ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସକୁ ଆୟକର ବିଭାଗ ପୁଣି ୧୮୨୩ କୋଟି ଟଙ୍କାର ନୋଟିସ ପଠାଇଛି। ଟିକସ ପୁନର୍ମୂଲ୍ୟାୟନ ବିରୋଧରେ କଂଗ୍ରେସ ଦଳର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ଦଳକୁ ୧୮୦୦ କୋଟିରୁ ଅଧିକ ଟଙ୍କାର ନୋଟିସ୍ ଦିଆଯାଇଛି। ୨୦୧୭-୧୮ ଓ ୨୦୨୦-୨୧ ଆକଳନ ବର୍ଷ ପାଇଁ ଏହି ନୋଟିସ୍ ଜାରି କରାଯାଇଛି ଏବଂ ଏଥିରେ ଜରିମାନା ଓ ସୁଧ ସାମିଲ ଅଛି। ଏହାପରେ କଂଗ୍ରେସ ୧୮୨୩.୦୮ କୋଟି ଟଙ୍କାର ଟିକସ ନୋଟିସ୍ ପାଇବାକୁ ନିଶ୍ଚିତ କରିବା ସହ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବା ପାଇଁ ବିଜେପି ଟିକସ ଆତଙ୍କବାଦ କରୁଛି ବୋଲି ଅଭିଯୋଗ କରିଛି। ଏହି ନୋଟିସ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପି ଉପରେ ବର୍ଷିଛନ୍ତି | ବିଜେପି ମୋଦି ଗ୍ୟାରେଣ୍ଟୀ ନାରା ଦେଇ ପ୍ରଚାର କରୁଥିବା ବେଳେ ଏବେ ରାହୁଲ ଗାନ୍ଧିଙ୍କ ଗ୍ୟାରେଣ୍ଟୀ ସାମ୍ନାକୁ ଆସିଛି। ଯେତେବେଳେ କଂଗ୍ରେସ ସରକାର କ୍ଷମତାକୁ ଫେରିବ, ସେତେବେଳେ ଗଣତନ୍ତ୍ରର ଧଜିଆ ଉଡ଼ାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାହୁଲ କହିଛନ୍ତି। ସେ ଏକ୍ସରେ ଗୋଟିଏ ପୋଷ୍ଟ କରି କହିଛନ୍ତି, “ଯେବେ ସରକାର ବଦଳିଯିବ ସେତେବେଳେ ଗଣତନ୍ତ୍ରର ଚରିତ୍ର ହରଣ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯେମିତି ହେଲେ ଗ୍ରହଣ କରାଯିବ। କାର୍ଯ୍ୟାନୁଷ୍ଠାନ ଏମିତି ଗ୍ରହଣ କରାଯିବ ଯେମିତି ଆଗକୁ କେହି ବି ଏପରି କାମ କରିବାକୁ ସାହାସ କରିବେ ନାହିଁ। ଏହା ମୋର ଦେଶବାସୀଙ୍କୁ ଗ୍ୟାରେଣ୍ଟୀ।” ସେ ଏହି ପୋଷ୍ଟ ସହ ବିଜେପି ଟିକସ ଆତଙ୍କବାଦ କରୁଥିବା ମଧ୍ୟ ହ୍ୟାଶଟ୍ୟାଗ ବ୍ୟବହାର କରିଛନ୍ତି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..