Report Card Odisha

| Daily Odia News

ବାଲିଯାତ୍ରା ଅବଧି ଆଉ ଦୁଇଦିନ ବଢିବ !…..

ରିପୋର୍ଟ କାର୍ଡ / କଟକ

ଐତିହାସିକ ବାଲିଯାତ୍ରା ବୁଧବାର ଉଦ୍‌ଯାପିତ ନ ହୋଇ ଅବଧି ଆଉ ଦୁଇଦିନ ବଢ଼ାଇବାକୁ ସୋମବାର କଟକ ମହାନଗର ନିଗମ ର ବାଲିଯାତ୍ରା ପଡିଆରେ ଆୟୋଜିତ ସ୍ବତନ୍ତ୍ର କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯିବାକୁ ସ୍ଥିର କରାଯାଇଛି । ନିଗମ ଆୟୁକ୍ତ ନିଖିଲ ପବନ କଲ୍ୟାଣ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଅବଧି ୨ଦିନ ବୃଦ୍ଧି ପାଇଁ କର୍ପୋରେଟରମାନେ ବୈଠକରେ ଦାବି କରିଥିଲେ। ବାଲିଯାତ୍ରା ପଡ଼ିଆରେ ସିଏମ୍‌ସିର ସ୍ବତନ୍ତ୍ର ବୈଠକ ସକାଳ ୮ଟାରେ ଅନୁଷ୍ଠିତ ହୋଇଥିଲା। ମେୟର ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଭୟ ଶାସକ ଓ ବିରୋଧୀ ଦଳ କର୍ପୋରେଟରମାନେ କହିଥିଲେ ଯେ କରୋନା ମହାମାରୀ ଟଳିବା ପରେ ଚଳିତବର୍ଷ ଐତିହାସିକ ବାଲିଯାତ୍ରା ଆୟୋଜନ କରାଯାଇଛି। ପ୍ରତିଦିନ ଯାତ୍ରା ଦେଖିବାକୁ ଲକ୍ଷାଧିକ ଲୋକ ଆସୁଛନ୍ତି । ସେହିପରି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବ୍ୟବସାୟୀମାନେ ବାଲିଯାତ୍ରାରେ ଷ୍ଟଲ ନେଇଛନ୍ତି। ପ୍ରଥମ ଦୁଇଦିନ ମେଳାରେ ଭଲ ବ୍ୟବସାୟ ହୋଇନଥିଲା। ଶୁକ୍ରବାରଠାରୁ କିଛି ବ୍ୟବସାୟ ହୋଇଛି। ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଅବଧି ବୃଦ୍ଧି ହେବାର ଆବଶ୍ୟକତା ରହିଥିବା ବହୁ କର୍ପୋରେଟର ମତ ଦେଇଥିଲେ। ମେୟର ଶ୍ରୀ ସିଂହ କହିଛନ୍ତି ଯେ ବଢ଼ାଇବା ଉଦେଶ୍ୟ ହେଉଛି ଛୋଟବଡ ବ୍ୟବସାୟ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା କରିବା। ଆସନ୍ତା ୧୬ ରେ ବାଲିଯାତ୍ରା ଶେଷ ହେବାକୁ ଥିଲା ବେଳେ ଆଉ ଦୁଇଦିନକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି ।

Breaking News