Report Card Odisha

| Daily Odia News

ବିଜୁ ବାବୁଙ୍କ ସ୍ମୃତିରେ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ବିଜୟାନନ୍ଦ ପଟ୍ଟନାୟକ ( ବିଜୁ ବାବୁ) (୦୫-୦୩-୧୯୧୬- ୧୭-୦୪-୧୯୯୭) ଙ୍କର ୨୫ ତମ ଶ୍ରାଦ୍ଧ ଦିବସ ରେ ତାଙ୍କର ସ୍ମତି ପ୍ରତି କୋଟି ପ୍ରଣାମ ଜଣାଉଛି । ଓଡ଼ିଶା ଇତିହାସ ର ସଠିକ୍ ଭାବେ ଗର୍ଭାନୁଶୀଳନ କଲେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ପରିଲକ୍ଷିତ ହୁଏ ଯେ ଓଡ଼ିଆ ଜାତି ଯଦି କୌଣସି ଦିବଙ୍ଗତ ଙ୍କ ସ୍ମତି ପ୍ରତି ସର୍ବାନ୍ତକରଣ ରେ ସର୍ବାଧିକ କୃତଜ୍ଞତା ଜ୍ଞାପନ କରିଛି , ସେ ହେଉଛନ୍ତି ସ୍ବର୍ଗତ ବିଜୁ ପଟ୍ଟନାୟକ । ଏପରିକି ଐର ଖାରବେଳ ଙ୍କ ଠାରୁ କପିଳେନ୍ଦ୍ର ଦେବ , କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଠାରୁ ସନ୍ଥ କବି ଭୀମ ଭୋଇ , ସନ୍ଥ ଅରକ୍ଷିତ ଙ୍କ ଠାରୁ ସନ୍ଥ ଅଚ୍ୟୁତ, ଯଶୋବନ୍ତ, ଜଗନ୍ନାଥ, ଅନନ୍ତ ବଳବନ୍ତ ମାନଙ୍କ ଠାରୁ ଶତଶତ ଗୁଣରେ ଅଧିକ । ଜୀବଦ୍ଦଶାରେ ଅସୀମ ବିବାଦୀୟ ଙ୍କୁ ଅଵର୍ତ୍ତମାନ ରେ ପ୍ରବାଦୀୟ ସମ୍ମାନ ଦେଇଛି ଓଡ଼ିଆ ଜାତି । ସମଗ୍ର ବିଶ୍ବ ର ନିର୍ବାଚନ ଇତିହାସ ରେ ଏକ କଳଙ୍କିତ ଇତିହାସ ସୃଷ୍ଟି କରି ଗୋଟିଏ ନିର୍ବାଚନ ରେ ଜଣେ ବ୍ୟକ୍ତି ପାଞ୍ଚ ଟି ନିର୍ବାଚନ ମଣ୍ଡଳୀ ରେ ପ୍ରତିଦ୍ବନ୍ଦ୍ବିତା କରି ପାଞ୍ଚ ଟିରେ ପରାଜୟ ହେବାର ଇତିହାସ ପୃଥିବୀର କେଉଁଠି ମିଳିବ ନାହିଁ । ଐର ଖାରବେଳଙ୍କ ପ୍ରତିମୂର୍ତ୍ତି ଟିଏ ବା କପିଳେନ୍ଦ୍ର ଦେବ ଙ୍କ ଭଳି ଏ ଜାତି ର ଚିର ବନ୍ଦନୀୟ ପ୍ରାତଃ ସ୍ମରଣୀୟ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଟିଏ କେଉଁଠି ଖୋଜିବାକୁ ପଡ଼ିବ , ପାଇବା ପାଇଁ ସଂସ୍କୃତି ବିଭାଗ ପ୍ରଦତ୍ତ ତଥ୍ୟ ଖୋଜିବାକୁ ପଡ଼ିବ , ମାତ୍ର ଓଡ଼ିଶାର ସର୍ବତ୍ର ଦେଖିବାକୁ ମିଳେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି । ସରକାରୀ ଯୋଜନା ସମୂହ ର ଶୀର୍ଷକ ଦେଖିଲେ ବିଜୁ ଯୁବ ସଶକ୍ତି କରଣ ଯୋଜନା,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା,ବିଜୁ ସେତୁ ଯୋଜନା,ବିଜୁ ଗାଁ ଗାଡି ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ବିଜୁ ଶିଶୁ ସୁରକ୍ଷା ଯୋଜନା,ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା, ବିଜୁ କନ୍ୟା ରତ୍ନ ଯୋଜନା, ବିଜୁ ପକ୍କାଘର ଯୋଜନା, ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ଭଳି ଅନେକ ଯୋଜନା ତାଙ୍କ ନାମ ରେ ନାମିତ କରି ଓଡ଼ିଶା ଶାସନ ବ୍ୟବସ୍ଥା କୃତଜ୍ଞତା ଜ୍ଞାପନ କରିଛି । କେବଳ ଯୋଜନା ନୁହେଁ,ବିଜୁ ବାବୁ ଙ୍କ ନାମରେ ଭୁବନେଶ୍ଵର ବିମାନ ବନ୍ଦର