Report Card Odisha

| Daily Odia News

ବୁଲି ବୁଲି ଅଭିଯୋଗ ପତ୍ର ଗ୍ରହଣ କଲେ 5-T ସଚିବ…..

ରିପୋର୍ଟ କାର୍ଡ / ଆଠଗଡ଼

ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହାକୁ ସାକାର କରିବା ପାଇଁ ଓଡ଼ିଶାବାସୀଙ୍କର ଅକୁଣ୍ଠ ସହଯୋଗ ଲୋଡ଼ା ବୋଲି ଆଜି ଆଠଗଡ଼ ଗସ୍ତରେ ଆସିଥିବା ୫-ଟି ସଚିବ ଭିକେ ପାଣ୍ଡିଆନ୍‌‌ କହିଛନ୍ତି । ରାଜ୍ୟର ସବୁ କ୍ଷେତ୍ରରେ ବିକାଶକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଉଛନ୍ତି। ବିଶେଷକରି ମହିଳା ଓ କୃଷକଙ୍କ ବିକାଶରେ ହିଁ ରାଜ୍ୟର ବାସ୍ତବ ବିକାଶ ସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରି ସେହି ଅନୁଯାୟୀ ପଦକ୍ଷେପ ନେଉଛନ୍ତି। ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠିଗୁଡ଼ିକରେ ୭୦ଲକ୍ଷରୁ ଅଧିକ ମହିଳା ସାମିଲ ହୋଇଥିବାବେଳେ ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ସେଥିପାଇଁ ଏସଏଚଜିଗୁଡିକୁ ଯଥାସାଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ମହିଳା ଗୋଷ୍ଠୀଗୁଡ଼ିକୁ ବିନା ସୁଧରେ ୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ଏବଂ ଏହାର ସଦୁପଯୋଗ କରି ଆତ୍ମନିର୍ଭରଶୀଳ ହେଉଥିବା ଏସଏଚଜିଗୁଡିକୁ ଆହୁରି ଅଧିକ ସହାୟତା ଦିଆଯିବ ବୋଲି ୫-ଟି ସଚିବ ପାଣ୍ଡିଆନ୍‌‌ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟର ହାଇସ୍କୁଲଗୁଡିକ ରୂପାନ୍ତରିତ ହୋଇସାରିଥିବାବେଳେ ଏବେ ସମସ୍ତ କଲେଜଗୁଡ଼ିକୁ ରୂପାନ୍ତରୀକରଣ କରାଯିବ। ଫଳରେ କଲେଜଗୁଡ଼ିକରେ ଶୈକ୍ଷିକ ବାତାବରଣରେ ଉନ୍ନତି ହେବ, ଯଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। କୃଷକମାନଙ୍କ ପାଇଁ ରାଜ୍ୟ ସରକାର ବିନା ସୁଧରେ ଏକ ଲକ୍ଷ ଟଙ୍କାର ଋଣ ଯୋଗାଇ ଦେଉଥିବାବେଳେ ଫସଲ ବୀମାର ପ୍ରିମିୟମ ରାଜ୍ୟ ସରକାର ବହନ କରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୧୦ଲକ୍ଷ ଟଙ୍କା ଓ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ଚିକିତ୍ସା ଖର୍ଚ୍ଚ ବାବଦରେ ବୀମା କମ୍ପାନୀରୁ ଉପଲବ୍ଧ ହେଉଛି। ଏତଦ୍‌‌ବ୍ୟତୀତ ସମଗ୍ର ରାଜ୍ୟରେ ମନ୍ଦିର, ମସଜିଦ୍‌‌ ଓ ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନର ବିକାଶ ପାଇଁ ରାଜ୍ୟ ସରକାର ଯଥେଷ୍ଟ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ବୋଲି ପାଣ୍ଡିଆନ୍‌‌ ପ୍ରକାଶ କରିଥିଲେ। ଆଠଗଡ଼ ମିନି ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଅଭିଯୋଗ ଶୁଣାଣୀ ଶିବିରରେ ମହିଳା ଏସଏଚଜି ସଭ୍ୟା, କଲେଜର ଛାତ୍ରଛାତ୍ରୀ, ନିର୍ବାଚିତ ପଞ୍ଚାୟତ ଓ ଏନଏସିର ପ୍ରତିନିଧି ଏବଂ ସାଧାରଣ ଜନତାଙ୍କୁ ମିଶାଇ ମୋଟ ପ୍ରାୟ ୧୦ହଜାର ଲୋକଙ୍କ ସମାଗମ ହୋଇଥିଲା। ପାଣ୍ଡିଆନ୍‌‌ ପହଞ୍ଚିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ୫-ଟି ସଚିବ ପାଣ୍ଡିଆନ୍‌‌ ସଭାସ୍ଥଳରେ ବୁଲି ବୁଲି ଲୋକଙ୍କ ସହ ହାତ ମିଳାଇବା ସଙ୍ଗେ ସଙ୍ଗେ ସମସ୍ତଙ୍କର  ଅଭିଯୋଗ ଓ ଦାବିପତ୍ର ଗ୍ରହଣ କରିଛନ୍ତି। ସମସ୍ତ ଆପତ୍ତି ଓ ଅଭିଯୋଗଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଇ ମାସକ ମଧ୍ୟରେ ସେଗୁଡ଼ିକର ସମାଧାନ କରାଯିବ ବୋଲି ପାଣ୍ଡିଆନ୍‌‌ ପ୍ରତିଶୃତି ଦେଇଛନ୍ତି|

Breaking News