ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ବିରୋଧରେ ଏକାଠି ହୋଇଥିବା ବିରାଧୀ ଦଳର ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ଦୁଇ ଦିନ ଧରି ଚାଲିବ | ଏହି ମହାବୈଠକରେ ୨୬ଟି ଦଳର ୮୦ ଜଣ ନେତା ଯୋଗଦେବେ। ଏଥିସହ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକରେ ଉପସ୍ଥିତ ରହି ନିଜର ଶକ୍ତି ପ୍ରଦର୍ଶନ କରିବେ। ବୈଠକ ପୂର୍ବରୁ ଅର୍ଥାତ ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାୱାର ଓ ମହା ବିକାଶ ଅଘାଡିରେ ଥିବା ଦଳର ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁ ହୋଟେଲରେ ଇଣ୍ଡିଆ ବୈଠକ ଅନୁଷ୍ଠିତ ହେବ, ସେଠାରେ ହିଁ ମହା ବିକାଶ ଅଘାଡ଼ିର ନେତାମାନେ ଆଜି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏବେ ବି ବୈଠକ ଜାରି ରହିଛନ୍ତି। ଇଣ୍ଡିଆ ବୈଠକର ବିସ୍ତୃତ ଖସଡ଼ା ଏଠାରେ ପ୍ରସ୍ତୁତ କରାଯାଉଛି। ସେହିପରି ମୁମ୍ବାଇରେ ହେବାକୁ ଥିବା ଇଣ୍ଡିଆ ବୈଠକରେ ମେଣ୍ଟର ଲୋଗୋ ମଧ୍ୟ ଉନ୍ମୋଚନ କରାଯାଇ ପାରେ। ଏହାବାଦ ଇଣ୍ଡିଆ ମେଣ୍ଟର ଆବାହକ ଓ କମିଟି ସମ୍ପର୍କରେ ମଧ୍ୟ ଚଳିତ ମାସ ଶେଷ ତାରିଖରେ ହେବାକୁ ଥିବା ବୈଠକରେ ସାର୍ବଜନୀନ କରାଯିବାର କାର୍ଯ୍ୟକ୍ରମ ରହିଛି। ବେଙ୍ଗାଲୁରୁରେ ହୋଇଥିବା ବୈଠକରେ ୨୬ଟି ଯାକ ଦଳ ଏକାଠି ନିଜ ମେଣ୍ଟର ନାଁ ଇଣ୍ଡିଆ ରଖିଥିଲେ। ମେଣ୍ଟର ନାଁ ଇଣ୍ଡିଆ ରଖିବାକୁ ରାହୁଲ ଗାନ୍ଧି ହିଁ ପ୍ରସ୍ତାବ ଦେଇଥିଲେ। ଏବେ ଇଣ୍ଡିଆ ପକ୍ଷରୁ ତୃତୀୟ ବୈଠକ ମୁମ୍ବାଇରେ ହେବାକୁ ଯାଉଛି। ବୈଠକର ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ମଙ୍ଗଳବାର ଏନସିପି, ଶିବସେନା ଓ କଂଗ୍ରେସର ବରିଷ୍ଠ ନେତାମାନେ ପୋଲିସ କମିଶନରଙ୍କୁ ଭେଟିଥିଲେ। ସେହିପରି ମୁମ୍ବାଇ ଆସିବାକୁ ଥିବା ଭିଆଇପିମାନଙ୍କୁ ଉପଯୁକ୍ତ ପ୍ରୋଟକଲ ଯୋଗାଇ ଦେବାକୁ ମହା ବିକାଶ ଅଘାଡ଼ି ପକ୍ଷରୁ ଗୋଟିଏ ଚିଠି ମୁଖ୍ୟ ଶାସନ ସଚିବ ବିବେକ ଫାନସାଲକରଙ୍କୁ ଦିଆଯାଇଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..