Report Card Odisha

| Daily Odia News

୧୬୦ ବିମାନ ବାତିଲ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଦାବି କରିବାର ଦୁଇ ଦିନ ପରେ ପୁଣି ଥରେ ସଂକଟ ଦେଖାଯାଇଛି। ଶୁକ୍ରବାର ଇଣ୍ଡିଗୋ ଏହାର ୧୬୦ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ କରିଛି। ଦିଲ୍ଲୀ ଓ ବେଙ୍ଗାଲୁରୁ ବିମାନବନ୍ଦରରେ ଏହି ବିମାନ ଉଡାଣ ଓ ଅବତରଣ ବାତିଲ କରାଯାଇଛି। ଦିଲ୍ଲୀରୁ ଉଡାଣ କରିବାକୁ ଥିବା ୫୩ ଓ ଅବତରଣ କରିବାକୁ ଥିବା ୫୨ଟି ବିମାନକୁ ବାତିଲ କରାଯାଇଛି। ସେହିପରି ବେଙ୍ଗାଲୁରୁରେ ୨୩ଟି ଉଡାଣ ଓ ୩୧ଟି ଅବତରଣ କରିବାକୁ ଥିବା ବିମାନ ବାତିଲ କରାଯାଇଛି। ଡିସେମ୍ବର ୯ ତାରିଖରୁ ବିମାନ ଚଳାଚଳ ସ୍ବାଭାବିକ ହୋଇଥିବା ନେଇ ଇଣ୍ଡିଗୋ ଦାବି କରିଥିବାବେଳେ ୧୨ ତାରିଖ ସକାଳୁ ପୁଣି ଥରେ ବିମାନ ବାତିଲ ଭଳି ସଂକଟ ସୃଷ୍ଟି ହୋଇଛି। ଡିସେମ୍ବର ୨ ତାରିଖରୁ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ପରିଚାଳନା ବ୍ୟବସ୍ଥାରେ ବିଭ୍ରାଟ ଦେଖାଯାଇଥିଲା। ପାଇଲଟ୍ ଓ କର୍ମଚାରୀ ଅଭାବ କାରଣରୁ ଏକ ସପ୍ତାହ ଧରି ଏୟାରଲାଇନ୍ସର ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା। ସପ୍ତାହ ମଧ୍ୟରେ ଇଣ୍ଡି​‌େ​‌ଗା ଏୟାରଲାଇନ୍ସ ଏହାର ୪୨୯୦ଟି ଘରୋଇ ବିମାନ ଓ ୬୪ଟି ଆନ୍ତର୍ଜାତିକ ବିମାନ ଉଡାଣ ଓ ଅବତରଣକୁ ବାତିଲ କରିଥିଲା। ଏହାଦ୍ବାରା ଲକ୍ଷଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଥିଲେ। ଏହି ଘଟଣା ସଂସଦ ଠାରୁ ସଡକ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଥିଲା। ସରକାର ଏୟାରଲାଇନ୍ସ ଉପରେ ବାରମ୍ବାର ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ। ଯାତ୍ରୀଙ୍କୁ ଟିକସ ଅର୍ଥ ଓ ଲଗେଜ ଫେରାଇବା ପାଇଁ ସରକାର ନିର୍ଦେଶ ଦେଇଥିଲେ। ବିମାନ ଚଳାଚଳରେ ଅସମର୍ଥତା କାରଣରୁ ଇଣ୍ଡିଗୋକୁ ଏହାର ବିମାନ ଉଡାଣ ସଂଖ୍ୟା ୧୦% ହ୍ରାସ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା।ଇଣ୍ଡିଗୋ ଏୟାରଲାନ୍ସର ବିମାନ ଚଳାଚଳରେ ଦେଖାଯାଇଥିବା ଅଚଳାବସ୍ଥାର ତଦନ୍ତ ପାଇଁ କମ୍ପାନୀ ପକ୍ଷରୁ ଏକ ଆନ୍ତର୍ଜାତିକ ଆଭିଏସନ୍ କନସଲଟାନ୍ସିକୁ ନିଯୁକ୍ତ କରାଯାଇଛି। ଇଣ୍ଡିଗୋ କହିଛି ଯେ କ୍ୟାପଟେନ୍ ଜନ ଇଲସନଙ୍କ ନେତୃତ୍ବରେ ଏହି ତଦନ୍ତ କରାଯିବ। ଇଣ୍ଡିଗୋ ଏୟାରଲାଇନ୍ସର ଏହି ଅଚଳାବସ୍ଥା ଘଟଣାରେ ଡିଜିସିଏ ଶୁକ୍ରବାର ୪ଜଣ ଫ୍ଲାଇଟ୍ ଇନ୍ସପେକ୍ଟରଙ୍କୁ ବହିଷ୍କାର କରିଛି। ବହିଷ୍କୃତ ହୋଇଥିବା ଏହି ଫ୍ଲାଇଟ୍‌ ଇନ୍ସପେକ୍ଟରମାନଙ୍କୁ ଇଣ୍ଡିଗୋର ନିରାପତ୍ତା ଓ ଅନ୍ୟାନ୍ୟ ବିଷୟ ଅନୁଧ୍ୟାନ କରିବାକୁ ଦାୟିତ୍ବ ଦିଆଯାଇଥିଲା। ବିମାନ ଚଳାଚଳ ସଂକଟ ମଧ୍ୟ ଦେଇ ଗତି କରୁଥିବା ଇଣ୍ଡିଗୋ ଉପରେ କେନ୍ଦ୍ର ସରକାର ୫୮.୭୫ କୋଟି ଟଙ୍କାର ଟିକସ ​‌ଖିଲାପ ନୋଟିସ ଦେଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷର ଜିଏସ୍‌ଟି ଓ ଏହାର ଜୋରିମାନା ବାବଦ ଅର୍ଥ ପାଇଁ ଏହି ନୋଟିସ ଦିଆଯାଇଥିବା ଦକ୍ଷିଣ ଦିଲ୍ଲୀର ଅତିରିକ୍ତ କମିସନର ସିଜିଏସ୍‌ଟି କହିଛନ୍ତି।ଇଣ୍ଡିଗୋ ଏୟାର ଲାଇନ୍ସର ଅଚଳାବସ୍ଥା ପରେ ଅନ୍ୟ ଏୟାରଲାଇନ୍ସଗୁଡିକର ବିମାନ ଭଡା ଅହେତୁକ ବୃଦ୍ଧି ପାଇଥିଲା। ଏପରିସ୍ଥିତିରେ ଦେଶରେ ବିମାନ ଭଡା ନିର୍ଦ୍ଦିଷ୍ଟ କରିବାକୁ ଦାବି ହୋଇଛି। ମାତ୍ର ଏପରି ଦାବିକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ବୋଲି ସରକାର କହିଛନ୍ତି। ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଲୋକସଭାରେ କହିଛନ୍ତି ଯେ ଦେଶରେ ବିମାନ ଭଡାକୁ ନିର୍ଦ୍ଦିଷ୍ଟ କରିବା ସରକାରଙ୍କ ପକ୍ଷରେ ସମ୍ଭବ ନୁହେଁ। ଉତ୍ସବ ଋତୁରେ ବିମାନ ଭଡା ବୃଦ୍ଧି ପାଇଥାଏ। ବଜାର ଚାହିଦା ଓ ଯୋଗାଣ ଆଧାରରେ ବିମାନ ଭଡା ଏୟାରଲାଇନ୍ସ ଗୁଡିକ ଧାର୍ଯ୍ୟ କରିଥାନ୍ତି

Breaking News