Report Card Odisha

| Daily Odia News

ଜେଲରେ ମୋ ସ୍ୱାମୀଙ୍କୁ ମାରିବାକୁ ଷଡଯନ୍ତ୍ର ଚାଲିଛି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘ଜେଲ୍‌ ଭିତରେ ମୋ ସ୍ୱାମୀଙ୍କୁ ମାରିଦେବାକୁ ଚେଷ୍ଟା ଚାଲିଛି। ତାଙ୍କୁ ଇନ୍‌ସୁଲିନ୍‌ ଦିଆଯାଉ ନାହିଁ।’ ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଅଲାଏନ୍ସର ଉଲଗୁଲାନ ରାଲିରେ ଯୋଗ ଦେଇ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ। ବିରୋଧୀ ଦଳ ‘ଇଣ୍ଡିଆ’ ଅଲାଏନ୍ସ ପକ୍ଷରୁ ରବିବାର ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ରାଲି କରି ଶକ୍ତି ପ୍ରଦର୍ଶନ କରିଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତୃତ୍ୱରେ ଆୟୋଜିତ ଏହି ଉଲଗୁଲାନ ରାଲିରେ ଯୋଗଦେଇ ରଣହୁଙ୍କାର ଦେଇଛନ୍ତି ସୁନୀତା କେଜ୍ରିଓ୍ୱାଲ। ସେ କହିଛନ୍ତି, ମୋ ସ୍ୱାମୀର କ’ଣ ଭୁଲ୍‌ ଥିଲା? ତାଙ୍କୁ କାହିଁକି ଜେଲକୁ ପଠାଗଲା? ଅରବିନ୍ଦ କେଜ୍ରିୱାଲଙ୍କ କ୍ଷମତା ପାଇଁ ଇଚ୍ଛା ନାହିଁ। ସେ କେବଳ ଦେଶର ସେବା କରିବାକୁ ଚାହୁଁଛନ୍ତି। ସେ ଦେଶକୁ ଏକ ନମ୍ବର କରିବାକୁ ଚାହୁଁଛନ୍ତି। ଅନେକ ଲୋକ କୁହନ୍ତି ଯେ ଏହା କଷ୍ଟକର। ସେ ଜେଲରେ ଥାଇ ମଧ୍ୟ କେବଳ ଦେଶ ପାଇଁ ଚିନ୍ତା କରୁଛନ୍ତି। ଏହି ସମୟରେ ସୁନୀତା ଜେଲର ତାଲା ଭାଙ୍ଗିବ, ଅରବିନ୍ଦ କେଜ୍ରିୱାଲ ଓ ହେମନ୍ତ ସୋରେନ ମୁକ୍ତ ହେବେ ବୋଲି ନାରା ଦେଇଥିଲେ। ଏଥିସହ ସେ ତିହାର ଜେଲ ପ୍ରଶାସନ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କେଜ୍ରିଓ୍ୱାଲଙ୍କୁ ଜେଲ୍‌ ଭିତରେ ହିଁ ମାରିଦେବାକୁ ଷଡଯନ୍ତ୍ର ଚାଲିଥିବା ସୁନୀତା ଅଭିଯୋଗ କରିଛନ୍ତି। କେଜ୍ରିଓ୍ୱାଲ ଜଣେ ଡାଏବେଟିସ୍‌ ରୋଗୀ। ସେ ଗତ ୧୨ ବର୍ଷ ଧରି ପ୍ରତିଦିନ ୫୦ ୟୁନିଟ ଇନସୁଲିନ ନେଉଛନ୍ତି। କିନ୍ତୁ ତାଙ୍କୁ ଜେଲରେ ଇନସୁଲିନ ଦିଆଯାଉ ନାହିଁ। ସେମାନେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ହେଲେ କେଜ୍ରିଓ୍ୱାଲ ବେଶ୍‌ ସାହସୀ ଅଟନ୍ତି। ସେ ସିଂହ। ସେ ଜେଲ୍‌ରେ ଥାଇ ମଧ୍ୟ ‘ଭାରତ ମାତା’ ବିଷୟରେ ଚିନ୍ତା କରୁଛନ୍ତି ବୋଲି ସୁନୀତା କହିଛନ୍ତି। ରାଞ୍ଚିରେ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ରବିବାର ‘ଇଣ୍ଡିଆ’ ମିଳିତ ମେଣ୍ଟ ଶକ୍ତି ପ୍ରଦର୍ଶନ କରିଛି।

Breaking News