Report Card Odisha

| Daily Odia News

ମାଟ୍ରିକ ପରୀକ୍ଷା ପାଇଁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ….

ରିପୋର୍ଟ କାର୍ଡ / କଟକ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଗୁରୁବାରରୁ ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପରୀକ୍ଷାର ସୂଚାରୁ ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ପ୍ରତି ସ୍କ୍ବାଡ୍‌ରେ ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ସେହିପରି ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଏବଂ ନିରୀକ୍ଷକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ପରୀକ୍ଷା କେନ୍ଦ୍ରରେ କେଉଁ କେଉଁ ସୁବିଧା ରହିବ, ପ୍ରଶ୍ନପତ୍ର ଏବଂ ଉତ୍ତରଖାତା କିଭଳି ନିର୍ଦ୍ଧାରିତ ସମୟ ଅନୁଯାୟୀ ପହଞ୍ଚିବ, ସେଥିପାଇଁ କରାଯାଇଥିବା ବ୍ୟବସ୍ଥାକୁ ଅନୁପାଳନ ନିମନ୍ତେ କୁହାଯାଇଛି। ସେହିଭଳି ଗତ ୧୦ ତାରିଖଠାରୁ ନୋଡାଲ ସେଣ୍ଟରଗୁଡିକୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ପ୍ରଶ୍ନପତ୍ର ପଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ମଙ୍ଗଳବାର ସବୁ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ନେଇ ସୂଚନା ମିଳିଛି। ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୩୦୮୨ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଗୋଟିଏ ସିଟିଂରେ ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଜିଲାରେ ହୋଇଥିବା ୩୨୨ଟି ନୋଡାଲ ସେଣ୍ଟର ମଧ୍ୟରୁ ଅଧିକାଂଶ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ତେଣୁ ୧୯ ତାରିଖ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ପରୀକ୍ଷାର ସୁପରିଚାଳନା ଏବଂ କେନ୍ଦ୍ରରେ କିଭଳି ବ୍ୟବସ୍ଥା ରହିବ; ସେଥିନେଇ ପରୀକ୍ଷା ଅଧୀକ୍ଷକଙ୍କ ପାଇଁ ମାର୍ଗଦର୍ଶିକା ବୋର୍ଡ ଜାରି କରିଛି। ପ୍ରଶ୍ନପତ୍ର ପ୍ୟାକେଟ ଖୋଲିବା ବେଳେ ଉପସ୍ଥିତ ରହିବା ଏବଂ ଯେଭଳି କେହି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନ ନିଅନ୍ତି କିମ୍ବା କୌଣସି ବିଭ୍ରାଟ ନ ହେବ ସେଥିପ୍ରତି ଅଧୀକ୍ଷକ ସତର୍କ ରହିବେ। ଏଥିସହ ପ୍ରତିଦିନ ପରୀକ୍ଷା ଶେଷ ପରେ ଅଧୀକ୍ଷକ ବୋର୍ଡକୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି। ସେହିଭଳି ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲାପାଳଙ୍କ ସ୍ତରରେ ପ୍ରତିବର୍ଷ ସ୍କ୍ବାଡ୍‌ ଗଠନ କରାଯାଇଥାଏ। ଚଳିତଥର ମଧ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବୋର୍ଡ ନିଜ ପକ୍ଷରୁ ୭୪ ଜଣ ସଦସ୍ୟଙ୍କୁ ନେଇ ୩୭ଟି ଦଳ ଗଠିତ ହୋଇଛି। ଏହି ସ୍କ୍ବାଡ୍‌କୁ ଜୋନ ଅନୁଯାୟୀ ବିଭକ୍ତ କରାଯାଇଛି। କେନ୍ଦ୍ରୀୟ ଜୋନ ପାଇଁ ୮ଟି ଦଳ ରହିଥିବାବେଳେ ଭୁବନେଶ୍ବର ଜୋନ ପାଇଁ ୪ଟି ଦଳ ରହିଛି। ସେହିଭଳି ବାଲେଶ୍ବର ଜୋନ୍‌ର ବିଭିନ୍ନ ପରୀକ୍ଷା କେନ୍ଦ୍ର ନିମନ୍ତେ ୫ଟି, ବ୍ରହ୍ମପୁର ଜୋନରେ ୫, ସମ୍ବଲପୁର ଜୋନରେ ୧୦ ଏବଂ ଜୟପୁର ଜୋନରେ ୪ଟି ସ୍କ୍ବାଡ୍‌ ଗଠନ ହୋଇଛି। ତେବେ ଏହି ସ୍କାଡ୍‌ର ସଦସ୍ୟ ବିଭିନ୍ନ କେନ୍ଦ୍ରକୁ ଯାଇ ପରୀକ୍ଷା ସମୟରେ ସ୍ବଚ୍ଛତା ରହୁଛି କି ନାହିଁ ତାହା ଯାଞ୍ଚ ସହ ବୋର୍ଡକୁ ରିପୋର୍ଟ କରିବେ।

Breaking News