ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବ ସମେତ ମୋଟ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ପର୍କରେ ମୁଖ୍ୟ ସଚିବ ସୂଚନା ଦେଇଥିଲେ | ରାଜ୍ୟର ୧୧ଟି ଜିଲ୍ଲା ହସ୍ପିଟାଲରେ ଆସନ୍ତା ୨ବର୍ଷ ମଧ୍ୟରେ ଉନ୍ନତମାନର କ୍ୟାନସର ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଏଥିପାଇଁ ୧୦୦୧.୧୪କୋଟି ଟଙ୍କା ଖର୍ଚ୍ଚ କରାଯିବ । ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲାର ଭିମସାର,କୋରାପୁଟସ୍ଥିତ ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲ-କୋରାପୁଟ, ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗିରର ବିବି ମେଡିକାଲ କଲେଜ ଓ ହସ୍ପିଟାଲ, ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ, କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱରର ଏଫଏମ ମେଡିକାଲ କଲେଜ ଓ ହସ୍ପିଟାଲ, ତାଳଚେର ସରକାରୀ ମେଡିକାଲ କଲେଜ ସମେତ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏହି କମ୍ପ୍ରେନସିଭ୍ କ୍ୟାନସର କେୟାର ୟୁନିଟ୍ ସ୍ଥାପନ କରାଯିବ । ଏଠାରେ ଉନ୍ନତମାନର କ୍ୟାନସର ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଯାହାଫଳରେ ରାଜ୍ୟର ଲୋକମାନଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ଏହା ନିଶ୍ଚିତ ଭାବେ କ୍ୟାନସର ପୀଡ଼ିତ ଲୋକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ନିଜସ୍ୱ ଖର୍ଚ୍ଚ ହ୍ରାସ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏସବୁ ମେଡିକାଲରେ ରେଡିଓଥେରାପି, ବ୍ରାକିଥେରାପି, ହିଷ୍ଟୋପାଥୋଲେଜି, କର୍କଟ ଶଲ୍ୟ ଚିକିତ୍ସା, କେମୋଥେରାପି ଓ ପାଲିଏଟିଭ୍ କେୟାର ସେବାକୁ ସୁବ୍ୟବସ୍ଥିତ କରାଯିବ । ପ୍ରତ୍ୟେକ ଅନୁଷ୍ଠାନରେ ଅପରେସନ୍ ଥିଏଟର, ଆଇସିୟୁ, କେମୋଥେରାପି, ରେଡିଓଥେରାପି ଓ ପାଲିଏଟିଭ୍ କେୟାର ୟୁନିଟ୍ ସମେତ ୫୦ରୁ ୧୦୦ବେଡ ସୁବିଧା କରାଯିବ । ଆବଶ୍ୟକ ପଡ଼ିଲେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ରାଜ୍ୟ ସରକାରଙ୍କ ଅଧୀନରେ ନିୟମିତ କ୍ୟାଡ଼ର ସ୍ପେଶାଲିଷ୍ଟ, ସୁପର ସ୍ପେଶାଲିଷ୍ଟ ଓ ବୈଷୟିକ କର୍ମଚାରୀଙ୍କ ପଦବୀ ସୃଷ୍ଟି କରାଯାଇ ଏହି ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହା ବ୍ୟତୀତ, ବଜେଟ ଘୋଷଣା ଅନୁସାରେ ମିଶନ ଶକ୍ତି ସ୍କୁଟର ଯୋଜନାକୁ କାର୍ଯ୍ୟକାରୀ କରି ୫ବର୍ଷରେ ୫୨୮.୫୫କୋଟି ଟଙ୍କା ବ୍ୟୟରେ ୨ଲକ୍ଷ କମ୍ୟୁନିିଟି ସର୍ପୋଟ ଷ୍ଟାଫ ଓ ଏସଏଚଜି ମହାସଂଘ କାର୍ଯ୍ୟନିର୍ବାହୀ ସଦସ୍ୟାମାନଙ୍କୁ ସ୍କୁଟି କିଣିବା ପାଇଁ ସୁଧ ରିହାତି ଦେବା , ମାର୍କଫେଡ୍ ପାଇଁ ୫ବର୍ଷ ନିମନ୍ତେ ୫୦୦କୋଟି ଟଙ୍କାର ସହାୟତା ପାଣ୍ଠି, ଚାଷୀଙ୍କୁ ଫସଲ ଋଣ ବାବଦରେ ସମବାୟ ବ୍ୟାଙ୍କ ଓ ସମବାୟ ସମିତିକୁ ୫ବର୍ଷ ପାଇଁ ୫୭୦୦କୋଟି ଟଙ୍କାର ସୁଧ ରିହାତି, ମାର୍ଶାଘାଇ-ଜମ୍ବୁ ରାସ୍ତା ସମ୍ପ୍ରସାରଣ, ବନ ସୁରକ୍ଷା ସମିତି ପାଇଁ ୧୦ହଜାର କୋଠା ଘର ନିର୍ମାଣ, ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଚିପ୍ ନିର୍ମାଣ ପାଇଁ ନୂଆ ନୀତି, ଓଡ଼ିଶା ଲୋକସେବା ଆୟୋଗରେ ଦୁଇଜଣ ନୂଆ ସଦସ୍ୟ ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ଗୌରାଙ୍ଗ ଚରଣ ସାହୁଙ୍କ ନିଯୁକ୍ତି, ଓଏଇଏସ୍ କ୍ୟାଡ଼ର, ଓଡ଼ିଶା ପର୍ଯ୍ୟଟନ ସେବା କ୍ୟାଡ଼ରରେ ସଂଶୋଧନ, ଲୋକାୟୁକ୍ତଙ୍କ ବାର୍ଷିକ ରିପୋର୍ଟ-୨୦୨୨ ଆଦିକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..