ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୮ ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୫୫୮ ମନ୍ତ୍ରୀଙ୍କ ସତ୍ୟପାଠ ଆକଳନରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରୁ ୪୮୬ ଜଣ ଅର୍ଥାତ୍ ୮୭ ପ୍ରତିଶତ କୋଟିପତି। ୨୩୯ ଜଣ (୪୩ ପ୍ରତିଶତ) ମନ୍ତ୍ରୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି | ଏଡିଆର (ଆସୋସିଏସନ ଫର ଡିମୋକ୍ରାଟିକ ରିଫର୍ମ୍ସ) ରିପୋର୍ଟରୁ ଏହା ଜଣାପଡ଼ିଛି। ତାମିଲନାଡ଼ୁର ୩୩ ମନ୍ତ୍ରୀଙ୍କ ମଧ୍ୟରୁ ୨୮ ଜଣ (୮୫%), ହିମାଚଳପ୍ରଦେଶରେ ୯ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ (୭୮ %), ତେଲେଙ୍ଗାନାରେ ୧୭ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣ (୭୬ %), ମହାରାଷ୍ଟ୍ରରେ ୨୦ ମନ୍ତ୍ରୀଙ୍କ ମଧ୍ୟରୁ ୧୫ ଜଣ (୭୫%), ପଂଜାବରେ ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ (୭୩ %), ବିହାରରେ ୩୦ ମନ୍ତ୍ରୀଙ୍କ ମଧ୍ୟରୁ ୨୧ (୭୦ %) ଜଣ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ରହିଛି। ମହାରାଷ୍ଟ୍ରରେ ୨୦ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣ (୬୫%)ଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ଥିବାବେଳେ ଝାଡ଼ଖଣ୍ଡରେ ୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ (୬୪%)ଙ୍କ ବିରୋଧରେ ଏବଂ ତେଲେଙ୍ଗାନାରେ ମୋଟ୍ ୧୭ ମନ୍ତ୍ରୀଙ୍କ ମଧ୍ୟରୁ ୧୦ ଜଣ (୫୯%)ଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ରହିଛି। ରିପୋର୍ଟ ଅନୁଯାୟୀ ବିହାରରେ ୩୦ ମନ୍ତ୍ରୀଙ୍କ ମଧ୍ୟରୁ ୧୫ ଜଣ (୫୦ %) ସେମାନଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି। ତାମିଲନାଡୁରେ ୩୩ ମନ୍ତ୍ରୀଙ୍କ ମଧ୍ୟରୁ ୧୬ ଜଣ (୪୮%) ଏବଂ ପଂଜାବରେ ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ (୪୭%) ସେମାନଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ୨୮ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୫୬୭ ମନ୍ତ୍ରୀଙ୍କ ମଧ୍ୟରୁ ୫୫୮ ଜଣ ମନ୍ତ୍ରୀଙ୍କ ସତ୍ୟପାଠ ଅନୁଧ୍ୟାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ମନ୍ତ୍ରୀମାନଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୧୬.୬୩ କୋଟି। ଅନ୍ୟପକ୍ଷେ ଅପରାଧିକ ମାମଲା ଘୋଷଣା କରିଥିବା ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୨୧.୨୧ କୋଟି ଏବଂ ଅପରାଧ ମାମଲା ନଥିବା ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୧୩.୨୦ କୋଟି ଟଙ୍କା। କର୍ଣ୍ଣାଟକରେ ମନ୍ତ୍ରୀମାନଙ୍କ ହାରାହାରି ସମ୍ପତ୍ତି ସବୁଠୁ ଅଧିକ। କର୍ଣ୍ଣାଟକରେ ୨୭ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୭୩.୦୯ କୋଟି। ମହାରାଷ୍ଟ୍ରରେ ୨୦ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୪୭.୪୫ କୋଟି। ଛତିଶଗଡ଼ରେ ୧୩ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୪୩.୯୬ କୋଟି। ଅନ୍ୟପକ୍ଷେ ତ୍ରିପୁରାରେ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ସବୁଠୁ କମ୍। ତ୍ରିପୁରାରେ ୧୧ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୨.୬୭ କୋଟି ଟଙ୍କା। ଅରୁଣାଚଳପ୍ରଦେଶ, ଛତିଶଗଡ଼, ଗୋଆ, ହରିୟାଣା, ହିମାଚଳପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ପୁଡ଼ୁଚେରୀ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡର ସମସ୍ତ ମନ୍ତ୍ରୀ କୋଟିପତି। ୫୫୮ ମନ୍ତ୍ରୀଙ୍କ ମଧ୍ୟରୁ ୨୦୦ ମନ୍ତ୍ରୀଙ୍କ ବୟସବର୍ଗ ୫୧-୬୦। ୧୪୩ ମନ୍ତ୍ରୀଙ୍କ ବୟସବର୍ଗ ୬୧-୭୦ ଏବଂ ୧୩୯ ମନ୍ତ୍ରୀଙ୍କ ବୟସ ବର୍ଗ ୪୧-୫୦। ତେବେ ମୋଟ ମନ୍ତ୍ରୀଙ୍କ ମଧ୍ୟରୁ କେବଳ ୯ ପ୍ରତିଶତ ମହିଳା ମନ୍ତ୍ରୀ ଅଛନ୍ତି। ପଶ୍ଚିମବଙ୍ଗରେ ସର୍ବାଧିକ ୮ (୧୮ %) ମହିଳା ମନ୍ତ୍ରୀ ଥିବାବେଳେ ଏହା ପଛକୁ ଓଡ଼ିଶାରେ ୫ ଜଣ (୨୩%) ଏବଂ ଉତ୍ତରପ୍ରଦେଶରେ ୫ ଜଣ (୧୦ %) ମହିଳା ମନ୍ତ୍ରୀ ଅଛନ୍ତି। ଅରୁଣାଚଳପ୍ରଦେଶ, ଦିଲ୍ଲୀ, ମିଜୋରାମ, ନାଗାଲାଣ୍ଡ, ମେଘାଳୟ, ଗୋଆ, ହିମାଚଳପ୍ରଦେଶ, ମହାରାଷ୍ଟ୍ର ଓ ସିକ୍କିମ ବିଧାନସଭାରେ କୌଣସି ମହିଳା ମନ୍ତ୍ରୀ ନାହାନ୍ତି।






More Stories
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..