ରିପୋର୍ଟ କାର୍ଡ / ଭୁବନେଶ୍ୱର ଡା. ରାଜେନ୍ଦ୍ର କୁମାର ଦାଶ, ଏମ.ଡି.
(ହୋମିଓପ୍ୟାଥି)
ହୋମିଓପ୍ୟାଥି ଚିକିତ୍ସା ର ସୃଷ୍ଟି ହୁଏ ୧୭୯୬ ମସିହାରେ, ଡା॰ ସାମୁଏଲ ହାନିମ୍ୟାନ ନାମକ ଏକ ଚିକିତ୍ସକଙ୍କ ଦ୍ଵାରା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଅବିରତ ଭାବରେ ଅଗଣିତ ଜନସାଧାରଣଙ୍କୁ ଚିକିତ୍ସାସେବା ଯୋଗାଇଦେଇ ଆଜି ଏହା ବିଶ୍ଵର ଦ୍ଵିତୀୟ ଜନାଦୃତ ଚିକିତ୍ସା ପଦ୍ଧତି ଭାବରେ ଉଭା ହୋଇଛି । ଆଜି ହୋମିଓପ୍ୟାଥିର ଜନକ ମହାତ୍ମା ହାନିମ୍ୟାନଙ୍କ ୨୬୭ତମ ଜୟନ୍ତୀ ଅବସରରେ ଆସନ୍ତୁ ସେହି ଅମରାତ୍ମାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଏହି ଚିକିତ୍ସାପଦ୍ଧତି ବିଷୟରେ କିଛି ତଥ୍ୟ ଓ ସମାଜରେ ରହିଥିବା ଭ୍ରାନ୍ତ ଧାରଣା ବିଷୟରେ ଆଲୋଚନା କରିବା ପୂର୍ବରୁ ଏହି ଚିକିତ୍ସା ବିଜ୍ଞାନର ସୃଷ୍ଟି ବିଷୟରେ ସାମାନ୍ୟ ଆଲୋକପାତ କରିବା । ୧୭୫୫ ମସିହା ଏପ୍ରିଲ ମାସ ୧୦ ତାରିଖରେ ଜର୍ମାନୀ ଦେଶର ସାକ୍ସୋନୀ ପ୍ରଦେଶର ମିଶେନ ସହରରେ ପିତା ଗଟଫ୍ରେଡ ହାନିମ୍ୟାନ ଓ ମାତା ଯୋହାନା କ୍ରିଷ୍ଟାନଙ୍କ ପରିବାରରେ ସେ ଜନ୍ମ ନେଇଥିଲେ । ୧୮୪୩ ମସିହା ଜୁଲାଇ ୨ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ୧୭୭୯ ମସିହାରେ ଭେଷଜ ବିଜ୍ଞାନରେ ତାଙ୍କର ଶିକ୍ଷା ସମାପ୍ତି ପରେ ସେ ଚିକିତ୍ସକ ହିସାବରେ ରୋଗୀ ସେବାରେ ମନୋନିବେଶ କଲେ । ଡ଼।॰ ହାନିମ୍ୟାନ ଜଣେ ତତ୍କାଳୀନ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଶିକ୍ଷାପ୍ରାପ୍ତ ଚିକିତ୍ସକ ଥିଲେ ମଧ୍ୟ ସେହି ଚିକିତ୍ସାର ଅସଫଳତା ଏବଂ କୁପ୍ରଭାବକୁ ନେଇ ସେ ସନ୍ତୁଷ୍ଟ ନଥିଲେ । ସେ ଥିଲେ ଅତ୍ୟନ୍ତ ଭାବରେ ମାନବବାଦୀ, ସତ୍ୟନିଷ୍ଠ ତଥା ପ୍ରଗାଢ ଧୀସମ୍ପନ୍ନ ବ୍ୟକ୍ତିତ୍ତ୍ଵ। ତାଙ୍କର ଅନେକ ଭାଷାରେ ପାରଦର୍ଶିତା ଥିଲା । ସେ ସମୟର