Report Card Odisha

| Daily Odia News

ଅଗଷ୍ଟ ସୁଦ୍ଧା ୫ଜି ସେବା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳିତ ବର୍ଷ ‌ଅଗଷ୍ଟ ସୁଦ୍ଧା ଦେଶରେ ୫ଜି ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। କେନ୍ଦ୍ର ଟେଲିକମ୍ ସଚିବ କେ ରାଜାରମଣ ଏଭଳି ଆକଳନ କରିଛନ୍ତି। ଜୁଲାଇ ୨୬ରୁ ୫ଜି ସ୍ପେକ୍ଟ୍ରମ୍ ନିଲାମ ହେବ। ଗତକାଲି କେନ୍ଦ୍ର କ୍ୟାବିନେଟ୍ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଥିଲେ। ଗତକାଲି ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ କହିଥିଲେ ଯେ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଦେଶ‌ରେ ୫ଜି ସେବା ଆରମ୍ଭ ହୋଇଯିବ। ଟେଲିକମ୍‌ କଂପାନିଗୁଡ଼ିକ ୫ଜି ସେବାର ପରୀକ୍ଷଣ କରିସାରିଲେଣି। ବିଏସ୍‌ଏନ୍‌ଏଲ୍‌ କିନ୍ତୁ ଏପର୍ଯ୍ୟନ୍ତ ଏହାର ପରୀକ୍ଷଣ କରିନାହିଁ। ସ୍ପେକ୍ଟ୍ରମ୍ ନିଲାମ ପରେ ୫ଜି ସେବାର ଦାମ୍‌ କେତେ ରହିବ ତାହା ଜଣାପଡ଼ିବ। ଟେଲିକମ୍ କଂପାନିଗୁଡ଼ିକ ୫ଜି ସେବାକୁ ଏକକାଳୀନ ସାରା ଦେଶରେ କାର୍ଯ୍ୟକାରୀ କରିବେ ନାହିଁ। ପ୍ରଥମେ କିଛି ନିର୍ଦିଷ୍ଟ ସହରରେ ସେମାନେ ଏହି ସେବା ଆରମ୍ଭ କରିବା ପରେ ଧୀରେ ଧୀରେ ତାହାକୁ ଅନ୍ୟ ସ୍ଥାନକୁ ସମ୍ପ୍ରସାରିତ କରିବେ। ବିଶ୍ବର ବିଭିନ୍ନ ଦେଶରେ ୫ଜି ସେବା ଆରମ୍ଭ ହୋଇଗଲାଣି। ସେଠାରେ ୪ଜି ଓ ୫ଜି ସେବା ଦାମ୍‌ରେ ବିଶେଷ ଫରକ ନାହିଁ। ୫ଜିରେ ୪ଜି ତୁଳନାରେ ୧୦୦ ଗୁଣା ଅଧିକ ସ୍ପିଡ୍‌ରେ ଡାଟା ମିଳିବ। ୪ଜିରେ ୧୦୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ସ୍ପିଡ୍‌ରେ ଡାଟା ମିଳୁଛି। କିନ୍ତୁ ୫ଜିରେ ୧୦ ଜିବିପିଏସ୍‌ ସ୍ପିଡ୍‌ରେ ଡାଟା ମିଳିବ। ସ୍ବଦେଶୀ ଜ୍ଞାନକୌଶଳକୁ ବ୍ୟବହାର କରି ୫ଜି ସେବା ଆରମ୍ଭ କରିବା ଲାଗି ସରକାର ଉଦ୍ୟମ କରୁଛନ୍ତି। ସି-ଡଟ୍ ନାମକ ସରକାରୀ ସଂସ୍ଥା ସହଯୋଗରେ ଓପୋନ୍ ରେଡିଓ ଆକ୍‌ସେସ୍‌ ନେଟ୍‌ୱର୍କ (ଓରାନ୍‌) ଟେଷ୍ଟ ବେଡ୍ ବିକଶିତ କରାଯାଉଛି। ଏଥିପାଇଁ ଏହା ଚାରିଟି ଭିନ୍ନ ଏମ୍‌ଓୟୁ ସ୍ବାକ୍ଷର କରିଛି। ଏଥିରେ ଅଧିକରୁ ଅଧିକ ଭାରତୀୟ କଂପାନି ସାମିଲ ହେବେ ବୋଲି ଆଶା କରାଯାଉଛି। ଓରାନ୍ ପ୍ରଯୁକ୍ତିକୁ ବ୍ୟବହାର କରି ନିଜର ଟେଲିକମ୍ ଗିୟର ଯୋଗାଣକାରୀ ବିକଳ୍ପକୁ ବଢ଼ାଇବାକୁ ଘରୋଇ ଟେଲିକମ୍ ସଂସ୍ଥା ଭାରତୀ ଏୟାରଟେଲ୍, ଭୋଡା ଫୋନ୍ ଆଇଡିଆ ଓ ରିଲାଏନ୍ସ ଜିଓ ଲକ୍ଷ୍ୟ ରଖିଛନ୍ତି। ଓରାନ୍‌କୁ ବ୍ୟବହାର କରି କଂପାନିଗୁଡ଼ିକ ନେଟ୍‌ୱର୍କରେ ହେଉଥିବା ଖର୍ଚ୍ଚ କମ୍ କରିପାରିବେ ଏବଂ ୫ଜି ପ୍ରଯୁକ୍ତି ପାଇଁ ନେଟ୍‌ୱର୍କର ଉନ୍ନତୀକରଣ ବେଳେ ନିଜକୁ ସୁହାଇବା ଭଳି ସମାଧାନ ପାଇପାରିବେ।

Breaking News