ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଜାରିରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ | ଅସ୍ତଵ୍ୟସ୍ଥ ହେଉଛି ଜୀବନଯାତ୍ରା। ଆଗକୁ ଆହୁରି ତାତି ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମାସ ଶେଷ ବେଳକୁ ତାପମାତ୍ରା ୪୫ କିମ୍ବା ୪୬ ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି। ଆଜିଠାରୁ ୪ଦିନ ପର୍ଯ୍ୟନ୍ତ ଦିନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୂଭତ ହେବ। ରାତିରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ହୋଇପାରେ। ଆସନ୍ତା ୫ଦିନ ମଧ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୨୭ ତାରିଖରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିପାରେ। ଏଥିପ୍ରତି ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମଙ୍ଗଳବାର ରାଜ୍ୟର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ସବୁଠୁ ଅଧିକ ୪୨.୮ଡିଗ୍ରୀ ରେକର୍ଡ ହୋଇଛି। ନୟାଗଡ଼ରେ ୪୨.୨ ଡିଗ୍ରୀ ଥିବାବେଳେ ୧୮ ସହରରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଗ୍ରୀଷ୍ମପ୍ରବାହ ବଳବତ୍ତର ରହିଥିବାବେଳେ କଟକରେ ତାପମାତ୍ରା ୩୮.୨ ଡିଗ୍ରୀକୁ ଖସି ଆସିଛି। ପାରାଦ୍ୱୀପରେ ଦିନ ତାପମାତ୍ରା ୩୮.୮ଡିଗ୍ରୀ ରେକର୍ଡ କରାଯାଇଛି। ଦିନରେ ଗ୍ରୀଷ୍ମପ୍ରବାହ ଜାରି ରହିଲେ ମଧ୍ୟ ଅପରାହ୍ଣରେ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଏବଂ ନୟାଗଡ ଜିଲାର କେତେକ ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହ ଝଡବର୍ଷା ହୋଇପାରେ। ଏସବୁ ଜିଲ୍ଲାଗୁଡିକରେ ଅପରାହ୍ଣରୁ ଉଷ୍ଣ-ଆର୍ଦ୍ର ସ୍ଥିତିରୁ ରକ୍ଷା ମିଳିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ଏନେଇ ସତର୍କ ରହିବାକୁ ଏସଆରସି ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।






More Stories
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……
ହାଜତ ମୃତ୍ୟୁର ରିପୋର୍ଟ ମାଗିଲେ NHRC…..
ବଢିଲା ବସ୍ ଭଡ଼ା…..