ଜଣେ ନାମକରା ଅନୁବାଦକ ଭାବରେ, ୧୭୯୦ ମସିହାରେ ସଦ୍ୟ ପ୍ରକାଶିତ କୁଲ୍ଲେନ ମହାଶୟଙ୍କ ମ୍ୟାଟେରୀଆ ମେଡିକାର ଅନୁବାଦ କରିବା ସମୟରେ, ସେ ଏକ ତଥ୍ୟର ସମ୍ମୁଖୀନ ହେଲେ;; ସିଙ୍କୋନା ଗଛ ଛେଲିର ପିତା ଗୁଣ ମାଲେରିଆ ପରି ଜ୍ଵରକୁ ଭଲ କରିଦେଇଥାଏ । ଏକଥାଟି ତାଙ୍କ ଅନୁସନ୍ଧିତ୍ସୁ ମନକୁ ପାଇଲା ନାହିଁ, ସେ ଭାବିଲେ ପୃଥିବୀରେ ଅନେକ ପ୍ରକାର ପିତା ଦ୍ରବ୍ୟ ଥିବାବେଳେ ଏହି ନିର୍ଦିଷ୍ଟ ବସ୍ତୁଟି କାହିଁକି ମାଲେରିଆ ଭଲ କରିପାରୁଛି। ସେ ନିଜେ ଦୀର୍ଘ ଛ ବର୍ଷ କାଳ ତାହାଉପରେ ଗବେଷଣା କଲେ, ନିଜେ ସେହିଗଛର ଛେଲିକୁ ନିର୍ଦିଷ୍ଟ ମାତ୍ରାରେ ସେବନ କରି ଦେଖିଲେ ଯେ ତାଙ୍କଠାରେ ମାଲେରିଆ ପରି ଲକ୍ଷଣମାନ ପ୍ରକାଶ ପାଇଲା। ଦୀର୍ଘ ଦିନ ବିଭିନ୍ନ ଔଷଧ ଉପରେ ପରୀକ୍ଷା ନିରୀକ୍ଷା କରି ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲେଯେ, କୌଣସି ଔଷଧ ସୁସ୍ଥ ବ୍ୟକ୍ତିଙ୍କ ଉପରେ ସୃଷ୍ଟି କରିପାରୁଥିବା ଲକ୍ଷଣହିଁ ସେହି ଔଷଧର ଆରୋଗ୍ୟ ତଥ୍ୟ ବା ଅନ୍ୟ ଭାବରେ କହିଲେ, କୌଣସି ଔଷଧର ଆରୋଗ୍ୟକାରି ଗୁଣ ଜାଣିବାକୁ ହେଲେ ଏହାକୁ ସୁସ୍ଥ ମାନବ ପରୀକ୍ଷଣ କରିବାକୁ ପଡିଥାଏ । ସାରା ବିଶ୍ଵରେ ଅଗଣିତ ହୋମିଓପ୍ୟାଥୀ ଚିକିତ୍ସକ ଏହି ସୁସ୍ଥ ମାନବ ପ୍ରମାଣିତ ଔଷଧ ହିଁ ବ୍ୟବହାର କରୁଛନ୍ତି । ସୁସ୍ଥ ମାନବଠାରେ ପ୍ରକାଶିତ ଲକ୍ଷଣସମୂହ ଆଧାରରେ ନିର୍ଦିଷ୍ଟ ଔଷଧକୁ ନିର୍ଦିଷ୍ଟ ରୋଗୀ ନିମନ୍ତେ ଚୟନ କରାଯାଇଥାଏ । ହୋମିଓପ୍ୟାଥି ଚିକିତ୍ସାର ମୂଳ ଦର୍ଶନଟି ହେଉଛି ସଦୃଶ ନିଦାନ- ସଦୃଶ ବିଧାନ। ଏହାର ଅର୍ଥ ହେଉଛି ରୋଗୀର ଲକ୍ଷଣ ସହିତ ସର୍ବାଧିକ ମେଳ ଖାଉଥିବା ହୋମିଓପ୍ୟାଥି ଔଷଧଟି ହିଁ ସମ୍ପୃକ୍ତ ରୋଗୀକୁ ସୁସ୍ଥ କରିପାରିବ । ଏବେ ଆସନ୍ତୁ ଏହି ଚିକିତ୍ସା ପ୍ରତି ରହିଥିବା ଭ୍ରାନ୍ତ ଧାରଣା ଗୁଡିକ ବିଷୟରେ ଆଲୋଚନା କରି ଜାଣିବା ପ୍ରକୃତରେ ତଥ୍ୟ କଣ ?
