ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟରେ ଚଳିତ ବର୍ଷ ଖଣି ରାଜସ୍ବ ବଢ଼ିବା ସହିତ ଦ୍ରବ୍ୟ ଓ ସେବାକର (ଜିଏସ୍ଟି) ଆଦାୟ ବୃଦ୍ଧି ପାଇଛି। ପୂର୍ବରୁ ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟ୍ ପାଇଁ ସେପ୍ଟେମ୍ବରରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସବୁ ବିଭାଗଠାରୁ ବିବରଣୀ ଲୋଡ଼ାଯାଇଥିଲା। ବିଭାଗଗୁଡ଼ିକ କେନ୍ଦ୍ରୀୟ ଯୋଜନା ଏବଂ ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନା ବାବଦ ବିବରଣୀ ପଠାଇଛନ୍ତି। ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟ୍ ପାଇଁ କେତେ ପ୍ରତିଶତ ଅର୍ଥ ବଢ଼ିବ ତାହା ଆକଳନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗି ପଠାଯାଇଛି। ସରକାରଙ୍କ ଅନୁମୋଦନ ପରେ ରାଜ୍ୟପାଳଙ୍କ ନିକଟକୁ ତାରିଖ ପାଇଁ ଦିନ ଧାର୍ଯ୍ୟ ଲାଗି ପଠାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଚଳିତମାସ ଶେଷ ଆଡ଼କୁ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। ଯେଉଁସବୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି ତାକୁ ସମ୍ପୂର୍ଣ୍ଣ କରିବାପାଇଁ ଗୁରୁତ୍ବ ଦିଆଯିବ। ଅର୍ଥ ବିଭାଗର ତଥ୍ୟ ଅନୁଯାୟୀ ଚଳିତବର୍ଷ ମାତ୍ର ୪ମାସ ମଧ୍ୟରେ ଖଣିଜ ରାଜସ୍ବ ବାବଦକୁ ୧୩ହଜାର କୋଟି ଟଙ୍କା ମିଳିଥିବାବେଳେ ଏବେ ଏହା ବଢ଼ି ୨୦କୋଟି ପାର୍ କରିଛି। ଏହି ପରିମାଣ ଚଳିତବର୍ଷ ୩୦ହଜାର କୋଟି ଛୁଇଁବାର ସମ୍ଭାବନା ରହିଛି। ଅଣଟିକସ କ୍ଷେତ୍ରରୁ ରାଜ୍ୟ ସରକାର ପ୍ରାୟ ୧୦ରୁ ୧୨ ହଜାର କୋଟି ଟଙ୍କା ପାଇବାକୁ ଆଶା ରଖିଛନ୍ତି। ଚଳିତବର୍ଷ ଦ୍ରବ୍ୟ ଏବଂ ସେବାକର କ୍ଷେତ୍ରରୁ ଆଶାନୁରୂପକ କର ଆଦାୟ ହୋଇଛି। ଗତବର୍ଷ ଅପେକ୍ଷା ୪୯ ପ୍ରତିଶତ ଅଧିକ ଅର୍ଥ ଆଦାୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କିଭଳି ତୁରନ୍ତ ଶେଷ ହେବ ତା’ ଉପରେ ସରକାର ଗୁରୁତ୍ବ ଦେବେ। ୨୦୧୯-୨୦ ଆର୍ଥିକ ବର୍ଷର କ୍ଷତିପୂରଣ ଲାଗି ୨୦୨୦-୨୧ ବର୍ଷରେ ଜିଏସଟି କ୍ଷତି ପୂରଣ ବାବଦକୁ ସାଢ଼େ ୬ହଜାର କୋଟି ଟଙ୍କା ମିଳିଥିବା ବେଳେ ଚଳିତବର୍ଷ ମଧ୍ୟ ୧୪%ରୁ ଊର୍ଦ୍ଧ୍ବ ପରିମାଣର ଜିଏସଟି କ୍ଷତି ହୋଇଥିବାରୁ କେନ୍ଦ୍ର ସରକାରଙ୍କଠାରୁ କ୍ଷତିପୂରଣ ବାବଦକୁ ସମାନ ଅର୍ଥ ପାଇବାକୁ ଓଡ଼ିଶା ହକଦାର। ଭାରତ ସରକାରଙ୍କ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ଯୋଜନାର ଅନୁଦାନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ୨୦୧୯-୨୦ ଏବଂ ୨୦୨୦-୨୧ ବର୍ଷ ଅପେକ୍ଷା ରାଜ୍ୟରେ ଖର୍ଚ୍ଚ ପରିମାଣ ବଢ଼ିଛି। ହେଲେ ରାଜ୍ୟର ରାଜସ୍ବ ଯେଉଁ ହାରରେ ବଢ଼ୁଛି ସେହି ତୁଳନାରେ ଖର୍ଚ୍ଚ ହୋଇପାରୁନାହିଁ। ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ରାଜ୍ୟକୁ ଯେତିକି ଅର୍ଥ ଆସୁଛି ତାହାକୁ ଠିକଣା ସମୟରେ ବିନିଯୋଗ ହୋଇପାରୁ ନାହିଁ। ତେଣୁ ଚଳିତବର୍ଷ ଖର୍ଚ୍ଚ ବଢ଼ାଇବା ଉପରେ ସରକାର ଜୋର ଦେଇଛନ୍ତି। ଚଳିତବର୍ଷ ପଞ୍ଚାୟତ ନିର୍ବାଚନ ଏବଂ ଆସନ୍ତାବର୍ଷ ପୌର ନିର୍ବାଚନ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଯୋଜନା ଏବଂ ଅଣଯୋଜନା ବାବଦ ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି। ସବୁ ପଞ୍ଚାୟତରେ ପାନୀୟ ଜଳପ୍ରକଳ୍ପ ନିର୍ମାଣ ତ୍ବରାନ୍ବିତ କରାଯିବ। ସ୍ବାସ୍ଥ୍ୟ ଭିତ୍ତିଭୂମି କିଭଳି ସୁଦୃଢ଼ ହୋଇପାରିବ ଏବଂ ଆଗାମୀ ଦିନରେ ଓଡ଼ିଶା ସ୍ବାସ୍ଥ୍ୟ କ୍ଷେତ୍ରରେ କିଭଳି ଅଗ୍ରଣୀ ରାଜ୍ୟ ପାଲଟିବ ତାହାହିଁ ସରକାରଙ୍କ ଲକ୍ଷ୍ୟ। ସେହିପରି ପୌରାଞ୍ଚଳରେ ପାନୀୟଜଳ ପ୍ରକଳ୍ପ ଓ ଅନ୍ୟାନ୍ୟା ଭିତ୍ତିଭୂମି ସୁଦୃଢ଼ କରିବାକୁ ସରକାର ଯୋଜନା ରଖିଛନ୍ତି। କେତେକ କ୍ଷେତ୍ରରେ ଯୋଜନା ବାବଦ ଅର୍ଥ ଉଠାଇ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ବ୍ୟାଙ୍କରେ ଦୀର୍ଘଦିନ ଧରି ଠୁଳ କରୁଥିବାରୁ ସରକାରଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏହାକୁ ଅର୍ଥ ବିଭାଗ ଗୁରୁତର ସହ ଗ୍ରହଣ କରି ଅତିରିକ୍ତ ବଜେଟରେ ସେଭଳି କୌଣସି ବରାଦ ଯେଭଳି ସ୍ଥାନ ନପାଏ ସେଥିପ୍ରତି ଦୃଷ୍ଟି ଦେବାକୁ ତାଗିଦା କରିଛି। ଅତିରିକ୍ତ ବଜେଟରେ ରାଜ୍ୟର ବହୁତ ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଥିବା ଜଣାଯାଇଛି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……