Report Card Odisha

| Daily Odia News

ଲେବାନନରେ ହରାଇଲେ ଇସ୍ରାଏଲର ୮ ଯବାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲେବାନନରେ ସ୍ଥଳଭାଗରେ ପ୍ରବେଶ କରିଥିବା ଇସ୍ରାଏଲ ସେନାରେ ୮ ଜଣ ଯବାନ ପ୍ରାଣ ହରାଇଛନ୍ତି। ହେଜବୁଲ୍ଲାକୁ ଟାର୍ଗେଟ କରିବାକୁ ଲେବାନନରେ ସ୍ଥଳଭାଗରେ ପ୍ରବେଶ କରି ଯୁଦ୍ଧ କରିବା ପରଠାରୁ ଏହା ହେଉଛି ଇସ୍ରାଏଲର ପ୍ରଥମ କ୍ଷତି। ଆଜି ପ୍ରଥମେ ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଥିଲା ଯେ ଲେବାନନରେ ସ୍ଥଳଭାଗରେ ଯୁଦ୍ଧ କରିବା ପରଠାରୁ ସେମାନଙ୍କର ପ୍ରଥମ କ୍ଷତି ଘଟିଛି। ତାଙ୍କର ଜଣେ କ୍ୟାପଟେନଙ୍କର ମୃତ୍ୟୁ ଘଟିଛି। ଏହା ପରେ ପରେ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ତାଙ୍କର ଆହୁରି ୭ ଜଣ ଯବାନଙ୍କର ମୃତ୍ୟୁ ଘଟିଛି। ତେବେ ଇସ୍ରାଏଲ ପକ୍ଷରୁ ଏନେଇ ଆଉ ଅଧିକ କିଛି ସୂଚନା ଦିଆଯାଇ ନାହିୱ। ଅନ୍ୟପକ୍ଷରେ ହେଜବୁଲ୍ଲା ପକ୍ଷରୁ କୁହାଯାଇଛି ଯେ ତା’ର ଯୋଦ୍ଧାମାନେ ଲେବାନନର ଦକ୍ଷିଣରେ ଏକ ଗାଁରେ ଅନୁପ୍ରବେଶ କରିଥିବା ଇସ୍ରାଏଲର ସେନାକୁ କଡ଼ା ଜବାବ ଦେଉଛି। ଏହା ପୂର୍ବରୁ ହେଜବୁଲ୍ଲା ପକ୍ଷରୁ କୁହାଯାଇଥିଲା ଯେ ଉତ୍ତର-ପୂର୍ବରେ ଥିବା ଏକ ଗାଁ ଅଡେସେହରେ ଯେତେବେଳେ ଇସ୍ରାଏଲ ସେନା ପ୍ରବେଶ କରିବାକୁ ପ୍ରୟାସ କରିଥିଲା, ସେତେବେଳେ ସେମାନେ ଜୋରଦାର ଲଢ଼େଇ କରିଥିଲେ। ଫଳରେ ଇସ୍ରାଏଲ ସେନା ସେହି ସୀମାବର୍ତ୍ତୀ ଗାଁରେ ପ୍ରବେଶ କରିନପାରି ଫେରି ଯାଇଥିଲା। ଇସ୍ରାଏଲ ସେନା ଦକ୍ଷିଣ ଲେବାନନକୁ ନିଜ କବଜାକୁ ନେବାକୁ ପ୍ରୟାସ ଆରମ୍ଭ କରିବା ପରେ ପ୍ରଥମ ଥର ପାଇଁ ହେଜବୁଲ୍ଲା ପକ୍ଷରୁ କୁହାଯାଇଛି ଯେ ସେଠାରେ ଲେବାନନ ମାଟିରେ ଯୁଦ୍ଧ ଚାଲିଛି। ହେଜବୁଲ୍ଲା ମୁଖପାତ୍ର ମହମ୍ମଦ ଅଫିଫ କହିଛନ୍ତି ଏହା ହେଉଛି ସଂଘର୍ଷର ଆରମ୍ଭ ମାତ୍ର। ଦକ୍ଷିଣରେ ଇସ୍ରାଏଲ ସେନା କଡ଼ା ପ୍ରତିରୋଧର ସମ୍ମୁଖୀନ ହେଉଛି। ଲେବାନନର ସେନା ମଧ୍ୟ କହିଛି ଯେ ଇସ୍ରାଏଲ ସେନା ଦୁଇ ଦେଶ ମଧ୍ୟରେ ଥିବା ସୀମାରେଖାକୁ ଇସ୍ରାଏଲ ସେନା ଅତିକ୍ରମ କରିଛି। ଏହା ପୂର୍ବରୁ ଆଜି ଇସ୍ରାଏଲ ସେନା ଦକ୍ଷିଣ ଲେବାନନର ଆହୁରି ୨୦ଟି ଗାଁ ଓ ସହରର ଲୋକଙ୍କୁ ଶୀଘ୍ର ଘର ଛାଡ଼ି ପଳାଇବାକୁ କହିଥିଲା।

Breaking News