୧) ହୋମିଓପ୍ୟାଥି ଔଷଧ ଡେରିରେ କାମକରେ: ଏହା ସତ୍ୟ ନୁହେଁ । ଔଷଧଟି କେତେ ଶୀଘ୍ର କାମ କରିବ ବା କେତେଦିନ ପରେ ରୋଗୀକୁ ଆରୋଗ୍ୟ କରି ପାରିବ, ଏହା ଅନେକ ଗୁଡିଏ ଅବସ୍ଥା ଉପରେ ନିର୍ଭର କରିଥାଏ, ଯଥା ରୋଗର ଅବଧି, ରୋଗର ଗୁଣ-ଧର୍ମ, ଔଷଧ ଚୟନର ସଠିକତା ଇତ୍ୟାଦି। ସବୁ ଠିକ ଠାକ ଥିଲେ , ହୋମିଓପ୍ୟାଥି ଔଷଧ ଅତିଶୀଘ୍ର କାମ କରିଥାଏ । ନୂତନ ବା ଅଳ୍ପ ଦିନର ରୋଗ କ୍ଷେତ୍ରରେ ଏହା ଅତି କମ ସମୟରେ କାମ ଦେବାର ମଧ୍ୟ ଦେଖାଯାଏ । ଏପରିକି ପୁରାତନ ରୋଗର ତତ୍କାଳିକ ସମସ୍ୟାରେ ମଧ୍ୟ ଅତିଶୀଘ୍ର ପ୍ରଭାବ ପକାଇଥାଏ । ବିଭିନ୍ନ ପ୍ରକାରର ଯନ୍ତ୍ରଣା, କାଶ, ମୁଣ୍ଡବିନ୍ଧା, ତରଳ ଝାଡା ଓ ବାନ୍ତି, ଅର୍ଶ ଜନିତ ରକ୍ତ କ୍ଷରଣ ଇତ୍ୟାଦି ପରି ଅନେକ ରୋଗରେ ରେ ଏହା ଅତିଶୀଘ୍ର କାମ କରିଥାଏ ।
୨) ହୋମିଓପ୍ୟାଥି ଚିକିତ୍ସାରେ ପ୍ରଥମେ ରୋଗ ବଢିଯାଇଥାଏ: ଏହା ମଧ୍ୟ ଏକ ଭ୍ରାନ୍ତ ଧାରଣା । ନିର୍ଦିଷ୍ଟ ରୋଗକୁ ବଢାଇଦେବା କୌଣସି ଚିକିତ୍ସା ପଦ୍ଧତିର ଲକ୍ଷ ହୋଇନପାରେ। ମାତ୍ର କେତେକ କ୍ଷେତ୍ରରେ ଚାଲୁରହିଥିବା ଅନ୍ୟ କିଛି ଔଷଧ ଯଥା ଷ୍ଟିରଏଡ, ଯନ୍ତ୍ରଣା ଉପଶମକାରୀ ଔଷଧ, ଅମ୍ଳପାକ ରୋଗ ପାଇଁ ନିୟମିତ ସେବନ କରୁଥିବା ଔଷଧ ଇତ୍ୟାଦିକୁ ବନ୍ଦ କରିଦେବା ପରେ ରୋଗର ମାତ୍ରା ବଢିଯାଉଥିବାରୁ ତାହାକୁ ହୋମିଓପ୍ୟାଥି ଜନିତ କାରଣରୁ ବୋଲି ଭାବିନେଇଥାନ୍ତି । କିଛି କ୍ଷେତ୍ରରେ ପୂର୍ବ ଚିକିତ୍ସା କାରଣରୁ ଚପିଯାଇଥିବା ରୋଗର ପୁନର୍ପ୍ରକାଶ ହୋଇପାରେ ଯାହାକି ବର୍ତ୍ତମାନର ହୋମିଓପ୍ୟାଥି ଔଷଧ ଜନିତ ନୁହେଁ । ଜଦିବି କାହାର ସେପରି ଦେଖାଦିଏ, ତୁରନ୍ତ ଚିକିତ୍ସା କରୁଥିବା ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ । ହୋମିଓପ୍ୟାଥି ଚିକିତ୍ସାରେ ରୋଗକୁ ବଢାଇବାର ସେପରି କୌଣସି ବିଧି ନଥାଏ ବା କୌଣସି ଚିକିତ୍ସକଙ୍କର ଉଦ୍ଦେଶ୍ୟ ମଧ୍ୟ ନଥାଏ ।
