ରିପୋର୍ଟ କାର୍ଡ / ବାଲିଅନ୍ତା/ପୀତବାସ ଦାଶ
ରାଜ୍ୟସରକାର ଜନ ସାଧାରଣଙ୍କ ଯାତାୟାତ ସୁବିଧା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି| ବାଲିଅନ୍ତା ବ୍ଲକ୍ ଜୟଦେବ ପଞ୍ଚାୟତ ଫିରିଫିରା ଗ୍ରାମ ନିକଟରେ ଅଡ଼ଶପୁର କୁ ସଂଯୋଗ କରୁଥିବା ପ୍ରାଚୀ ନଦୀ ରେ ନିର୍ମିତ ସେତୁ ଠାରୁ ଟଙ୍କପାଣି ଗ୍ରାମ ନିକଟରେ ଭୁବନେଶ୍ଵର କୁ ସଂଯୋଗ କରୁଥିବା କୁଆଖାଇ ନଦୀ ଉପରେ ନିର୍ମିତ ସେତୁ ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ପଡ଼ିଥିବାରୁ ସେହି ରାସ୍ତା ଉପରେ ନିର୍ଭର କରୁଥିବା ୮ଟି ପଞ୍ଚାୟତର ଜନସାଧାରଣ ଏବଂ ଦୁରଦୁରାନ୍ତର ରୁ ଆସୁଥିବା ଶହଶହ ବାଟୋଇ ଯାତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଟଙ୍କପାଣି ଠାରୁ ଫିରିଫିରା ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ୧୨ କିମି ରାସ୍ତାଟି ମରାମତି ଅଭାବରୁ ଏବେ ଖାଲଖମାରେ ପରିପୂର୍ଣ ହୋଇଛି|ଫଳରେ ଉକ୍ତ ରାସ୍ତା ଦେଇ ଲୋକେ ଯାତାୟାତ କରିବା କଷ୍ଟକର ହୋଇପଡିଛି|ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ଲୋକେ ଭୁବନେଶ୍ୱର କୁ ଯାତାୟାତ କରିବା ସହ ଜୟଦେବ ପୀଠ କୁ ଉକ୍ତ ରାସ୍ତା ଦେଇ ଯିବାକୁ ପଡୁଛି |

ଜୟଦେବ ପଞ୍ଚାୟତ ଫିରିଫିରା ଗ୍ରାମ,ପ୍ରତାପରୁଦ୍ରପୁର ପଞ୍ଚାୟତ ପଶୁ ଚିକିତ୍ସାଳୟ,ଜୟଦେବ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ,ହୋମିଓ ପାଥିକ ମେଡ଼ିକାଲ ସମ୍ମୁଖ,ମିଛୁମରା ଛକ୍କ, କାକରୁଦ୍ରପୁର ଗ୍ରାମ କୁଶଭଦ୍ରା ନଦୀ ସେତୁ ର ଉଭୟ ପାର୍ଶ୍ବ ରାସ୍ତା, କାକରୁଦ୍ରପୁର ପଞ୍ଚାୟତ ସମ୍ମୁଖ, ବ୍ରାହ୍ମଣ ଷଡ଼ଙ୍ଗୀ ଛକ୍କ, ବାଲିଚତରା ଛକ୍କ, ଅନ୍ଧୋଟି ଛକ୍କ , ଦଣ୍ଡିଲୋ ଛକ୍କ, ନାୟର୍ ପେଟ୍ରୋଲ ପମ୍ପ ସମ୍ମୁଖ, ଟୋଲକପଡ଼ା ଠାରୁ ରଙ୍ଗ ବଜାର ରାସ୍ତାରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ସେଥିରେ ବର୍ଷା ପାଣି ଜମିବା କାରଣରୁ ଯାତାୟାତ କରୁଥିବା ଲୋକେ ଖାଲ ସମ୍ପର୍କରେ ସଠିକ୍ ଆକଳନ କରିନପାରି ଦୁର୍ଘଟଣା ର ଶିକାର ହେଉଛନ୍ତି| ଉକ୍ତ ରାସ୍ତା ଦେଇ ଶହଶହ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଯିବା ଆସିବା କରୁଥିବାରୁ ଅଭିଭାବକ ମନରେ ଭୟ ରହୁଛି |ଉକ୍ତ ରାସ୍ତା ରେ ସମସ୍ତ ଜରୁରୀକାଳୀନ ସେବା ଗାଡ଼ି, ତହସିଲଦାର , ବିଡ଼ିଓ, ସମସ୍ତ ବିଭାଗର ଅଧିକାରୀ ଙ୍କ ଗାଡ଼ି, ପୋଲିସ୍ ଗାଡ଼ି, ଆମ ବସ୍ ଚଳାଚଳ କରୁଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ସ୍ତରରେ ରାସ୍ତାର ଉନ୍ନତି ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉ ଥିବା ବେଳେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଜନସାଧାରଣ ମାନଙ୍କ ପ୍ରତି ଗୁରୁତ୍ବ ଦିଆଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି|ଉକ୍ତ ରାସ୍ତା ର ଦୂରାବସ୍ଥା କୁ ନେଇ ପ୍ରାୟ ୬ ପଞ୍ଚାୟତ ର ସ୍ଥାନୀୟ ସରପଞ୍ଚ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଲିଖିତ ଅଭିଯୋଗ କରିଛନ୍ତି |ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ଵ ଦେବା ସହ ରାସ୍ତାର ମରାମତି କାର୍ଯ୍ୟ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ତାର ସହ ଦାବି କରିଛନ୍ତି।






More Stories
୧୮ରୁ ଖୋଲିବ ସ୍କୁଲ୍….
ହୀରାକୁଦରେ ହେବ ବିଶ୍ବସ୍ତରୀୟ ଖଣି ସଂଗ୍ରହାଳୟ…..
ବିଜେପି ତାଲିକାରେ ଆପ୍ର ୭ ସାଂସଦ…..