ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ସାଇବର ଅପରାଧ ଓ ଆର୍ଥିକ ଅପରାଧ ବୃଦ୍ଧି ପାଉଛି | ଏହାକୁ ରୁକିବା ପାଇଁ ରାଜ୍ୟ ସରକାର ଆଉ ୧୧ଟି ନୂଆ ସାଇବର ଓ ଆର୍ଥିକ ଅପରାଧ ଥାନା ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ସାଇବର ଥାନା ଖୋଲିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏସବୁଠାରେ କାର୍ଯ୍ୟ କରିବା ପାଇଁ ୯୦ଜଣ ବିଶେଷଜ୍ଞ ଓ ୧୫୪ଜଣ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ମଧ୍ୟ ମିଳିବ । ଏହି ଥାନା କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ମୋଟ ସାଇବର ଥାନା ସଂଖ୍ୟା ୧୪ରେ ପହଂଚିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷଣୁ ଜାରି ସୂଚନା ଅନୁସାରେ, ସାଇବର ଅପରାଧର ଅନେକ ଘଟଣା ଏବେ ଓଡ଼ିଶାରେ ହେଉଛି । ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଜାଲସାଦି ବୃଦ୍ଧି ପାଉଥିବାରୁ ଏଭଳି ଅପରାଧର ଶିକାର ହେଉଥିବା ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ନିମନ୍ତେ ଏହି ୧୧ଟି ସ୍ୱତନ୍ତ୍ର ଥାନା କାର୍ଯ୍ୟ କରିବ। ଏବେ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ୩ଟି ସାଇବର ଓ ଆର୍ଥିକ ଅପରାଧ ଥାନା ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ । ଏହା ଦ୍ୱାରା ଏହି ଥାନା ସଂଖ୍ୟା ୧୪କୁ ବୃଦ୍ଧି ପାଇବ । ଯେଉଁ ସବୁ ସ୍ଥାନରେ ଏହି ସାଇବର ଓ ଆର୍ଥିକ ଥାନା କାର୍ଯ୍ୟକ୍ଷମ ହେବ ସେଗୁଡ଼ିକ ହେଲା- କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭବାନୀପାଟଣା, ବଲାଙ୍ଗିର ଓ କନ୍ଧମାଳ । ଏହାସହିତ ଏହି ଥାନାଗୁଡ଼ିକରେ ନିଯୁକ୍ତି ନିମନ୍ତେ ପୁଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି ହୋଇଛି । ଏଥିରେ ୧୪ଟି ଇନ୍ସପେକ୍ଟର, ୨୮ଟି ସବଇନ୍ସପେକ୍ଟର, ୨୮ଟି ଏଏସଆଇ, ୨୮ଟି କନେଷ୍ଟବଳ(ଯୋଗାଯୋଗ), ୫୬ଟି କନେଷ୍ଟବଳ ପଦବୀ ସାମିଲ ଅଛି । ଏମାନଙ୍କ ବ୍ୟତୀତ ୯୦ଜଣ ସାଇବର ଫୋରେନ୍ସିକ ବିଶେଷଜ୍ଞ, ଆଇଟି ବିଶେଷଜ୍ଞ, ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ ଆନାଲିସିଷ୍ଟଙ୍କୁ ମଧ୍ୟ ଏହି ଥାନାଗୁଡ଼ିକରେ ନିୟୋଜିତ କରାଯିବ ।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..