୩) ହୋମିଓପ୍ୟାଥି ଚିକିତ୍ସା କେବଳ ପୁରାତନ ରୋଗ ପାଇଁ ଉଦ୍ଦିଷ୍ଟ : ଏହି ଚିକିତ୍ସା ପଦ୍ଧତିରେ ପୁରାତନ ରୋଗ ପାଇଁ ସ୍ଵତନ୍ତ୍ର ବ୍ୟବସ୍ତା ଥିଲେ ମଧ୍ୟ, ନୂତନ ରୋଗ ନିମନ୍ତେ ଅନେକ ଉପାଦେୟ ଔଷଧର ସଂଭାର ଭରି ରହିଛି। ନୂତନ ରୋଗର ଚିକିତ୍ସା, ଅପେକ୍ଷାକୃତ ଭାବରେ ପୁରାତନ ରୋଗ ଅପେକ୍ଷା ସହଜ ଓ ସରଳ । ଉଭୟ ନୂତନ ଓ ପୁରାତନ ରୋଗର ସଫଳ ଚିକିତ୍ସା ଏହି ପଦ୍ଧତି ମାଧ୍ୟମରେ ସମ୍ଭବ।
୪) ସବୁ ରୋଗୀଙ୍କୁ ଏକା ହୋମିଓପ୍ୟାଥି ଔଷଧ ଦିଆଯାଏ ବା ସବୁ ହୋମିଓପ୍ୟାଥି ଔଷଧ ଏକା ପରି: ଏହି ଚିକିତ୍ସା ପଦ୍ଧତିରେ ପାଖାପାଖି ୩୦୦୦ ପ୍ରକାରର ଔଷଧ ରହିଛି। ସବୁ ଔଷଧ ଦେଖିବାକୁ ଏକା ପରି ହୋଇଥିଲେ ମଧ୍ୟ ବାସ୍ତବରେ ସେଗୁଡିକ ପୃଥକ ହିଁ ଅଟନ୍ତି । ହୋମିଓପ୍ୟାଥି ଔଷଧ ବିଭିନ୍ନ ରୂପରେ ଉପଲବ୍ଧ ହୋଇଥାଏ ଯଥା, ଗୁଲି ଆକାରରେ, ମୂଳ ଅର୍କ ଭାବରେ, ତରଳ ରୂପରେ, ବଟିକା ବା ଚୁର୍ଣ ଆକାରରେ। ଏ ସବୁଗୁଡ଼ିକର ବାହ୍ୟ ସ୍ୱରୂପ ଦେଖିବାକୁ ଏକାପରି ହୋଇଥିଲେ ମଧ୍ୟ ଏଥିରେ ଅନ୍ତର୍ନିହିତ ଔଷଧ ଏକା ନୁହେଁ। ବାହ୍ୟ ଦୃଶ୍ୟମାନ ଗୁଲି ବା ତରଳ ପଦାର୍ଥ ବା ବଟିକା କେବଳ ଔଷଧର ବାହକ। ତେଣୁ ସବୁ ଏକପରି ଦିଶୁଥିବା ଔଷଧକୁ ସମାନ ଭାବିବା ଅନୁଚିତ।
୫) ଗୋଟିଏ ଔଷଧ ସବୁରୋଗରେ କାମକରେ : ଗୋଟିଏ ଔଷଧର ବିଭିନ୍ନ ପ୍ରକାରର ଲକ୍ଷଣ ଥିଲେ ମଧ୍ୟ ଏହା ସବୁରୋଗରେ ଉପଯୋଗୀ ହୋଇନଥାଏ। ନିର୍ଦିଷ୍ଟ ଔଷଧର ଏକାଧିକ ଉପଯୋଗୀତା ଥାଇପାରେ ମାତ୍ର ଏହାର ଅର୍ଥ ନୁହେଁଯେ, ସବୁରୋଗରେ ସେ ଔଷଧ କାମରେ ଆସିବ । ରୋଗୀର ଲକ୍ଷଣ ଏବଂ ଔଷଧର ଲକ୍ଷଣର ସାଦୃଶ୍ୟ ଭିତ୍ତିରେ ଔଷଧ ଚୟନ କରାଯାଇଥାଏ । ଗୋଟିଏ ଔଷଧ କେବେବି ସବୁ ରୋଗ ନିମନ୍ତେ ପ୍ରୟୋଗ କରାଯାଇନଥାଏ।
