Report Card Odisha

| Daily Odia News

ପଶ୍ଚିମବଙ୍ଗ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ…..

ରିପୋର୍ଟ କାର୍ଡ / କୋଲକାତା

ହୃଦ୍‌ଘାତ ଯୋଗୁଁ ‘ତୃଣମୂଳ କଂଗ୍ରେସ’ ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପଞ୍ଚାୟତ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଗୁରୁବାର ସୁବ୍ରତ ମୁଖାର୍ଜୀ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି | ପଞ୍ଚାୟତ ସହ ସେ ମଧ୍ୟ ଅନ୍ୟ ତିନୋଟି ବିଭାଗ ଦାୟିତ୍ୱରେ ଥିଲେ। ଶ୍ୱାସପ୍ରଶ୍ୱାସ କ୍ରିୟାରେ ଅସୁବିଧା ହେତୁ ଅକ୍ଟୋବର ୨୪ ତାରିଖରେ ସୁବ୍ରତ ମୁଖାର୍ଜୀଙ୍କୁ ରାଷ୍ଟ୍ରାୟତ ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୁବ୍ରତ ମୁଖାର୍ଜୀ ସୁସ୍ଥ ହୋଇ ଆସିଥିଲେ ଏବଂ ତାଙ୍କୁ ଡାକ୍ତରଖାନାରୁ ‘ଡିସ୍‌ଚାର୍ଜ’ କରାଯିବାକୁ ଯୋଜନା କରାଯାଉଥିବା ବେଳେ ଗୁରୁବାର ରାତି ୯.୨୨ରେ ସେ ପୁଣି ଥରେ ଭୀଷଣ ହୃଦ୍‌ଘାତର ସରବ୍ୟ ହୋଇଥିଲେ। ଏ ସପ୍ତାହ ପ୍ରାରମ୍ଭରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। କାଳୀଘାଟସ୍ଥିତ ବାସଭବନରେ କାଳୀପୂଜା କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁବ୍ରତ ମୁଖାର୍ଜୀଙ୍କୁ ଦେଖିବା ଲାଗି ଡାକ୍ତରଖାନାକୁ ଯାଇ ଫେରିବା ପରେ ଘୋଷଣା କରିଥିଲେ କି, ସୁବ୍ରତ ଆଉ ନାହାନ୍ତି। ସେ କହିଛନ୍ତି, ଜୀବନରେ ମୁଁ ଅନେକ ବିୟୋଗାନ୍ତ ଘଟଣା ଦେଖିଛି କିନ୍ତୁ, ଏଇ ଗୋଟିକ ଅତୀବ ବିୟୋଗାନ୍ତ। ଆଗାମୀକାଲି ତାଙ୍କୁ ହସ୍ପିଟାଲ୍‌ରୁ ‘ଡିସ୍‌ଚାର୍ଜ’ କରାଯିବ ବୋଲି ମୁଁ ଶୁଣିଥିଲି। ସେ ଆଉ ଆମ ଗହଣରେ ନାହାନ୍ତି ବୋଲି ତଥାପି ମୋର ବିଶ୍ୱାସ ହେଉନାହିଁ। ସେ ଥିଲେ ଦଳର ଜଣେ ଉତ୍ସର୍ଗୀକୃତ ନେତା। ତାଙ୍କ ମୃତ୍ୟୁ ମୋ ପାଇଁ ଗୋଟାଏ ବ୍ୟକ୍ତିଗତ କ୍ଷତି। ସୁବ୍ରତ ମୁଖାର୍ଜୀ ଥିଲେ ‘କାଲ୍‌କାଟା ମୁନିସ୍‌ପାଲ୍‌ କର୍ପୋରେସନ୍‌’ର ପ୍ରଥମ ମେୟର୍‌। ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା ପୂର୍ବରୁ ସେ କଂଗ୍ରେସର ଜଣେ ବିଶିଷ୍ଟ ନେତା ଥିଲେ। ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ସମ୍ପର୍କ ନିବିଡ଼ ଥିଲା। ଆଜି ତାଙ୍କ ଶବକୁ ରାଷ୍ଟ୍ରାୟତ ଅଡିଟରିୟମ୍‌ ‘ରବୀନ୍ଦ୍ର ସଦନ’କୁ ନିଆଯାଇ ଜନତାଙ୍କ ଶେଷ ସମ୍ମାନ ପ୍ରଦର୍ଶନାର୍ଥେ ରଖାଯିବ। ପରେ ସେଠାରୁ ତାଙ୍କ ମରଶରୀରକୁ ତାଙ୍କର ବାଲିଗୁଞ୍ଜେ ବାସଭବନକୁ ନିଆଯାଇ ସେଠାରୁ ପୁଣି ତାଙ୍କ ଭିଟାମାଟିକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

Breaking News