ରିପୋର୍ଟ କାର୍ଡ / ଭୁବନେଶ୍ବର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସଷ୍ଟାଣ୍ଡ ଉଦ୍ଘାଟନ କରିଛନ୍ତି। ଏହି ଜିଲ୍ଲାଗୁଡିକ ହେଲା- ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ନୟାଗଡ, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁବର୍ଣ୍ଣପୁର। ଉଦ୍ଘାଟନ ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଗାଯୋଗ ହେଉଛି ବିକାଶର ଆଧାର । ଏହା ହେଉଛି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି। ଗାଁଠୁ ସହର ସବୁଆଡେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଆମର ଲକ୍ଷ୍ୟ ରହିଛି। ୫-ଟି ଉପକ୍ରମରେ ଆମର ଯୋଗାଯୋଗ ଭିତ୍ତିଭୂମି ଓ ସାଧାରଣ ପରିବହନର ବ୍ୟବସ୍ଥାର ବିକାଶ କରାଯାଉଛି। ଗାଁକୁ ଲକ୍ଷ୍ମୀ ଯୋଜନାରେ ବ୍ଲକ ସହ ଯୋଡା ଯାଉଛି। ଭୁବନେଶ୍ୱରରେ ମେଟ୍ରୋ ରେଳ ଯୋଜନା ଆରମ୍ଭ ହୋଇଛି ବୋଲି କହି ଯୋଗାଯୋଗରେ ଉନ୍ନତି ହେଲେ ଲୋକଙ୍କ ରୋଜଗାର ବଢିବା ସହ ଚାଷୀ ଭାଇଭଉଣୀମାନେ ଲାଭବାନ ହେବେ ଓ ପିଲାଙ୍କ ପାଠପଢାରେ ସୁବିଧା ହେବ ବୋଲି ସେ କହିଥିଲେ। ‘ଆମ ବସଷ୍ଟାଣ୍ଡ’ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନୂଆ ବସ୍ ଷ୍ଟାଣ୍ଡଗୁଡିକ ବ୍ୟବସାୟ କେନ୍ଦ୍ର ଭାବେ ଧିରେ ଧିରେ ବିକଶିତ ହେବ ଏବଂ ଏହା ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ। ସେ ଆହୁରି ମଧ୍ୟ କହିଥିଲେ ଯେ ସାଧାରଣ ପରିବହନ ଭିତ୍ତିଭୂମିକୁ ମଜବୁତ୍ କରିବା ସହିତ ଲୋକମାନେ ଯେପରି ଏହି ସାଧାରଣ ପରିବହନ ବ୍ୟବସ୍ଥାକୁ ବହୁଳ ଭାବେ ବ୍ୟବହାର କରିବେ ସେଥିପାଇଁ ସମସ୍ତଙ୍କୁ ସଚେତନ କରିବା ଆବଶ୍ୟକ। ନୂଆ ବସଷ୍ଟାଣ୍ଡରେ ଲୋକମାନଙ୍କର ସୁରକ୍ଷା ସହିତ ସେଠାରେ ଉପଲବ୍ଧ ସାଧାରଣ ସୁବିଧା ସୁଯୋଗର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..