୬) ହୋମିଓପ୍ୟାଥି ଏକ ବିଜ୍ଞାନ ସମ୍ମତ ଚିକିତ୍ସା ପଦ୍ଧତ୍ତି ନୁହେଁ : ଏହା ଏକ ବିଜ୍ଞାନ ସମ୍ମତ ଚିକିତ୍ସା ପଦ୍ଧତ୍ତି; କାରଣ ଏଥିରେ ବ୍ୟବହ୍ରୁତ ଔଷଧଗୁଡିକ ସୁସ୍ଥ ମାନବ ପ୍ରମାଣିତ। ବିନା ପ୍ରମାଣନରେ କୌଣସି ଔଷଧ ବ୍ୟବହାର କରାଯାଇନଥାଏ । ଏହାର ଏକ ସ୍ଵତନ୍ତ୍ର ଔଷଧ ପ୍ରସ୍ତୁତ ପ୍ରଣାଳୀ ରହିଛି ଯାହାକି ବୈଜ୍ଞାନିକ ମାନଦଣ୍ଡ ଆଧାରରେ ହିଁ ହୋଇଥାଏ । ଔଷଧ ପ୍ରସ୍ତୁତି ନିମନ୍ତେ ଭାରତ ସରକାରଙ୍କ ଦ୍ଵାରା ପ୍ରଣୀତ ଏକ ସଂହିତା ରହିଛି, ଯାହାର ଅନୁପାଳନରେ ହିଁ ଔଷଧ ପ୍ରସ୍ତୁତ କରାଯାଇଥାଏ। ଔଷଧ ମାନଙ୍କର ଗୁଣବତ୍ତା ପାଇଁ ନିର୍ଦିଷ୍ଟ ମାନଦଣ୍ଡମାନ ରହିଛି। ରୋଗୀର ଚିକିତ୍ସା ସମୟରେ ସମସ୍ତ ପ୍ରକାର ଆଧୁନିକ ବା ଅତ୍ୟାଧୁନିକ ନିଦାନ ବ୍ୟବସ୍ଥାର ଉପଯୋଗ କରାଯିବା ସହିତ ରୋଗୀର ବାସ୍ତବରେ ଉନ୍ନତି ଘଟୁଛିକି ନାହିଁ, ତହିଁରେ ମଧ୍ୟ ଆବଶ୍ୟକ ପରୀକ୍ଷାପତ୍ରର ସାହାଯ୍ୟ ନିଆଯାଇଥାଏ । ନିର୍ଦିଷ୍ଟ ପଦ୍ଧତ୍ତି ଅନୁଯାୟୀ ନିର୍ଦିଷ୍ଟ ପ୍ରଣାଳୀରେ ରୋଗୀର ବିବରଣୀ ସଂଗ୍ରହ କରାଯିବା ସହିତ ଔଷଧ ଚୟନ ଏବଂ ଔଷଧର ମାତ୍ରାର ନିରୂପଣ କରାଯାଇଥାଏ ।
୭) ଏହି ଚିକିତ୍ସାରେ ଗବେଷଣା ହେଉନାହିଁ : ଏହି ଚିକିତ୍ସା ପଦ୍ଧତିରେ ନିରନ୍ତର ଗବେଷଣା ଚାଲୁ ରହିଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ କେନ୍ଦ୍ରୀୟ ହୋମିଓପ୍ୟାଥିକ ଗବେଷଣା ପରିଷଦ କାର୍ଯ୍ୟ କରୁଛି ଏବଂ ସମଗ୍ର ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରରେ ଏହାର ଗବେଷଣାକେନ୍ଦ୍ରମାନ ରହିଛି । ଏହାଛଡା ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମଧ୍ୟ ଗବେଷଣା ଚାଲୁ ରଖିଛନ୍ତି । ବିଦେଶରେ ମଧ୍ୟ ଗବେଷଣା କାର୍ଯ୍ୟକ୍ରମ ଚାଲୁ ରହିଛି । ଗବେଷଣା ଜନିତ ଉପାଦେଯ ନିବନ୍ଧଗୁଡିକ ନିୟମିତ ଭାବରେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକା ମାନଙ୍କରେ ପ୍ରକାଶ ପାଉଛି।
