Report Card Odisha

| Daily Odia News

ଗାଡ଼ି ଚାଳକଙ୍କୁ ଜଗିବ ‘ଦିଶା’….

ରିପୋର୍ଟ କାର୍ଡ / ଭୁବନେଶ୍ୱର

୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବା ସହ ବେପରୁଆ ଗାଡ଼ି ଚାଳନା ଉପରେ ରୋକ୍ ଲଗାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଯୋଜନା ‘ଦିଶା’(ଡ୍ରାଇଭିଂ ଇଲେକ୍ଟ୍ରୋନିକ୍ ଏନଫୋର୍ସମେଣ୍ଟ ଟୁ ସେଭ୍ ହ୍ୟୁମାନ ଲାଇଫ୍)। ରାମେଶ୍ବର ଠାରୁ ପାଣିକୋଇଲି ପର୍ଯ୍ୟନ୍ତ ଦୀର୍ଘ ୧୪୦ କିଲୋମିଟର ରାସ୍ତାରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଲମ୍ବା ରାଜପଥର ୨୧ଟି ସ୍ଥାନରେ ରାସ୍ତାର ଦୁଇ ପାର୍ଶ୍ବରେ ଉନ୍ନତମାନର କ୍ୟାମେରା ଖଞ୍ଜାଯିବା ସହ ସିଗନାଲ୍ ଟାଓ୍ଵାର ଲଗାଯାଇଛି। ମିଳିଥିବା ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ସଂଖ୍ୟା ଉଦ୍‌ବେଗଜନକ ରହିଛି। ଯାହା ଚିନ୍ତାର କାରଣ ପାଲଟିଛି। ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ଯୋଜନା ହୋଇଛି। ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ଏଏନପିଆର୍(ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗନାଇଜେସନ୍) କ୍ୟାମେରା ରହିଛି। ସେହିପରି ଏହି କ୍ୟାମେରାରେ ଏଆଇ(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ରହିଛି। କ୍ୟାମେରା ଭିତରେ ସ୍ପିଡ୍ ରେକର୍ଡ କରିବାର କ୍ଷମତା ରଖିଛି। ଜାତୀୟ ରାଜପଥରେ ହାଲୁକା ଓ ଭାରୀଯାନର ଧାର୍ଯ୍ୟ ବେଗକୁ ଅତିକ୍ରମ କଲେ ତୁରନ୍ତ ଗାଡ଼ି ରେଜିଷ୍ଟ୍ରେସନ ନମ୍ବର ସହ ସଂଯୋଗ ଥିବା ମୋବାଇଲ ଫୋନକୁ ଚାଲାଣ କଟିବାର ମେସେଜ୍ ଆସିବ। ଏବେ ସ୍ପିଡ୍ ଲିମିଟ୍ ଧରିବା ପାଇଁ ୫ଟି ଜାଗାରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହୋଇଛି। ରାମେଶ୍ବର, ତାପଙ୍ଗ, କୁରାଢ଼ମଲ, ବାଟ ଭୁଆଷୁଣୀ ମନ୍ଦିର ଓ ତମାଣ୍ଡୋ ନିକଟରେ କ୍ୟାମେରା କାର୍ଯ୍ୟକ୍ଷମ ହୋଇଛି। ଏହାର କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ବର ଆରଟିଓ-୧ କାର୍ଯ୍ୟାଳୟରେ ଖୋଲାଯାଇଛି। ଏକ ଏଲଇଡି ସ୍କ୍ରିନରେ ଗାଡ଼ିର ଯାତାୟତ ମଧ୍ୟ ଦେଖାଯାଉଛି। ଯେଉଁମାନେ ଧାର୍ଯ୍ୟ ବେଗ ଅତିକ୍ରମ କରୁଛନ୍ତି ସେମାନଙ୍କର ଚାଲାଣ କଟାଯାଉଛି। ଏବେ ଚାଲାଣ ହାତରେ କଟା ଯାଉଥିବା ବେଳେ ଆଗକୁ ଅନ୍‌ଲାଇନରେ ହେବ। ଯାହାର କାମ ଚାଲୁ ରହିଛି। ଆଇଟିଏମ୍ଏସ୍(ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍) ଆପ୍ଲିକେସନ ଦ୍ବାରା ଏହା ପରିଚାଳିତ ହେବ ବୋଲି ଜଣାପଡ଼ିଛି। ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ଜରିଆରେ ଉନ୍ନତମାନର ଉଭୟ ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇ ପାରିବ। ଗାଡ଼ିର ବେଗ ବ୍ୟତୀତ ବିନା ସିଟ୍ ବେଲ୍ଟ, ବିନା ହେଲମେଟ୍, ତିନି ଜଣ ଯାତ୍ରା କରୁଥିବା ବାଇକ୍, ରଙ୍ଗ ରୁଟରେ ଯାଉଥିବା ଗାଡ଼ିର ନମ୍ବରକୁ ମଧ୍ୟ କ୍ୟାମେରା ଚିହ୍ନଟ କରିବ। ସେମାନଙ୍କୁ ମଧ୍ୟ ଅନଲାଇନ୍ ଯୋଗେ ଚାଲାଣ କଟାଯିବ। ଆଉ ଏକ ବଡ଼ କଥା ହେଲା ଚୋରି ଗାଡ଼ିକୁ ଟ୍ରାକ୍ କରାଯିବାର ମଧ୍ୟ ବ୍ୟବସ୍ଥା କରାଯାଉଛି। ଆଗାମୀ ଦିନରେ ପାର୍ଟାଲ ସହ ସିସିଟିଏନ୍ଏସ(କ୍ରାଇମ୍ କ୍ରିମିନାଲ୍ ଟ୍ରାକିଂ ନେଟଓ୍ଵର୍କିଂ ସିଷ୍ଟମ୍) ସହ ସଂଯୋଗ କରାଯିବ। ଚୋରି ଗାଡ଼ି ସମ୍ପର୍କରେ ଅନ୍‌ଲାଇନରେ ତଥ୍ୟ ମିଳିବା ପରେ ଟ୍ରାକିଂ କରି ଧରିବାକୁ ସହଜ ହେବ। ଅପରାଧ କିମ୍ବା ଦୁର୍ଘଟଣା ଘଟାଇ ଫେରାର ହେଉଥିବା ଗାଡ଼ିକୁ କ୍ୟାମେରା ଯୋଗେ ଚିହ୍ନଟ କରି ଧରାଯାଇ ପାରିବ ବୋଲି ସୂଚନା ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ ୫ଟି ସ୍ଥାନରେ କେବଳ ଦ୍ରୁତଗତି ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ମେ ୩୧ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।

 

 

Breaking News