ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାକିରି ଓ ଶିକ୍ଷା କ୍ଷେତ୍ରରେ ମରାଠା ସମ୍ପ୍ରଦାୟଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆଜି ସୁପ୍ରିମ୍ କୋର୍ଟ ବେଆଇନ ଘୋଷଣା କରି କହିଛନ୍ତି ଯେ, ମହାରାଷ୍ଟ୍ରର ଏହି ଆଇନ ‘ସମାନତା ଅଧିକାର’ ଉଲ୍ଲଂଘନ କରୁଛି। ମହାରାଷ୍ଟ୍ରରେ ମରାଠାମାନଙ୍କ ପାଇଁ ୧୬% ସଂରଣକ୍ଷ ଦେବା ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ନିରସ୍ତ୍ର କରିଦେଇଛନ୍ତି। ଗତ ମାର୍ଚ୍ଚ ୨୬ରେ ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି ଶେଷ କରିଥିବାବେଳେ ସଂରକ୍ଷିତ ରଖିଥିବା ରାୟକୁ ଆଜି ପ୍ରକାଶ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ଇନ୍ଦିରା ସାହନୀ ମାମଲାରେ ପୁନର୍ବାର ବିଚାର କରିବାର ଆବଶ୍ୟକତା ନାହିଁ। ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ, ମରାଠା ସମ୍ପ୍ରଦାୟଙ୍କୁ ୧୬% ସଂରକ୍ଷଣ ଦିଆଗଲେ ସଂରକ୍ଷଣର ଅଧିକତମ ସୀମା (୫୦%) ଅତିକ୍ରମ କରୁଛି, ଯାହା ଅସାମ୍ବିଧାନିକ। ମାମଲାର ଶୁଣାଣି କରିଥିବା ସାମ୍ବିଧାନିକ ଖଣ୍ଡପୀଠରେ ବିଚାରପତି ଅଶୋକ ଭୂଷଣଙ୍କ ବ୍ୟତୀତ ବିଚାରପତି ଏଲ. ନାଗେଶ୍ଵର ରାଓ, ବିଚାରପତି ଏସ. ଅବଦୁଲ ନଜୀର, ବିଚାରପତି ହେମନ୍ତ ଗୁପ୍ତା ଓ ଏସ. ରବୀନ୍ଦ୍ର ଭଟ୍ଟ ସାମିଲ ଅଛନ୍ତି। ସଂରକ୍ଷଣ ସୀମା ୫୦% ଅତିକ୍ରମ କରିବା ସମାନତାର ମୌଳିକ ଅଧିକାର ବିରୋଧୀ ବୋଲି ଖଣ୍ଡପୀଠ କହିଛନ୍ତି। ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି ଶୁଣାଇ କହିଛନ୍ତି, ମରାଠାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସୀମା ଅତିକ୍ରମ କରିବା ପାଇଁ ଗାଏକ୍ୱାଡ ଆୟୋଗ କିମ୍ବା ହାଇକୋର୍ଟଙ୍କ ପାଖରେ କୌଣସି ଠୋସ୍ ଆଧାର ନ ଥିଲା। ଏଭଳି କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇନାହିଁ, ଯେଉଁଥିପାଇଁ ସଂରକ୍ଷଣ ସୀମା ୫୦%ରୁ ଅଧିକ କରାଯିବା ଦରକାର। ମରାଠା ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷଣୀୟ ଏବଂ ସାମାଜିକ ସ୍ତରରେ ପଛୁଆ କରାଯାଇପାରିବ ନାହିଁ। ସୂଚନାଯୋଗ୍ୟ, ଏହା ପୂର୍ବରୁ ବମ୍ବେ ହାଇକୋର୍ଟ ମହରାଷ୍ଟ୍ରର ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରି କ୍ଷେତ୍ରରେ ମରାଠା ସମ୍ପ୍ରଦାୟଙ୍କୁ ସଂରକ୍ଷଣ ଦେବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଥିଲେ।
More Stories
ଭୂକମ୍ପରେ ଥରିଲା ନେପାଳ…..
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….
ରୁଷରେ ୯/୧୧ ଭଳି ଆକ୍ରମଣ,ଶିଶୁ ସମେତ ୬ ମୃତ…..