୮) ହୋମିଓପ୍ୟାଥି ଔଷଧ ସେବନ ସମୟରେ ଅନେକ କିଛି ଖାଦ୍ୟ ଓ ପାନୀୟ ବାରଣ ଥାଏ: ଔଷଧ ସେବନ ସମୟରେ ନିର୍ଦିଷ୍ଟ କିଛି ଖାଦ୍ୟ ପଦାର୍ଥ ଯଥା, କଞ୍ଚା ପିଆଜ, କଞ୍ଚା ରସୁଣ, ହେଙ୍ଗୁ, କର୍ପୁର ଇତ୍ୟାଦି ବାରଣ କରାଯାଇଥାଏ; କାରଣ ଏଗୁଡିକ ତୀବ୍ର ଗନ୍ଧଯୁକ୍ତ ଖାଦ୍ୟ ହୋଇଥିବାରୁ ସୂକ୍ଷ୍ମମାତ୍ରାର ହୋମିଓପ୍ୟାଥି ଔଷଧ ଉପରେ ପ୍ରଭାବ ପକାଇଥାନ୍ତି । ଏହି ଔଷଧ ସେବନ ସମୟରେ ଆମିଷ ଖାଇବାରେ କିଛି ଅସୁବିଧା ନାହିଁ ଯଦି ରୋଗ ଦୃଷ୍ଟିରୁ ଏହାର ବାରଣ ନଥାଏ ।
୯) ହୋମିଓପ୍ୟାଥି ଔଷଧ ସେବନ ସମୟରେ ଅନ୍ୟ କିଛି ଔଷଧ ଖାଇ ହେବନି: ସେପରି କିଛି ଧରା ବନ୍ଧା ନିୟମ ନାହିଁ। ମାତ୍ର ନିର୍ଦିଷ୍ଟ ରୋଗନିମନ୍ତେ ବିଭିନ୍ନ ପ୍ରକାର ଉଷଧ ଖାଇବା ଅନୁଚିତ। ନିର୍ଦିଷ୍ଟ କେତେକ ପ୍ରକାରର ହୋମିଓପ୍ୟାଥି ଔଷଧ ସେବନ ସମୟରେ ଅନ୍ୟ ଔଷଧ ଖାଇବା ବାରଣ, କାରଣ ତାହା ହୋମିଓ ଔଷଧର ସୁଫଳକୁ ନଷ୍ଟ କରିଦେବାର ଆଶଙ୍କା ରହିଥାଏ । ମାତ୍ର ମଧୁମେହ, ଉଚ୍ଚରକ୍ତଚାପ ଏଟଯଦି ପରି ରୋଗରେ ନିୟମିତ ଖାଉଥିବା ଏଲୋପ୍ୟାଥୀ ଔଷଧ ସହିତ ହୋମୀଓ ଔଷଧ ନିର୍ଦ୍ୱନ୍ଦ୍ଵରେ ଖାଇ ପାରିବେ, ମାତ୍ର ସେପରି କିଛି ଔଷଧ ଖାଉଥିଲେ ଡାକ୍ତରଙ୍କୁ ଜଣାଇ ତାଙ୍କର ମତାମତ ନେବା ଉଚିତ ।
୧୦) ହୋମିଓପ୍ୟାଥି ଚିକିତ୍ସାରେ ସମସ୍ତ ରୋଗର ମୂଳୋତ୍ପାଟନ ହୋଇଥାଏ : ରୋଗଟି ସମ୍ପୂର୍ଣ ମୂଳତ୍ପାଟନଯୋଗ୍ୟ ହୋଇଥିଲେହିଁ ଏହା ସମ୍ଭବ ହୋଇଥାଏ । ରୋଗଟି ସମ୍ପୂର୍ଣ ଆରୋଗ୍ୟସାଧ୍ୟ ହୋଇନଥିଲେ ବା ରୋଗର ଆରୋଗ୍ୟ ଅବସ୍ଥା ଅତିକ୍ରାନ୍ତ ହୋଇଯାଇଥିଲେ, ସମ୍ପୂର୍ଣ ଆରୋଗ୍ୟ ହେବା ସମ୍ଭବ ହୋଇନଥାଏ । ମାତ୍ର ଲକ୍ଷଣଗତ ଚିକିତ୍ସା ଆଧାରରେ ତତ୍କାଳିକ ଉପଶମ ମିଳିବା ସହିତ ରୋଗୀର ଜୀବନର ମାନଦଣ୍ଡରେ ଉନ୍ନତି ଘଟିଥାଏ । ସବୁସମୟରେ ସବୁରୋଗର ମୂଳୋତ୍ପାଟନ ହୋମିଓପ୍ୟାଥି ଚିକିତ୍ସା ମାଧ୍ୟମରେ ସମ୍ଭବ ହୋଇନଥାଏ ।
