ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଭିଡ ଟିକାକରଣ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୧୫୦ କୋଟି ପାନ ଟିକାଦାନ କରି ଭାରତ ଏହି କିର୍ତ୍ତିମାନ ସ୍ଥାପନ କରିଛି । ଶୁକ୍ରବାର ଦିନ ୨ଟା ସୁଦ୍ଧା ଦେଶରେ ୧୫୦ କୋଟିରୁ ଅଧିକ ପାନ ଟିକାଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଐତିହାସିକ ଉପଲବ୍ଧି ହାସଲ ପରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂତନ ବର୍ଷର ପ୍ରଥମ ସପ୍ତାହ ତଥା ପ୍ରଥମ ମାସରେ ଦେଶ ଏହି ସଫଳତା ହାସଲ କରିଛି । ଏହା ଦେଶବାସୀଙ୍କର ସାମର୍ଥ୍ୟର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ୧୫ରୁ ୧୮ ବର୍ଷ କିଶୋରଙ୍କ ଟିକାକରଣରୁ ଦେଶ ନୂଆ ବର୍ଷର ଆରମ୍ଭ କରିଥିଲା। ଆଜି ବର୍ଷର ପ୍ରଥମ ସପ୍ତାହରେ ଭାରତ ୧୫୦ କୋଟି ଭ୍ୟାକସିନ୍ ପ୍ରଦାନ କରି ଐତିହାସିକ ସଫଳତା ହାସଲ କରିଛି। ଏହାସହ ମୋଦି କହିଛନ୍ତି, ଆଜି ଭାରତର ବୟସ୍କ ଜନସଂଖ୍ୟାର ୯୦ ପ୍ରତିଶତରୁ ଅଧିକ ଲୋକେ କରୋନା ଭ୍ୟାକସିନ୍ର ପ୍ରଥମ ଡୋଜ ନେଇସାରିଛନ୍ତି । ଏହି ଉପଲବ୍ଧି ସାରା ଦେଶର ଏବଂ ଦେଶବାସୀଙ୍କର । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ବିଶେଷ କରି ଦେଶର ବୈଜ୍ଞାନିକ, ଟିକା ନିର୍ମାତା ଏବଂ ସ୍ବାସ୍ଥ୍ୟ କ୍ଷେତ୍ର ସହ ଜଡିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୨୦୨୧ ଜାନୁଆରୀ ୧୬ ତାରିଖରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କ ସହ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଥିଲା । ୨୦୨୧, ମାର୍ଚ୍ଚ ୧ରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା । ଏଥିରେ ୬୦ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଯେଉଁମାନେ ଗୁରୁତର ରୋଗରେ ଆକ୍ରାନ୍ତ ସେମାନଙ୍କୁ ଟିକା ଦିଆଯାଇଥିଲା । ମେ ୧, ୨୦୨୧ରେ ଦେଶରେ ସାର୍ବଜନୀନ ଟିକାକରଣ ଆରମ୍ଭ ହୋଇଥିଲା । ଏଥିରେ ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ଟିକା ପ୍ରଦାନ ଆରମ୍ଭ ହୋଇଥିଲା । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ରୁ ୧୮ ବର୍ଷ କିଶୋରଙ୍କ ଟିକାକରଣ ଆରମ୍ଭ ନେଇ ଘୋଷଣା କରିଥିଲେ । ୨୦୨୨ ଜାନୁଆରୀ ୩ରୁ ଦେଶରେ କିଶୋରଙ୍କ ଟିକାକରଣ ଆରମ୍ଭ ହୋଇଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……