ଠାରୁ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ,ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ର ତାଲିକା ପ୍ରଲମ୍ବିତ । ସେହିପରି ତାଙ୍କ ନାମ ରେ ଅନେକ ପୁରସ୍କାର , ଏପରିକି ତାଙ୍କର ଜନ୍ମ ଦିନ ମାର୍ଚ୍ଚ ୫ ତାରିଖ କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଇ ଆସୁଛି । ଏପରିକି ବିଗତ ୨୫ ବର୍ଷ ଭିତରେ ଓଡ଼ିଶା ବାସୀ ମତ ଅଧିକାର ସାବ୍ୟସ୍ତ କରିବା ସମୟରେ ପ୍ରମାଣ କରାଇ ଦେଇଛନ୍ତି ଯେ ସ୍ବର୍ଗତ ବିଜୁ ପଟ୍ଟନାୟକ , ଜୀବନ୍ତ ବା ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ଙ୍କ ଠାରୁ ଅଧିକ ବନ୍ଦନୀୟ, ଶକ୍ତିଶାଳୀ , ପ୍ରଭାବଶାଳୀ । ଜୀବିତ ବିଜୁ ବାବୁ ଙ୍କୁ ଅଢେ଼ଇ ବର୍ଷିଆ ମୁଖ୍ୟମନ୍ତ୍ରୀ ର ପୂର୍ଣକାଳୀନ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ୨୭ ବର୍ଷ ସମୟ ନେଇଥିଲେ , ମାତ୍ର ସ୍ବର୍ଗତ ବିଜୁ ବାବୁ ଙ୍କୁ କ୍ରମାଗତ ଭାବରେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ କରାଇଛନ୍ତି ଏବଂ ତାଙ୍କର ହିମାଳୟ ଠାରୁ ଅଧିକ ଉଚ୍ଚ ର ଅଧୁରା ସ୍ବପ୍ନ ର ସ୍ବରୂପ ଜାଣିବା ପାଇଁ ଭାବେଆମେ ସ୍ବର୍ଗତ ବିଜୁ ବାବୁ ଙ୍କ ସହିତ ଆମର ଛାତ୍ର ଜୀବନ ରୁ (୧୯୭୪) ମସିହା ରୁ ଥିଲୁ ପରିଚିତ , ଏପରିକି ୧୯୮୦ ମସିହାରେ ତାଙ୍କର ନିର୍ଦ୍ଦେଶ ରେ ଏକ ଉଚ୍ଚ ବେତନ ଭୋଗି ଚାକିରି ଛାଡ଼ି ଥିଲୁ । ପରବର୍ତ୍ତୀ ସମୟରେ ୧୯୮୪ ମସିହା ରୁ ୧୯୯୭ ପର୍ଯ୍ୟନ୍ତ ତାଙ୍କ ସହିତ ମତାନ୍ତର ଏବଂ ପରସ୍ପର ମଧ୍ୟରେ ବୌଦ୍ଧିକ ସଂଘର୍ଷ ର ଇତିହାସ ବ୍ୟାପକ ଓ ଅନାଲୋଚିତ , ଯାହା ଏଠାରେ ଉପସ୍ଥାପନ କରିବା ପାଇଁ ପ୍ରାସଙ୍ଗିକତା ଅନୁଭବ କରୁନାହୁଁ । ବିଜୁ ବାବୁଙ୍କ ଜୀବଦ୍ଦଶାରେ ଓ ଦିବଙ୍ଗତ ପରେ ମଧ୍ୟ ବିଜୁ ବାବୁ ଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ସନ୍ନିବେଶିତ ଆଲେଖ୍ୟ ପ୍ରକାଶ ପାଇନାହିଁ ବୋଲି ଆମର ନିଜସ୍ୱ ମତ । ବିଭିନ୍ନ ସମୟରେ ତାଙ୍କ ସମ୍ପର୍କରେ ପ୍ରକାଶିତ ଜୀବନାଲେଖ୍ୟ ସମୂହ କୁ ଉପଜିଵ୍ୟ କରି ଯଦି ଏକ ଆଲେଖ୍ୟ ପ୍ରକାଶ ପାଏ , ତେବେ ବୋଧେ ଠିକ୍ ଏହିପରି ହେବ –
“ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତିତ୍ୱ ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭକରିଥିଲା । ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ଯାଏଁ ପଦବୀରେ ରହିଥିଲେ । କଂଗ୍ରେସ ପାର୍ଟିକୁ ପୁଣି ସତେଜ କରିବା ପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ବିଜୁ ବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ରେ ହୋଇଥିବା ରାଜ୍ୟ ସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ ନପାଇବାରୁ ସେ କଂଗ୍ରେସ ପାର୍ଟି ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂତନ ଦଳ କରିଥିଲେ।