୧୧) ମଧୁମେହ ରୋଗୀ ହୋମିଓପ୍ୟାଥି ମିଠା ଗୁଲି ଔଷଧ ଖାଇପାରିବେନି: ହୋମିଓପ୍ୟାଥି ଔଷଧ ସାଧାରଣତଃ ଅତି ଅଳ୍ପ ସଂଖ୍ୟକ ଗୁଲିରେ ଖାଇବାକୁ ଦିଆଯାଇଥାଏ, ଯେଉଁଥିରେକି ଶର୍କରାର ମାତ୍ରା ଅତ୍ୟନ୍ତ ନଗନ୍ୟ । ରକ୍ତଶର୍କରାର ମାତ୍ରା ଉଦବେଗଜନକ ଭାବରେ ଅଧିକ ନଥିଲେ ଏହି ମିଠାଗୁଲି ଔଷଧ ନିର୍ଦିଷ୍ଟ ମାତ୍ରାରେ ଖାଇ ପାରିବେ । ଆବଶ୍ୟକହେଲେ ବିନା ମିଠା ଗୁଲିରେ ମଧ୍ୟ ହୋମିଓପ୍ୟାଥି ଔଷଧ ଖାଇ ପାରିବେ, ଯଥା, ପରିସ୍କାର ପାଣି ରେ ବା ଗୁଲିରେ ପକା ଯାଉଥିବା ତରଳ ଔଷଧରୁ ସିଧା ଟୋପାଏ ଲେଖାଏଁ ଖାଇ ପାରିବେ ।
ଏହି ଚିକିତ୍ସା ସମ୍ବଦ୍ଧରେ କୌଣସି ଭ୍ରାନ୍ତ ଧାରଣାର ସମ୍ମୁଖୀନ ହେଲେ ତାହାକୁ ତତକ୍ଷଣାତ ବିଶ୍ଵାସ ନକରି ଶିକ୍ଷିତ ଓ ଦକ୍ଷ ହୋମିଓପ୍ୟାଥି ଚିକିତ୍ସକଙ୍କ ସହିତ ପରାମର୍ଶ କରି ଉପୁଜୁଥିବା ଶଙ୍କାର ସମାଧାନ କରି ପ୍ରକୃତ ତଥ୍ୟ ବିଷୟରେ ଅବଗତ ହେବାକୁ ଅନୁରୋଧ । ଉପଯୁକ୍ତ ଶିକ୍ଷାପ୍ରାପ୍ତ ହୋମିଓପ୍ୟାଥୀ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ସେବନ କଲେ ନିଶ୍ଚିତ ଭାବରେ ଉପକୃତ ହେବେ । କେବଳ ରୋଗର ଚିକିତ୍ସା ନୁହେଁ, ହୋମିଓପ୍ୟାଥି ଚିକିତ୍ସକଙ୍କ ଠାରୁ ଉତ୍ତମ ସ୍ୱାସ୍ଥ୍ୟ, ଖାଦ୍ୟ-ପେୟ, ଉତ୍ତମ ଜୀବନଶୈଳୀ ତଥା ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ସମସ୍ତ ପ୍ରକାର ପରାମର୍ଶ ପାଇପାରିବେ ।
More Stories
ଆଜିଠୁ ନବରାତ୍ରୀ ପୂଜା ଆରମ୍ଭ…..
ଆଜି ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ….
ଆଜି ଆକାଶରେ ଦେଖା ହେବ ‘ସୁପର ବ୍ଲୁ ମୁନ୍’…..