ରିପୋର୍ଟ କାର୍ଡ / ପୁରୀ
ରଥଯାତ୍ରା ପୂର୍ବରୁ ପୁରୀରେ ବ୍ୟାପିଛି ଝାଡାବାନ୍ତି। ଦୁଇ ମହିଳାଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ସମ୍ମୁଖ ବରାହୀ ଲେନ୍, ଶ୍ୱେତଗଙ୍ଗା ଲେନ୍ ଏବଂ ଶ୍ୟାମାକାଳୀ ସାହିର ବହୁ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କେତେକ ପରିବାରରେ ଦୁଇ ତିନିଜଣ ଲେଖାଏଁ ସଂକ୍ରମିତ ହୋଇଥିବା ଜଣାପଡିଛି। ବରାହୀ ଗଳିର ଦାମୋଦର ପଣ୍ଡା ଏବଂ ଶ୍ୱେତଗଙ୍ଗା ଲେନ୍ର ଶଶୀମଣି ଦାସୀଙ୍କ ମୃତ୍ୟୁ ହୋଇଛି। ଶ୍ୟାମାକାଳୀ ସାହିର ଆଉ ଜଣେ ମହିଳାଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଛି ସଂକ୍ରମିତ ଜିଲ୍ଲା ଯକ୍ଷ୍ମା ଓ ସଂକ୍ରାମକ ରୋଗ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି ବ୍ୟକ୍ତି ଘରୋଇ ନର୍ସିଂହୋମ ଏବଂ ଘରେ ରହି ଚିକିତ୍ସିତ ହେଉଛନ୍ତି। ରାସ୍ତାତଳ ଦେଇ ଯାଇଥିବା ପାନୀୟ ଜଳ ଯୋଗାଣ ପାଇପ୍ରେ ନଳାପାଣି ଏବଂ ପଙ୍କ ମିଶୁଥିବାରୁ ଦୂଷିତ ପାଣି ବ୍ୟବହାର କରି ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି। ତିନିଜଣଙ୍କ ଜୀବନ ଯିବା ପରେ ୱାଟକୋ ଅଧିକାରୀଙ୍କ ଚେତା ପଶିଛି। ଶନିବାର ଶ୍ୱେତଗଙ୍ଗା ଲେନ୍ର ଦୁଇଟି ସ୍ଥାନ ଖୋଳାଯାଇ ନଳାପାଣି ମିଶୁଥିବା ପାନୀୟଜଳ ପାଇପ୍ ଚିହ୍ନଟ କରାଯାଇଛି। ସେଠାରେ ନୂଆ ପାଣି ପାଇପ୍ ପକାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ତିନିଦିନ ତଳୁ ଏହି ତିନୋଟି ଜନବସତିରେ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡିଛି।
Discussion about this post