Report Card Odisha

| Daily Odia News

ନାମାଙ୍କନ ଦାଖଲ କଲେ ମନ୍ମଥ-ଅପରାଜିତାଙ୍କ ସମର୍ଥକ ମୁହାଁମୁହିଁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡିର ମନ୍ମଥ ରାଉତରାୟ | ଆଜି ବିରାଟ ଶୋଭାଯାତ୍ରାରେ ନିଜ ହଜାର ହଜାର ସମର୍ଥକଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ତେବେ ନାମାଙ୍କନ ଦାଖଲ ବେଳେ ଉଭୟ ପ୍ରାର୍ଥୀଙ୍କ ସମର୍ଥକ ମୁହାଁମୁହିଁ ହୋଇଥିବା ବେଳେ କିଛି ସମୟ ପାଇଁ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଜି ସକାଳେ ପ୍ରଥମେ ନିଜ ବାସଭବନରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସମର୍ଥକଙ୍କ ସହ ମା’ ଭୁଆଷୁଣି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ନିଜ ସମର୍ଥକଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଏକ ଖୋଲା ଜିପ୍‌ରେ ଯାଇଥିଲେ। ଏହି ସମୟରେ ଅପରାଜିତା ଏକ ବିଶାଳ ରୋଡ ଶୋ’ କରିଥିବା ବେଳେ ତାଙ୍କର ହଜାର ହଜାର ସମର୍ଥକ ଏଥିରେ ସାମିଲ ହୋଇଥିଲେ। ସେହିପରି ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଭୁଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଥିଲେ ମନ୍ମଥ। ତେବେ ନାମାଙ୍କନ ଦାଖଲ ପୂର୍ବରୁ ମନ୍ମଥ ଲିଙ୍ଗରାଜ ମନ୍ଦିରରୁ ଦୌଡ଼ି ଦୌଡ଼ି ଜଟଣୀରେ ପହଞ୍ଚିଥିଲେ। ଏହାପରେ ଗୋଡ଼ିପୋଖରୀ ଛକରୁ ନିଜ ସମର୍ଥକଙ୍କ ସହ ଶଗଡ଼ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସମର୍ଥକମାନେ ପାଇକ ବେଶରେ ସଜ୍ଜିତ ହୋଇଥିବା ବେଳେ ଶଙ୍ଖ ଧ୍ୱନିରେ ଚତୁଃର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଥିଲା।

Breaking News