ରିପୋର୍ଟ କାର୍ଡ / ପୁରୀ
ଆଜି ଶ୍ରୀହରିଶୟନ ଏକାଦଶୀ । ରଥ ଉପରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ସୁନାବେଶ ହେବେ | ମହଣ ମହଣ ସୁନାରେ ଆଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ଏହି ଆକର୍ଷଣୀୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତାକୁ ଦୃଷ୍ଟିରେ ରଖି ୧୯୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସମେତ ପ୍ରାୟ ୨ହଜାର ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ରଥ ଚତୁଃପାର୍ଶ୍ବ ଏବଂ ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଉଥିବା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି। ରଥ ଉପରେ ଦାରୁବ୍ରହ୍ମଙ୍କ ସନ୍ଧ୍ୟା ଆଳତି ନୀତି ପରେ ଏକାଦଶୀ ସର୍ବାଙ୍ଗ କରାଯିବ। ଅପରାହ୍ଣ ୫ଟାରେ ଆରମ୍ଭ ହେବ ସୁନାବେଶ। ବିଭିନ୍ନପ୍ରକାର ସୁନା ଅଳଙ୍କାରରେ ମହାପ୍ରଭୁଙ୍କୁ ବେଶ କରାଯିବ। ସନ୍ଧ୍ୟା ସୁଦ୍ଧା ବେଶ ଶେଷ ହେବା କାର୍ଯ୍ୟକ୍ରମ ରହିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ବ୍ୟାରିକେଡ୍ କରାଯାଇଛି। ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ଦେଇ ରଥ ସମ୍ମୁଖରେ ପହଞ୍ଚିବେ। ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଅପରପାର୍ଶ୍ବ ଦେଇ ପ୍ରତ୍ୟାବର୍ତ୍ତନ କରିବେ। ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସୁରକ୍ଷା ବଳ ସମେତ କୁଇକ୍ ରେସପନ୍ସ ଟିମ୍ ନିୟୋଜିତ କରାଯାଇଛି। ଚଳିତବର୍ଷ ଶ୍ରୀମାର୍ଗକୁ ଲୋକଙ୍କ ଯାତାୟାତ ପାଇଁ ବ୍ୟବହାର କରାଯିବ ବୋଲି ଏସ୍ପି ଶ୍ରୀ ମିଶ୍ର କହିଛନ୍ତି। ସୁନାବେଶରେ ଥାଇ ରଥ ଉପରେ ପ୍ରଭୁଙ୍କ ସନ୍ଧ୍ୟା ଧୂପ, ମହାଦୀପ ବନ୍ଦାପନା କରାଯିବ। ରାତି ୧୦ଟା ପରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ସୁନାବେଶ ମଇଲମ କରାଯିବା କାର୍ଯ୍ୟକ୍ରମ ରହିଛି। ରାତିରେ ପ୍ରଭୁଙ୍କୁ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ କରାଯିବା ସହ ହରିଶୟନ ନୀତି ଅନୁଷ୍ଠିତ ହେବ।
More Stories
ଗଣମାଧ୍ୟମ ଚ୍ୟାନେଲ କୁ ସରକାରଙ୍କର ୯ ନିର୍ଦ୍ଦେଶ…..
କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨ IPS ଅଫିସର….
ମେ’ ୧୫ରୁ ୨୦ ମଧ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ…..