ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋମବାର ଦିନ ୯ ଓଡ଼ିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ଝିଆରୀ ଡଃ ସଂଘମିତ୍ରା ଦାସ ଏହାକୁ ଗ୍ରହଣ କରିଥିଲେ। ଜୈବିକ କୃଷି ପାଇଁ ସ୍ବର୍ଗତ ପ୍ରଫେସର ରାଧାମୋହନ ଓ ସାବରମତୀଙ୍କୁ ଯୁଗ୍ମ ଭାବେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଦିବଙ୍ଗତ ପ୍ରଫେସର ରାଧାମୋହନଙ୍କ ପତ୍ନୀ ବିଜୟଲକ୍ଷ୍ମୀ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସ୍ବର୍ଗତ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କ ପୁଅ ଆଶୁତୋଷ ମହାପାତ୍ର ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ। ରଙ୍ଗବତୀ ଗୀତର ରଚୟିତା ତଥା ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଚୌଦ୍ବାରର ବିଖ୍ୟାତ ଘୋଡ଼ାନାଚ ଶିଳ୍ପୀ ଡଃ ଉଦ୍ଧବ ଚରଣ ଦାସ, ଲେଖିକା ଦମୟନ୍ତୀ ବେଶ୍ରାଙ୍କୁ ରାଷ୍ଟ୍ରପତି ଆଜି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ମତ୍ସ ଓ ପଶୁସମ୍ପଦ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ବଟକୃଷ୍ଣ ସାହୁ ଓ ମେଡିସନ କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ପାଇଁ ଓଡ଼ିଶା ବାହାରେ ରହୁଥିବା ଡ. ଦିଗାମ୍ବର ବେହେରାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ। ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ସି. ଜମୀରଙ୍କୁ ମଧ୍ୟ ଆଜି ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲ। ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ୨୦୨୦ ପାଇଁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ମୋଟ ୧୩୯ ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡ଼ି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଆସନ୍ତାକାଲି ୨୦୨୧ ପଦ୍ମ ପୁରସ୍କାର ବିଜେତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..