Report Card Odisha

| Daily Odia News

ନିର୍ମାଣ ହେବ ୨୩୫ କୋଟିର ‘ମହିମା ସେତୁ’…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳ ଗୁଡିକର ପୁନଃନିର୍ମାଣ କାର୍ଯ୍ୟ ଜାରିରହି ଥିବା ବେଳେ ମହିମା ପୀଠ ମଧ୍ୟ ସାମିଲ ହୋଇଛି । ଗତକାଲି ମା ସମଲେଶ୍ୱରୀ ପୀଠ ଗସ୍ତ ପରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ପ୍ରସିଦ୍ଧ ମହିମା ଗାଦି ପରିଦର୍ଶନ କରିଥିଲେ । ମହିମା ଧର୍ମର ଏହି ମହାନ ପୀଠ ଯୋରନ୍ଦା ଅଞ୍ଚଳ ତଥା ମହିମା ଗାଦିର ବିକାଶ, ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ଶ୍ରୀ ପାଣ୍ଡିଆନ ଅନେକ ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଢେଙ୍କାନାଳର ବିକାଶ ପାଇଁ କାଲୁରିଆ ଗାଁ ଠାରୁ ସରଦେଇପୁର ପର୍ଯ୍ୟନ୍ତ ବ୍ରାହ୍ଣଣୀ ନଦୀ ଉପରେ ବୃହତ ସେତୁ ନିର୍ମାଣ କରାଯିବ । ଏଥିପାଇଁ ୨୩୫.୫୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହାଦ୍ବାରା ୬୨ଟି ଗ୍ରାମବାସୀ ଉପକୃତ ହେବେ । ଏହା ସହିତ ପର୍ଯ୍ୟଟକମାନେ ମଧ୍ୟ ସହଜରେ ଯୋରନ୍ଦା ପୀଠକୁ ପହଞ୍ଚିପାରିବେ । ମୁଖ୍ୟମନ୍ତ୍ରୀ ଏହି ସେତୁର ନାଁ ‘ମହିମା ସେତୁ’ ରଖିଛନ୍ତି। ଯୋରନ୍ଦା ପରିଦର୍ଶନ ସମୟରେ ୫-ଟି ସଚିବ ସ୍ଥାନୀୟ ସ୍କୁଲ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଶ୍ରୀ ପାଣ୍ଡିଆନ୍ ସାଧୁସନ୍ଥଙ୍କ ସହିତ ସେ ଭୋଜନ କରିଥିଲେ ।ମହିମା ଧର୍ମ ଉପରେ ନିଜର ଚିନ୍ତାଧାରା ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ମହିମା ଧର୍ମ ହେଉଛି ସାରା ବିଶ୍ବ ପାଇଁ ଆଦର୍ଶ। ଓଡିଶାରେ ମହିମା ଧର୍ମର ଜନ୍ମ। ତେଣୁ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପାଣ୍ଡିଆନ୍ କହିଥିଲେ ।

 

 

Breaking News