Report Card Odisha

| Daily Odia News

କୁଲୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ମୃତ, ୧୦ ଆହତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ହିମାଚଳ ପ୍ରଦେଶର କୁଲ୍ଲୁସ୍ଥିତ ଜାଲୋଦି ଘାଟି ନିକଟରେ ଗୋଟାଏ ଟେମ୍ପୋ ଟ୍ରାଭେଲ୍‌ର ଗାଡ଼ି ଖାଇରେ ପଡ଼ି ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି |   ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୮.୩୦ରେ କୁଲ୍ଲୁ ଜିଲ୍ଲାର ବଞ୍ଜର୍‌ ସବ୍‌ଡିଭିଜନ୍‌ସ୍ଥିତ ଜଲୋଦି ଘାଟି ନିକଟରେ ଥିବା ଗଭୀର ଖାଇ ଘିୟାଗି ଭିତରକୁ ଗାଡ଼ିଟି ଖସିପଡ଼ିଥିଲା। ଦୁର୍ଘଟଣା ଯୋଗୁଁ ଗାଡ଼ିରେ ଥିବା ୧୭ଜଣ ଯାତ୍ରୀଙ୍କ ମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାକି ୧୦ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ, ପୋଲିସ ଓ ସାଧାରଣ ଲୋକେ ମିଶି  ଉଦ୍ଧାର କାର୍ଯ୍ୟ ଚଳାଇ ଥିଲେ। ସମସ୍ତ ଆହତ ଯାତ୍ରୀମାନଙ୍କୁ କୁଲ୍ଲୁ ଡାକ୍ତରଖାନାକୁ ନିଆଯାଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ଗାଡ଼ିରେ ଥିବା ୧୭ଜଣ ଯାତ୍ରୀ ହେଉଛନ୍ତି ‘ଏଜୁକେସ୍‌ନାଲ୍‌ ଟୁର୍‌’ରେ ଯାଉଥିବା ବାରାଣସୀର ଶିକ୍ଷାର୍ଥୀ। କୁଲ୍ଲୁ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଗୁରୁଦେବ ସିଂହ ଗଣମାଧ୍ୟମକୁ କହିଛନ୍ତି, ରବିବାର ରାତି ୮.୩୦ରେ ଗାଡ଼ିଟି କୁଲ୍ଲୁସ୍ଥିତ ବଞ୍ଜର୍‌ ଉପତ୍ୟକାର ଘିୟାଗି ଅଞ୍ଚଳ ଦେଇ ଯାଇଥିବା ୩୦୫ ନମ୍ବର ଜାତୀୟ ରାଜପଥର ପାହାଡ଼ୀ ଧାରରୁ ଖାଇକୁ ଖସି ପଡ଼ିଥିଲା। ୫ଜଣ ଆହତଙ୍କୁ କୁଲ୍ଲୁସ୍ଥିତ ଜୋନାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ବାକି ୫ଜଣ ବଞ୍ଜର୍‌ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।  ମୃତାହତମାନେ ରାଜସ୍ଥାନ, ମଧ୍ୟପ୍ରଦେଶ, ହରିୟାଣା ଏବଂ ଦିଲ୍ଲୀ ରାଜ୍ୟର ବାସିନ୍ଦା ବୋଲି ଜଣାପଡିଛି |

 

Breaking News