ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧପ୍ରଦେଶର ତିରୁପତିସ୍ଥିତ ରୁଇଆ ମେଡିକାଲରେ ଘଟିଛି ଦୁଃଖଦ ଘଟଣା। ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ ଅଭାବରୁ କୋଭିଡ ରୋଗୀ ପ୍ରାଣ ହରାଉଥିବା ଡାକ୍ତରଖାନାଗୁଡିକର ତାଲିକାରେ ଏହା ସାମିଲ ହୋଇଛି। ସୋମବାର ଦିନ ଏହି ଖ୍ୟାତିସଂପନ୍ନ ହାସପାତାଳରେ ମାତ୍ର ୫ ମିନିଟ ପାଇଁ ଅମ୍ଳଜାନ ଯୋଗାଣ ବିଳମ୍ବ ଘଟିଥିଲା। ଏହାଦ୍ୱାରା କରୋନାରେ ଆକ୍ରାନ୍ତ ହୋଇ ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଚିତ୍ତୁର ଜିଲାପାଳ ହରିନାରାୟଣ କହିଛନ୍ତି, ଅମ୍ଳଜାନ ଅଭାବ ଜନିତ ପରିସ୍ଥିତିର ମୁକାବିଲା କରିବାକୁ ପ୍ରାୟ ୩୦ ଜଣ ଡାକ୍ତର ତୁରନ୍ତ ଆଇସିୟୁ ମଧ୍ୟକୁ ଯାଇଥିଲେ। କିନ୍ତୁ ଏହି ରୋଗୀମାନଙ୍କର ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା। ଜିଲ୍ଲା କର୍ତ୍ତୃପକ୍ଷ କହିଛନ୍ତି ଯେ, ଅମ୍ଳଜାନ ବୋଝେଇ ଏକ ଟ୍ୟାଙ୍କର ୫ ମିନିଟ ବିଳମ୍ବରେ ହାସପାତାଳରେ ପହଞ୍ଚିଥିଲା। ସେତେବେଳକୁ ହାସତାପାତଳରେ ମହଜୁଦ ଥିବା ଅମ୍ଳଜାନ ସଂପୂର୍ଣ୍ଣ ଶେଷ ହୋଇଯାଇଥିଲା। କର୍ମଚାରୀମାନେ ଉଦ୍ୟମ କରି ତୁରନ୍ତ ଅମ୍ଳଜାନ ଯୋଗାଣ ଆରମ୍ଭ କରିଥିଲେ। ହେଲେ ୧୧ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିଲା ନାହିଁ। ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣାର ତଦନ୍ତାଦେଶ ଦେବା ସହିତ ଏହାର ଯେଭଳି ପୁନରାବୃତ୍ତି ନଘଟେ ସେଥିପ୍ରତି ଯତ୍ନବାନ ହେବା ଓ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଜ୍ୟର ପ୍ରତ୍ୟେକ ଡାକ୍ତରଖାନାରେ ନିରନ୍ତର ଅମ୍ଳଜାନ ଯୋଗାଣ ସ୍ଥିତି ଉପରେ ନଜର ରଖିବାକୁ ସେ କହିଛନ୍ତି। ରୁଇଆ ହାସପାତାଳରେ ସ୍ରପତି ପ୍ରାୟ ଏକ ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦୦ କୋଭିଡ ଆକ୍ରାନ୍ତଙ୍କୁ ଅମ୍ଳଜାନ ସୁବିଧା ଥିବା ଶଯ୍ୟା ଏବଂ ଆଇସିୟୁରେ ଚିକିତ୍ସିତ କରାଯାଉଛି।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
ଭୂକମ୍ପରେ ଥରିଲା ନେପାଳ…..
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….