Report Card Odisha

| Daily Odia News

ଲତା ମଙ୍ଗେସ୍‌କର୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ୪୦ ଲମ୍ବର ବୀଣା ସ୍ଥାପନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ୯୩ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଉତ୍ତର ପ୍ରଦଶେର ଅଯୋଧ୍ୟାରେ ପ୍ରବାହିତ ସରଯୂ ନଦୀ ତୀର ଅନ୍ତର୍ଗତ ଏକ ପ୍ରମୁଖ ଛକରେ ୧୪ ଟନ୍‌ ଓଜନବିଶିଷ୍ଟ ଗୋଟାଏ ୪୦ ଫୁଟ୍‌ ଲମ୍ବ ଓ ୧୨ ମିଟର ଉଚ୍ଚ ବୀଣା ସ୍ଥାପନ କରାଯାଇଛି। ଲତା ମଙ୍ଗେସ୍‌କର୍‌ଙ୍କ ନାମରେ ନାମିତ ଉକ୍ତ ଛକକୁ ଲତା ମଙ୍ଗେସ୍‌କର୍‌ ଚୌରା ଦିଆଯିବ | ଏହାକୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚ୍ୟୁଆଲ୍‌ରେ ଉଦ୍‌ଘାଟନ କରିବେ। ଛକର ଉଦ୍‌ଘାଟନୀ ଉତ୍ସବରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ ଉପସ୍ଥିତ ରହିବେ। ଏହି ସମାରୋହକୁ ଅଧ୍ୟାତ୍ମିକ ଓ ରାଜନୈତିକ ନେତାମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜନ୍ମଦିନରେ ଲତାଦିଦିଙ୍କୁ ସ୍ମରଣ କରୁଛି। ମୋର ମନେପଡୁଛି, ତାଙ୍କ ସହିତ ବହୁଥର ଆଳାପ ଆଲୋଚନା କରିବା ବେଳେ ସେ ମତେ ଅଜସ୍ର ଶ୍ରଦ୍ଧା ଅଜାଡ଼ି ପକାଉଥିଲେ। ଅଯୋଧ୍ୟାର ଗୋଟାଏ ଛକ ତାଙ୍କ ନାମାନୁସାରେ ନାମିତ ହେଉଥିବା ଜାଣି ମୁଁ ଆନନ୍ଦିତ। ଅନ୍ୟତମ ପ୍ରଖ୍ୟାତ ଭାରତୀୟ ବ୍ୟକ୍ତିତ୍ବଙ୍କ ପ୍ରତି ଏହା ହେଉଛି ଯଥାମାନ୍ୟ ଶ୍ରଦ୍ଧାଞ୍ଜଳି। ଉଲ୍ଲେଖ ଯୋଗ୍ୟ-ଲତା ମଙ୍ଗେସକର ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୫ବର୍ଷ ବୟସରୁ ଲତା ତାଙ୍କ ବାପାଙ୍କ ପାଖରୁ ସଙ୍ଗୀତ ଶିକ୍ଷା କଲେ। ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବାର ଦାୟିତ୍ବ ଲତାଙ୍କ ଉପରକୁ ଆସିଲା। ସଙ୍ଗୀତକୁ ପେସା କରି ସେ ଆଗକୁ ବଢ଼ିଲେ। କେବଳ ହିନ୍ଦୀ ନୁହେଁ, ୩୬ଟି ଭାଷାରେ ଲତା ଗୀତ ଗାଇଛନ୍ତି। ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ପାଇଁ ୨୦୦୧ରେ ସେ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ ହୋଇଥିଲେ। ୨୦୨୨ ଫେବୃଆରୀ ୬ରେ ୯୨ ବର୍ଷ ବୟସରେ ଲତା ମଙ୍ଗେସକର ପ୍ରାଣ ହରାଇଥିଲେ।

 

Breaking News