Report Card Odisha

| Daily Odia News

ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ 5G ସେବା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ 5G ସେବା ମିଳିବ। ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଏଭଳି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ମଧ୍ୟ କହିଛନ୍ତି ,ରେଲୱେ ଏବଂ ଟେଲିକମ୍‌ରେ ଓଡ଼ିଶାକୁ ଅବହେଳା ହେଉଛି ବୋଲି କୁହାଯାଉଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିକମ ପାଇଁ ୫ ହଜାର ୬ ଶହ କୋଟି ଟଙ୍କା ଓଡ଼ିଶାକୁ ଦେଇଛନ୍ତି। ଓଡ଼ିଶାର ଯାହା ଦରକାର ସେସବୁ ମୋଦି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇଦେବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପରିକଳ୍ପନା ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ସ୍ଥାନ ପାଇଛି । ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହାର କାର୍ଯ୍ୟ ଶୀଘ୍ର  ସମ୍ପାଦନ ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି | ଏହା ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି କୁହାଯାଇଛି । ୧୪ କିଲୋମିଟର ଦୀର୍ଘ ଅନୁଗୁଳ -ବଳରାମ ନୂତନ ରେଳ ଲାଇନ ପଣ୍ୟ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ଉପଯୋଗ ହୋଇପାରିବ ଏବଂ ଏହା ବିଭିନ୍ନ ଶିଳ୍ପ ସଂସ୍ଥା ବିଶେଷ ଭାବେ ପାୱାର ହାଉସ ମାନଙ୍କୁ ସହାୟତା ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳର ଉନ୍ନତି ସଙ୍ଗେ ସଙ୍ଗେ ଦେଶର ଆର୍ଥିକ ବିକାଶରେ ନୂତନ ଅଧ୍ୟାୟ ଯୋଡିବ । ତେଣୁ ମୋଦିଙ୍କ ଆଗରେ କେହି ଆଉ ଅଭିଯୋଗ ରଖିପାରିବେନି। କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଯେଉଁ ଯେଉଁ ଗାଁରେ ମୋବାଇଲ ଟାୱାର ନ ଥିଲା, ତାର ସର୍ଭେ କରିବା ପାଇଁ ମୋଦି ଜି ମୋତେ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଗାଁରେ 4G ନେଟୱାର୍କ ପହଞ୍ଚିବା ଦରକାର ବୋଲି କହିଥିଲେ। ଓଡ଼ିଶାର ପ୍ରତି ଗାଁରେ 4G ନେଟୱାର୍କ ପହଞ୍ଚିବ ବୋଲି ମୋଦି ନିଷ୍ପତ୍ତି ନେଇଛନ୍ତି। ଆଜି ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହିଥିଲେ|

 

Breaking News