଂ ତାଳବନ୍ଧ ରେଞ୍ଜର ୪ଟି ସ୍ଥାନରେ ଅଭୟାରଣ୍ୟର ଶୁଖିଲା ଗଛପତ୍ର ଜଳୁଛି। ଏହି ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ ଲାଗି ବଡ଼ ଚାଲେଞ୍ଜ ହୋଇଛି। ଜଙ୍ଗଲ ନିଆଁ ନିର୍ବାପିତ ପାଇଁ ୭୦୦ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଏହାକୁ ଆୟତ୍ତ କରିବା ପାଇଁ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହେଇଥିଲେ। ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ୬୦୦ଟି ସଚେତନତା ରାଲି ଏବଂ ୬୦ଟି ମିଳିତ ମକଡ୍ରିଲ କରାଯାଇଥିଲା। ଚଳିତ ବର୍ଷ ଶିମିଳିପାଳର ୪ଟି ପଏଣ୍ଟରେ ପ୍ରଥମ ନିଆଁ ଲାଗି ଥିବାରୁ ଶୁଖିଲା ପତ୍ର ହୁ ହୁ ହୋଇ ଜଳି ଯାଉଥିବାବେଳେ ନିଆଁର ଆଁ ଭିତରେ ଛୋଟ ବଡ଼ ଗଛ ମଧ୍ୟ ଜଳି ଯାଉଛି। ବନ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରି ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡ଼ ଚଢ଼ି ପାରମ୍ପାରିକ ପ୍ରଣାଳୀ ସହ ବ୍ଲୋୟର ମେସିନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା କାର୍ଯ୍ୟରେ ୭୦୦ ବନ କର୍ମଚାରୀ ନିୟୋଜିତ ଥିବାବେଳେ ୫୦୦ଟି ନିଆଁଲିଭା ବ୍ଲୋୟର ମେସିନ ଥିବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏମ୍ ଜଗାନନ୍ଦ ସୂଚନା ଦେଇଛନ୍ତି। ସୂଚନା ଥାଉକି ମୟୂରଭଞ୍ଜ ଜିଲା ଅଧୀନ ଶିମିଳିପାଳ ଅଭୟାରଣ୍ୟରେ ୫୫ ପ୍ରଜାତିର ପଶୁ, ୩୦୪ ପ୍ରଜାତିର ପକ୍ଷୀ ଏବଂ ୧୦୭୬ ପ୍ରକାରର ବୃକ୍ଷ ଦେଖିବାକୁ ମିଳେ। ଏବେ ଏହି ବନ୍ୟଜନ୍ତୁ, ବୃକ୍ଷରାଜି ଓ ବିରଳ ଔଷଧୀୟ ଗୁଳ୍ମ ବିପଦରେ ଅଛନ୍ତି।

 

Breaking News