Report Card Odisha

| Daily Odia News

ଅବୁଧାବିର ବିମାନବନ୍ଦର ଉପରେ ଡ୍ରୋନ୍‌ ଆକ୍ରମଣ,୨ ଭାରତୀୟଙ୍କ ସମେତ ୩ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆରବ ଏମିରେଟ୍‌ସ ରାଜଧାନୀ ଅବୁଧାବିର ନୂଆ ଅନ୍ତାର୍ଜାତୀୟ ବିମାନବନ୍ଦର ଉପରେ ଭୟଙ୍କର ଡ୍ରୋନ ଆକ୍ରମଣ ହୋଇଛି | ଏଥିରେ ୨ ଭାରତୀୟଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ବୋଝେଇ ଟ୍ୟାଙ୍କର ଉପରେ ଏପରି ହମଲା କରାଯାଇଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨ ଭାରତୀୟ ଓ ଜଣେ ପାକିସ୍ତାନୀ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ୟେମେନରେ ଥିବା ଇରାନ ସମର୍ଥିତ ଇହୁଦି ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଆଜିର ଆକ୍ରମଣ ସମ୍ପର୍କରେ ୟୁଏଇ ପୋଲିସ କହିଛି, ୩ଟି ତେଲ ଟ୍ୟାଙ୍କର୍‌କୁ ଟାର୍ଗେଟ କରି ଆଜି ଡ୍ରୋନ ଆକ୍ରମଣ କରାଯାଇଥିଲା । ଏଥିଯୋଗୁ ନୂଆ ଏୟାରପୋର୍ଟ ପାଇଁ ଚାଲିଥିବା ନିର୍ମାଣ ସ୍ଥଳରେ ମଧ୍ୟ ନିଆଁ ଲାଗିଯାଇଛି। ଘଟଣା ବେଳେ ସେଠାରେ ଉପସ୍ଥିତ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ନିଆଁ ସଂପୂର୍ଣ୍ଣ ଆୟତ୍ତକୁ ଆସି ସାରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି |

ଅନ୍ୟପକ୍ଷରେ ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋରେ ବିସ୍ଫୋରଣ ପରେ ତେଲ ଟ୍ୟାଙ୍କରଗୁଡ଼ିକ ହୁହୁ ହୋଇ ଜଳୁଥିବା ଦେଖିବାକୁ ମିଳୁଛି। ଲୋକମାନେ ଭୟରେ ଏଣେତେଣେ ଦୌଡ଼ୁ ଥିବା ବେଳେ କଳା ଧୂଆଁ ପୂରା ପରିବେଶକୁ ଢାଙ୍କିଥିବାର ଦୃଶ୍ୟ ରହିଛି। ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବର ୨୪ରେ ୟୁଏଇର ଦୁଇଟି ବିଶାଳ ତେଲ ଟାଙ୍କି ଉପରେ ସମାନ ଧରଣର ହମଲା ହୋଇଥିଲା। ଏହା ପଛରେ ଇହୁଦି ବିଦ୍ରୋହୀ ଗୋଷ୍ଠୀଙ୍କର ହାତ ଥିଲା। ଆଜି ମଧ୍ୟ ସଂଗଠନ ହମଲା ପାଇଁ ନିଜକୁ ଦାୟୀ କରିଛି। ଏଥିସହ ୟୁଏଇରେ ଆଗକୁ ଏପରି ହମଲା ଜାରି ରହିବ ବୋଲି ସଂଗଠନ ଧମକ ଦେଇଛି। ସୂଚନାଯୋଗ୍ୟ, ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଇ-ଇନ ଏବେ ୟୁଏଇ ଗସ୍ତରେ ଯାଇଛନ୍ତି। ରବିବାର ୟୁଏଇର ପ୍ରଧାନମନ୍ତ୍ରୀ ଓ ଦୁବାଇ ଶାସନ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୌମଙ୍କ ସହ ମୁନ ବୈଠକ କରିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଦକ୍ଷିଣ କୋରିଆ ଠାରୁ ୟୁଏଇ ୩.୫ ବିଲିୟନ ଡଲାର ଦେଇ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଯିବାର କ୍ଷମତା ରଖିଥିବା ମିଶାଇଲ କିଣିବ। ଏହି ଚୁକ୍ତିର ଦିନକ ପରେ ହିଁ ଡ୍ରୋନ ଆଟାକ ହୋଇଛି।

 

Breaking News