ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରେ ବିଦ୍ୟୁତ୍ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଓ ବିପର୍ଯ୍ୟୟ-ସହନଶୀଳ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ବିଶେଷ କରି ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିଝଡ଼ ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ୍ ସେବା ପ୍ରଭାବିତ ହେଉଥିବାରୁ, ଏହାକୁ ରୋକିବା ପାଇଁ ୯,୭୫୫.୮୧ କୋଟି ଟଙ୍କାର ଏକ ବିଶାଳ ପ୍ରକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ‘ଜାତୀୟ ବିପର୍ଯ୍ୟୟ ନିବାରଣ ପାଣ୍ଠି’ (NDMF) ଅଧୀନରେ ଦାଖଲ କରାଯାଇଛି। ଏହି ପ୍ରସ୍ତାବିତ ମୋଟ ବ୍ୟୟବରାଦ ମଧ୍ୟରୁ ବିଦ୍ୟୁତ୍ ବିତରଣ କ୍ଷେତ୍ର ପାଇଁ ୬,୦୦୦ କୋଟି ଟଙ୍କା ଏବଂ ସଞ୍ଚାରଣ କ୍ଷେତ୍ର ପାଇଁ ୩,୭୫୫.୮୧ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରଖାଯାଇଛି। ଉପକୂଳ ଓଡ଼ିଶାରେ ବାରମ୍ବାର ଆସୁଥିବା ସାମୁଦ୍ରିକ ଝଡ଼ ଓ ଘୂର୍ଣ୍ଣିଝଡ଼ ସମୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୁଏ ବିଦ୍ୟୁତ୍ ଭିତ୍ତିଭୂମି। ଖୁଣ୍ଟ ଭାଙ୍ଗିବା ଓ ତାର ଛିଣ୍ଡିବା ଯୋଗୁଁ ଦିନ ଦିନ ଧରି ବିଦ୍ୟୁତ୍ ସେବା ବ୍ୟାହତ ହୋଇଥାଏ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ୍। ଏହି ବୃହତ୍ ଯୋଜନା ମାଧ୍ୟମରେ ବିଦ୍ୟୁତ୍ ଲାଇନ୍ଗୁଡ଼ିକୁ ଭୂତଳ ତାରରେ ପରିଣତ କରାଯିବ। ଏହାସହ ବାତ୍ୟା ସହ୍ୟ କରିପାରୁଥିବା ସାଇକ୍ଲୋନ୍-ରେଜିଲିଏଣ୍ଟ ଟ୍ରାନ୍ସମିଶନ ଓ ବିତରଣ ବ୍ୟବସ୍ଥା ନିର୍ମାଣ କରାଯିବ। କେବଳ ସେତିକି ନୁହେଁ, ଅତ୍ୟାଧୁନିକ ସବ୍-ଷ୍ଟେସନ୍ ସ୍ଥାପନ ସହ ହସ୍ପିଟାଲ, ପାନୀୟ ଜଳ ଯୋଗାଣ ଭଳି ଜରୁରୀକାଳୀନ ସେବାଗୁଡ଼ିକୁ ପ୍ରାକୃତିକ ଦୁର୍ବିପାକ ସମୟରେ ବି ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଏହି ପ୍ରକଳ୍ପରେ ଗୁରୁତ୍ୱ ଦିଆଯାଇଛି।






More Stories
ଆଜି ମିଳିବ ସିଏମ୍-କିଷାନ ସହାୟତା ରାଶି…..
୨୨ରୁ ବିଧାନସଭା ଅଧିବେଶନ…..
୧୪ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପଦୋନ୍ନତି……