ରିପୋର୍ଟ କାର୍ଡ / ଗଞ୍ଜାମ
ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗ୍ରାମରେ ନିର୍ବାଚନୀ ହିଂସାରୁ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ଲାଗି ରହିଛି। ଗୁରୁବାର ସ୍ଥାନୀୟ ଲୋକେ ଥାନା ଆଗରେ ରାସ୍ତାରୋକୋ କରିଥିବାବେଳେ ପୋଲିସ ଗାଡ଼ି ଉପରକୁ ପଥର ଏବଂ ବୋତଲ ମାଡ଼ କରିଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଲାଠିମାଡ଼ କରିଛି।ପୋଲିସ ଲାଠିମାଡ଼ରେ ଅନେକ ଲୋକ ଆହତ ହୋଇଛନ୍ତି। ପଥର ମାଡ଼ରେ ପୋଲିସ ଭ୍ୟାନ କାଚ ଭାଙ୍ଗିଥିବା ଜଣାପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଥାନାଠାରୁ ୨୦୦ ମିଟର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ରାତିରେ ଶ୍ରୀକୃଷ୍ଣସରଣପୁର ଗ୍ରାମରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷରୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ବିଜେପି ପୋଷ୍ଟର ମାରୁଥିବା ରାମ ପାହାନଙ୍କ ପୁଅ ଦିଲ୍ଲୀପ ଏବଂ ଜିତେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପ୍ରତିବାଦରେ ମୃତକଙ୍କ ପରିବାର ଲୋକଙ୍କ ସହିତ ବିଜେପି ପକ୍ଷରୁ ଗୁରୁବାର ଥାନା ଘେରାଉ କରାଯିବା ସହିତ ଥାନା ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……