Report Card Odisha

| Daily Odia News

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୧୧ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସକାଳେ ତାମିଲ୍‌ନାଡୁର ତଞ୍ଜାବୂରରେ ଏକ ମନ୍ଦିରର ରଥଯାତ୍ରାରେ ଉଚ୍ଚ କ୍ଷମତାସମ୍ପନ୍ନ ବିଜୁଳି ତାର ସଂସ୍ପର୍ଶରେ ଆସି ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୨ଜଣ ପିଲା ମଧ୍ୟ ଥିବା କଥା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ, କାଳିମେଡୁ ନିକଟସ୍ଥ ଅପ୍ପର ମନ୍ଦିରର ରଥଯାତ୍ରା ବାହାରି ଥିବା ବେଳେ ଉକ୍ତ ଅଘଟଣ ଘଟିଛି। ମଙ୍ଗଳବାର ରାତିରେ ଅପ୍ପର ଗୁରୁପୂଜାଇ (ପ୍ରଭୁ ଆୟାପ୍ପାଙ୍କ ଉତ୍ସବ) ପାଳନ କରାଯାଉଥିଲା। ଏହି ଉତ୍ସବରେ ଆଖପାଖ ଅଞ୍ଚଳରୁ ବହୁ ଲୋକ ଯୋଗ ଦେଇଥିଲେ। ଆଜି ପ୍ରତ୍ୟୁଷରେ ଶୋଭାଯାତ୍ରାରେ ଟଣାଯାଉଥିବା ରଥଟି ରାସ୍ତାର ମୋଡ଼ରେ ବୁଲୁଥିବା ବେଳେ ବାଧା ପାଇଥିଲା। ତେଣୁ, ରଥଟିକୁ ଠିକ୍‌ ଭାବେ ବୁଲାଇବା ପାଇଁ ରଥକୁ ପଛୁଆ ଟାଣିବାରୁ ଉପରେ ଯାଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ରଥ ଉପରେ ଠିଆ ହୋଇଥିବା ଲୋକମାନେ ବିଜୁଳି ଆଘାତ ପାଇ ତଳେ ପଡ଼ିଯାଇଥିଲେ ଓ ଘଟଣାସ୍ଥଳରେ ସେମାନଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାଛଡ଼ା, ବିଜୁଳି ଆଘାତ ପାଇ ଆହତ ହୋଇଥିବା ଆଉ ୩ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ତଞ୍ଜାବୂର ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି। କୁହଯାଉଛି, ରଥ ଟଣାଯାଉଥିବା ରାସ୍ତାରେ ଥିବା ଖାଲଖମାରେ ପାଣି ଭରିଥିବାରୁ ବିଜୁଳି ଆଘାତରେ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଭୟ ଥିଲା। କିନ୍ତୁ, ବିଜୁଳି ତାର ସଂସ୍ପର୍ଶରେ ଆସିବା କ୍ଷଣି ୫୦ରୁ ଅଧିକ ଲୋକ ରଥ ଉପରୁ ତଳକୁ ଡେଇଁ ପଡ଼ିଥିଲେ।

Breaking News