୧୯୭୧ ବିଧାନ ସଭା ମତଦାନରେ ତାଙ୍କ ପାର୍ଟି ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା । ବିଜୁ ବାବୁ ତା ପରେ ତାଙ୍କ ପୁରୁଣା ସାଙ୍ଗ ଜୟପ୍ରକାଶ ନାରାୟଣଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ରେ ଜେ.ପି ମୁଭମେଣ୍ଟରେ ଯୋଗ ଦେଇଥିଲେ । ୧୯୭୫ରେ ଯେତେବେଳେ ଜରୁରି କାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ । ୧୯୭୭ରେ ସେ ମୁକୁଳିଳେ ଓ ଲୋକ ସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରପଡ଼ାରୁ ନିର୍ବାଚିତ ହେଲେ। ୧୯୭୯ ବେଳେ ସେ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣି ମନ୍ତ୍ରୀ ରହିଥିଲେ । ୧୯୮୦ରେ ବିଜୁ ବାବୁ ଲୋକ ସଭାକୁ ନିର୍ବାଚିତ ହେଲେ ଏବଂ ପୁଣିଥରେ ୧୯୯୬ରେ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥଲେ । ବିଜୁ ବାବୁଙ୍କ ରାଜନୈତିକ ଦୃଷ୍ଟିକୋଣ ମୁଖ୍ୟତଃ ସମାଜବାଦ ଏବଂ ସଂଘୀୟ ରାଷ୍ଟ୍ର ଶାସନ ଉପରେ ଦୃଢ଼ିଭୁତ ଥିଲା । ସେ ଦୃଢ଼ ଭାବରେ ସବୁ ରାଜ୍ୟ ପାଇଁ ଓକିଲତି କରୁଥିଲେ ଏବଂ କହୁଥିଲେ ସବୁ ରାଜ୍ୟମାନଙ୍କୁ ଦରକାର ଅନୁସାରେ ସମାନ ସାଧନ ଦିଆଯିବା ଉଚିତ । ନେହେରୁ ତାଙ୍କୁ ସ୍ନେହରେ ଭାରତର ଦୁଃସାହସିକ ବ୍ୟକ୍ତି ବୋଲି କହି ଥିଲେ । ସଂସଦରେ ତାଙ୍କ ସମୟରେ ନେହେରୁ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ କହିଥିଲେ ” ବିଜୁ ପଟ୍ଟନାୟକଙ୍କ ପାଖରେ ସାହସ, ଶକ୍ତି ଓ କାମ କରିବାର ଆଗ୍ରହ ଅଛି । ତେଣୁ ଓଡ଼ିଶାକୁ ଅଧିକ ସାହାଯ୍ୟ କରିବାରେ କୌଣସି ପ୍ରମାଦ ନାହିଁ ।”
ଗତ ୨୦୧୯ ରେ ବିଜୁବାବୁ ଙ୍କ ଜୀବନୀ କୁ ନେଇ ଚଳଚ୍ଚିତ୍ର ମଧ୍ୟ ହୋଇଛି , ଅନେକ ଇଂରାଜୀ ଖବରକାଗଜରେ ଆଲେଖ୍ୟ ପ୍ରକାଶ, ଅଣ ଓଡ଼ିଆ ସାମ୍ବାଦିକମାନଙ୍କ ଦ୍ବାରା ତାଙ୍କ ଜୀବନୀ ସଂକଳିତ ହୋଇଛି । ଯେହେତୁ ବ୍ୟକ୍ତିଗତ ଭାବେ ଆମେ ବିଜୁବାବୁଙ୍କ ସମ୍ପର୍କରେ ଭଲଭାବରେ ଅବଗତ , ଅନେକ ଅନାଲୋଚିତ ଇତିହାସ ର ପ୍ରାମାଣିକ ତଥ୍ୟ ଆମ ନିକଟରେ ଉପଲବ୍ଧ , ଯେହେତୁ ଆର୍ଥିକ ଅନଟନ ସହିତ ଅବହେଳା କାରଣରୁ ୧୯୯୬ ରେ ଲିଖିତ ପୁସ୍ତକ ପ୍ରକାଶ ନକରି ପାରିବା ଏବଂ ଏହି କରୋନା କଟକଣା ଯୋଗୁଁ କାର୍ଯ୍ୟାଳୟ ବନ୍ଦ ସମୟରେ ପାଣ୍ଡୁଲିପି ଟି ଉଇ ମାନଙ୍କ ଦ୍ବାରା ଅନେକାଂଶରେ ନଷ୍ଟ ସୋଇଯାଇଛି , ସେହେତୁ ସତ୍ୟ ତଥ୍ୟାଧାରରେ ବିଜୁ ବାବୁ ଙ୍କ ଜୀବନାଲେଖ୍ୟ ଶ୍ରଦ୍ଧାର୍ପିତ କରିବା ସମ୍ଭବ ହୋଇନାହିଁ ।
ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ବରିଷ୍ଠ ସାମ୍ବାଦିକ

Breaking News